କରୋନା ହିତାଧିକାରୀଙ୍କୁ ନ ପାଇ ଫେରିଲା ଟଙ୍କା

ଅଯୋଗ୍ୟ ହିତାଧିକାରୀଙ୍କ ନାଁ ଉଭୟ ଯୋଜନାରେ ସାମିଲ୍
୯ ଜିଲ୍ଲାରେ ୬୯ହଜାରରୁ ଅଧିକ ହିତାଧିକାରୀଙ୍କ ଟଙ୍କା ଫେରିଛି

ଭୁବନେଶ୍ବର : କରୋନା କାଳରେ ରାଜ୍ୟର ଖାଦ୍ୟ ସୁରକ୍ଷା ଅଧିକାରରେ ହିତାଧିକାରୀଙ୍କ ପ୍ରକୃତ ଚିତ୍ର ଆସିବା ଆରମ୍ଭ କରିଛି। ମହାମାରୀ ସମୟରେ ପ୍ରତ୍ୟେକ ଯୋଗ୍ୟ ରାସନ କାର୍ଡଧାରୀଙ୍କୁ ହଜାରେ ଟଙ୍କା ଲେଖାଏଁ ସିଧାସଳଖ ପ୍ରଦାନ କରିବା ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ହେଲେ କିଛି ଜିଲ୍ଲାରେ ଟଙ୍କା ପାଇବା ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ନ ମିଳିବାରୁ କୋଟିକୋଟି ଟଙ୍କା ସରକାରୀ ତହବିଲକୁ ଫେରି ଆସିଛି। କେବଳ ୯ଟି ଜିଲ୍ଲାରେ ୬ କୋଟି ୯୫ଲକ୍ଷ ୨୯ହଜାର ୫୭୪ଟଙ୍କା ଫେରିଥିବା ସୂଚନା ଅଧିକାର ଆଇନ ବଳରେ ଜଣାପଡ଼ିଛି। ତେଣୁ ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ଟଙ୍କା ଫେରିଲା ନା ଯାଞ୍ଚ ସମୟରେ ଗୋଟିଏ ପରିବାର ଉଭୟ ଜାତୀୟ ଓ ରାଜ୍ୟ ହିତାଧିକାରୀ ତାଲିକାରେ ସାମିଲ ଅଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି।

କରୋନା ମହାମାରୀ ପାଇଁ ରାଜ୍ୟରେ ଲକ୍‌ଡାଉନ୍‌ ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ଥିବା ଯୋଗ୍ୟ କାର୍ଡଧାରୀଙ୍କୁ ହଜାରେ ଟଙ୍କାର ସହାୟତା ଘୋଷଣା କରିଥିଲେ। ଏହି ଆର୍ଥିକ ସହାୟତାଙ୍କୁ ସିଧାସଳଖ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଲାଗି କୁହାଯାଇଥିଲା। ରାଜ୍ୟର ୯୫ଲକ୍ଷ ପରିବାର ପାଇଁ ହଜାରେ ଟଙ୍କା ହିସାବରେ ୯୫୫ କୋଟି ମଞ୍ଜୁର କରିଥିଲେ ରାଜ୍ୟ ସରକାର। ହେଲେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏହି ଟଙ୍କା ଦିଆଯିବା ସମ୍ଭବ ହୋଇନାହିଁ। କେନ୍ଦ୍ରାପଡ଼ା, ଗଞ୍ଜାମ, ଖୋର୍ଧା, ଭୁବନେଶ୍ବର, ରାୟଗଡ଼ା, ବାଲେଶ୍ବର, ନବରଙ୍ଗପୁର, କଳାହାଣ୍ଡି, ନୟାଗଡ଼ ଓ କୋରାପୁଟ ଜିଲ୍ଲାରେ ସମୁଦାୟ ୬୯,୪୪୩ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପାଇପାରି ନାହାନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ବା ଏନ୍ଏଫ୍ଏଚ୍ଏସ୍‌ରେ ମୋଟ ୩ଲକ୍ଷ ୧୦ହଜାର ୫ଶହ ହିତାଧିକାରୀ ରହିଥିବା ବେଳେ ଏଥିପାଇଁ ୩୧କୋଟି ୫ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିଲା। ତହିଁରୁ ୩ଲକ୍ଷ ୩ହଜାର ହିତାଧିକାରୀଙ୍କୁ ୩୦କୋଟି ୩୦ଲକ୍ଷ ୨୯ହଜାର ଟଙ୍କା ଦିଆଯାଇଛି। ଆହୁରି ୧କୋଟି ୭୭ହଜାର ୪୬୪୬ ଟଙ୍କା ଫେରି ଆସିଛି। ସେହିପରି ଗଞ୍ଜାମରେ ୭ଲକ୍ଷ ୬୧ହଜାର ୯୫୧ ହିତାଧିକାରୀଙ୍କ ଧାର୍ଯ୍ୟ ଟଙ୍କାରୁ ୧କୋଟି ୨୬ଲକ୍ଷ ୨୬ହଜାର ଟଙ୍କା ଫେରିଛି। ବାଲେଶ୍ବରରେ ୫ଲକ୍ଷ ୫୯୯୮ ହତାଧିକାରୀଙ୍କ ପାଇଁ ଧାର୍ଯ୍ୟ ଅର୍ଥରୁ ୯୫ଲକ୍ଷ ୪୦ହଜାର ୭୦୫ଟଙ୍କା, ନବରଙ୍ଗପୁରରେ ୩ଲକ୍ଷ ୧୬ହଜାର ୫୩୩ ହିତାଧିକାରୀଙ୍କ ଧାର୍ଯ୍ୟ ଅର୍ଥରୁ ୫୬ଲକ୍ଷ ୩୬ହଜାର ୫୬୮ଟଙ୍କା ଫେରି ଆସିଛି।

ଭୁବନେଶ୍ବର ମ୍ୟୁନିସିପାଲଟିରେ ୯୮ଲକ୍ଷ ୯ହଜାର ଟଙ୍କା ଫେରିଛି। ଖୋର୍ଧା ଜିଲ୍ଲାରେ ୯୫ଲକ୍ଷ ୭୦ହଜାର ୧୪୮ଟଙ୍କା, କଳାହାଣ୍ଡିରେ ୬୧ଲକ୍ଷ ୫୭ହଜାର ୬୮୯ଟଙ୍କା, ନୟାଗଡ଼ରେ ୪୪ଲକ୍ଷ ୮୨ହଜାର, କୋରାପୁଟରେ ୪ଲକ୍ଷ ୮୧ହଜାର ଓ ରାୟଗଡ଼ାରେ ୧୧ଲକ୍ଷ ୪୯ହଜାର ଟଙ୍କା ଫେରଥିବା ଜଣାପଡ଼ିଛି। ତେବେ ପ୍ରକୃତରେ ଏସବୁ ଅଯୋଗ୍ୟ ହିତାଧିକାରୀ ନା ଗୋଟିଏ ପରିବାର ଉଭୟ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷାରେ କାର୍ଡ ପାଇଛନ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ।

ଯୋଗାଣ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଯେଉଁମାନେ କାର୍ଡ ପାଇଛନ୍ତି ସେମାନଙ୍କୁ ନିଜର ଆଧାର କାର୍ଡ ଲିଙ୍କ୍‌ କରିବା ଲାଗି କୁହାଯାଇଥିଲା। ସେମାନଙ୍କ ମଧ୍ୟରୁ ଅନେକ ଆଧାର କାର୍ଡ ସଂଯୋଗ କରିଥିବା ବେଳେ ଅନେକ ଏହା କରିପାରି ନ ଥିଲେ। ଫଳରେ ଗୋଟିଏ ପରିବାର ଏକାଧିକ ସଦସ୍ୟ ଏଥିରୁ ବାଦ୍ ପଡ଼ିଥିଲେ। ପରବର୍ତୀ ସମୟରେ ସେମାନଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ଏକ କାର୍ଡ ପ୍ରଦାନ କରାଯାଇଥିଲା। ତେବେ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଯେଉଁ ଆର୍ଥିକ ସହାୟତା ଘୋଷଣା ହୋଇଥିଲା ସେସବୁ ଅର୍ଥ ପ୍ରଦାନ କରାଯିବା ସମୟରେ ଗୋଟିଏ ପରିବାରର ସଦସ୍ୟ ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷାରେ ସାମିଲ ଥିବା ନଜରକୁ ଆସିଥିଲା। ତେଣୁ ପରିବାର ହିସାବରେ ଯେଉଁ ହଜାର ଟଙ୍କା ଦିଆଯିବାକୁ ଘୋଷଣା ହୋଇଥିଲା ସେହି ଅନୁଯାୟୀ ଟଙ୍କା ଦିଆଯାଇଛି। ଫଳରେ ଅନେକ ଟଙ୍କା ଫେରିବା ସ୍ବାଭାବିକ।

ଖୋର୍ଧା ସିଏସ୍‌ଓ ଅନାଥ ଚରଣ ସ୍ବାଇଁ କହିଛନ୍ତି, ଏହାର ଏକାଧିକ କାରଣ ହୋଇପାରେ। ହୁଏତ ‌ହିତାଧିକାରୀ ଜଣକ ଠିକ୍ ସମୟରେ ସହାୟତା ନେଇ ନ ଥିବା କିମ୍ବା ଯେଉଁ ଏକକ ହିତାଧିକାରୀଙ୍କ ମୃତ୍ୟୁ ହୋଇଥିବା ତାହା ଟଙ୍କା ଫେରି ଆସିବା ସ୍ବାଭାବିକ। ଏହାସହ ଭୁବନେଶ୍ବରରେ ରହୁଥିବା ଅନେକ ଲୋକଙ୍କ ଏକାଧିକ ସ୍ଥାନରେ କାର୍ଡ ରହିଛି ବୋଲି ଶ୍ରୀ ସ୍ବାଇଁ କହିଛନ୍ତି। ଭୁବନେଶ୍ବର ଏଏସ୍‌ସିଓ ଶିବଶଙ୍କର ମହାପାତ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିପାରି ନ ଥିଲା।

ସମ୍ବନ୍ଧିତ ଖବର