ବିଜୁଳି ସଂଯୋଗ ପାଇଁ ଟଙ୍କା ଆଦାୟ!

ଭବାନୀପାଟଣା : ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗ ନ ଥିବା ପରିବାରକୁ ମାଗଣାରେ ବିଦ୍ୟୁତ ସଂଯୋଗ ପାଇଁ ବ୍ୟବସ୍ଥା ରହିଛି। ହେଲେ ଭବାନୀପାଟଣା ବ୍ଲକରେ ଏହି ଯୋଜନାରେ ହିତାଧିକାରୀଙ୍କଠାରୁ ୫ ଶହ ଟଙ୍କା ଲେଖାଏଁ ଆଦାୟ କରାଯାଉଥିବା ଅଭିଯୋଗ ହେଉଛି। ଅଭିଯୋଗ ଅନୁସାରେ, ଏହି ବ୍ଲକର ଗୁରୁଜୁଙ୍ଗ ପଞ୍ଚାୟତ ଡଙ୍ଗାପଖାନ ଗାଁର ୬୦ ଜଣ ହିତାଧିକାରୀ, ମାଟିଆ ପଞ୍ଚାୟତ ଲୁହୁରାଡାବ୍ରି ଗାଁର ୧୧୩ ଜଣ, ମାଟିଆ ଗାଁର ୧୨୫ ଜଣ, ସାଲେଭଟା ଗାଁର ୧୫ ଜଣ, ଡୁମୁରିଆ ପଞ୍ଚାୟତ ବରଫା ଗାଁର ୧୦୭ ଜଣ, ଗଣ୍ଡବସା ଗାଁର ୪୧ ଜଣ, ପଲନା ପଞ୍ଚାୟତ ଟେପସା ଗାଁର ୭୦ଜଣ, ଖର୍ସାଲ ଗାଁର ୫୮ ଜଣ, ପେଣ୍ଡ୍ରାମାଳ ଗାଁର ୧୬ ଜଣ ହିତାଧିକାରୀଙ୍କ ଠାରୁ ଜଣପିଛା ୫ ଶହ ଟଙ୍କା ଲେଖାଏଁ ଆଦାୟ କରାଯାଇଛି। ସେଂପୁର ପଞ୍ଚାୟତର କୁକଟି ଓ ସେଂପୁର ଗାଁର ହିତାଧିକାରୀଙ୍କଠାରୁ ଟଙ୍କା ଆଦାୟ ବେଳେ ସରପଞ୍ଚ ହସ୍ତକ୍ଷେପ କରିବାରୁ ସଂପୃକ୍ତ କର୍ମଚାରୀମାନେ ଟଙ୍କା ଫେରସ୍ତ କରିଥିବା ସରପଞ୍ଚ ପ୍ରକାଶ କରିଛନ୍ତି। ଟଙ୍କା ଦେବାକୁ ସକ୍ଷମ ହଉ ନଥିବା ପରିବାରକୁ ମାଗଣା ବିଜୁଳି ସଂଯୋଗରୁ ବଞ୍ଚିତ କରାଯାଉଛି।

ଏ ସମ୍ପର୍କରେ କେସିଙ୍ଗା ବିଦ୍ୟୁତ ଡିଭିଜନର ଏସ୍‌ଡିଇଓଙ୍କୁ ପଚାରିବାରୁ କିଛି ଗାଁରେ ୱେସ୍କୋ ପକ୍ଷରୁ ଏହି କାମ କରାଯାଉଥିବା ବେଳେ କିଛି ଗାଁରେ ଏନଟିପିସି ଦାଇତ୍ବରେ କାମ ହେଉଛି। ଯେଉଁଠି କର୍ମଚାରୀମାନେ ଏଭଳି କାର୍ଯ୍ୟରେ ଲିପ୍ତ ଅଛନ୍ତି ଅନୁସନ୍ଧାନ କରି ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ସୌଭାଗ୍ୟ ଯୋଜନାରେ ସମ୍ପୂର୍ଣ ଭାବେ ମାଗଣାରେ ବିଦ୍ୟୁତ ସଂଯୋଗ ଦିଆଯାଉଥିବାରୁ କୌଣସି କର୍ମଚାରୀ ଟଙ୍କା ଆଦାୟ କରୁଥିଲେ ତୁରନ୍ତ ତାଙ୍କୁ ଜଣାଇବା ପାଇଁ ସେ କହିଥିଲେ।

ସମ୍ବନ୍ଧିତ ଖବର