ହାଟ ପାଇଁ ବଦଳିଛି ସରକାରୀ ନିୟମ : ସୋମବାର ସ୍କୁଲ ବନ୍ଦ, ରବିବାର ଖୋଲା

ଆନନ୍ଦପୁର : ସାପ୍ତାହିକ ହାଟ ପାଇଁ ବଦଳିଯାଇଛି ସରକାରୀ ନିୟମ। ସୋମବାର ହାଟ ବସୁଥିବାରୁ ଏହି ଦିନ ସ୍କୁଲ ବନ୍ଦ ରହୁଛି। ରବିବାର ସକାଳୁଆ ସ୍କୁଲ ହେଉଛି। ମାସେ କି ବର୍ଷେ ନୁହେଁ ବର୍ଷ ବର୍ଷ ଧରି କେନ୍ଦୁଝର ଅନ୍ତର୍ଗତ ଘସିପୁରା ବ୍ଲକ୍‌ର ୩୦ଟି ପ୍ରାଥମିକ ବିଦ୍ୟାଳୟ ଏମିତି ଚାଲିଛି। ସୋମବାର ସ୍କୁଲ ବନ୍ଦ ନେଇ କୌଣସି ସରକାରୀ ନିୟମ ନଥିବାବେଳେ ଏଠାରେ ଦୀର୍ଘ ବର୍ଷ ଧରି ଏଭଳି ବିଚିତ୍ର ବ୍ୟବସ୍ଥା କିଭଳି ଲାଗୁ କରାଯାଇଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ଦେଓଗାଁରେ ସୋମବାର ଏକ ସାପ୍ତାହିକ ହାଟ ବସୁଛି। ଏହାକୁ ଦୃଷ୍ଟିରେ ରଖି ଦେଓଗାଁ, ଦରଡ଼ିପାଳ, କେଶଦୁରାପାଳ ଓ କଅଁସ ସିଆର୍‌ସିର ୩୦ରୁ ଊର୍ଦ୍ଧ୍ବ ପ୍ରାଥମିକ ବିଦ୍ୟାଳୟ ସୋମବାର ବନ୍ଦ ରହୁଛି। ରବିବାର ଛୁଟିଦିନ ଥିଲେ ମଧ୍ୟ ସକାଳୁଆ ସ୍କୁଲ ହେଉଛି। କିଛି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ସ୍ବାଭାବିକ ଭାବେ ଖୋଲା ରହୁଛି। ଏଭଳି ବ୍ୟବସ୍ଥା ବହୁଦିନରୁ ଚାଲି ଆସୁଥିବାବେଳେ ଶିକ୍ଷା ବିଭାଗର କୌଣସି ଅଧିକାରୀ ସୋମବାର ସ୍କୁଲ ପରିଦର୍ଶନରେ ଆସିଲେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦେଓଗାଁରେ ସାପ୍ତାହିକ ହାଟ ପାଇଁ ପୂର୍ବରୁ ଏହି ସର୍କଲ ଅଧୀନରେ ଥିବା ବିଦ୍ୟାଳୟ ଗୁଡ଼ିକ ସୋମବାର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବନ୍ଦ ରହୁଛି ବୋଲି କିଛି ଲୋକ ପ୍ରକାଶ କରିଛନ୍ତି। କିନ୍ତୁ କେହି କୋର୍ଟ ନିର୍ଦ୍ଦେଶ ଦେଖାଇ ପାରୁନାହାନ୍ତି। ସୋମବାର ସ୍କୁଲ ବନ୍ଦ ରହୁଥିଲେ ମଧ୍ୟ ଏହି ଦିନ ପାଠପଢ଼ା ହେଉଥିବା ଦର୍ଶାଯାଇ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ସମ୍ପର୍କିତ ଅନ୍‌ଲା‌ଇନ ମେସେଜ ପଠାଯାଉଛି।

ଏ ସମ୍ପର୍କରେ ଘସିପୁରା ବିଇଓ କ୍ଷେତ୍ରମୋହନ ହାଁସଦା କହିଛନ୍ତି, ରବିବାର ସ୍କୁଲ ଖୋଲାଯାଇ ସୋମବାର ବନ୍ଦ ରଖିବା ଭଳି କୌଣସି ସରକାରୀ ନିୟମ ନାହିଁ। ଦେଓଗାଁ ସାପ୍ତାହିକ ହାଟ ପାଇଁ ଏଠାରେ ଏଭଳି ପରିବର୍ତ୍ତନ ସମ୍ପର୍କରେ ତାଙ୍କ କାର୍ଯ୍ୟାଳୟରେ କୌଣସି ରେକର୍ଡ ନଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର