ରାଉରକେଲା/ନୂଆଗାଁ: ସମଗ୍ର ରାଜ୍ୟରେ ଶିଶୁ ମହୋତ୍ସବ ସୁରଭି ଓ ଓଡିଶା ମିଲେଟ୍ସ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଇତିମଧ୍ୟରେ ସ୍କୁଲ ଓ କ୍ଲଷ୍ଟର୍ସ୍ତରୀୟ ସୁରଭି ମହୋତ୍ସବ ଶେଷ ହେଲାଣି। ଏବେ ଗତ ୧୬ ତାରିଖରୁ ଆସନ୍ତା ୨୦ ତାରିଖ ମଧ୍ୟରେ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ଆୟୋଜନ ପାଇଁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସୁରଭି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଅନୁଦାନ ଦିଆଯାଇଥାଏ। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲା ପାଇଁ ୧୭.୩୦ ଲକ୍ଷ ଟଙ୍କାର ଅନୁଦାନ ଆସିଛି। ସୁନ୍ଦରଗଡ଼ ଶିକ୍ଷା ଜିଲ୍ଲାରେ ୨୨୧ଟି କ୍ଲଷ୍ଟର୍ ରହିଛି। ପ୍ରତ୍ୟେକ କ୍ଲଷ୍ଟର୍ସ୍ତରୀୟ ସୁରଭି ମହୋତ୍ସବ ପାଇଁ ୫ ହଜାର ଟଙ୍କା ଲେଖାଏ ହିସାବରେ ୧୧ ଲକ୍ଷ ୫ ହଜାର ଟଙ୍କା, ବ୍ଲକସ୍ତରୀୟ ମହୋତ୍ସବ ପାଇଁ ପ୍ରତ୍ୟେକ ବ୍ଲକକୁ ୨୫ ହଜାର ଟଙ୍କା ହିସାବରେ ୧୭ଟି ବ୍ଲକକୁ ୪.୨୫ ଲକ୍ଷ ଟଙ୍କା ଓ ଜିଲ୍ଲାସ୍ତରୀୟ ମହୋତ୍ସବ ପାଇଁ ୨ ଲକ୍ଷ ଟଙ୍କା ଅନୁମୋଦିତ ହୋଇଛି। ଏହା ସତ୍ତ୍ବେ ବ୍ଲକ୍ସ୍ତରୀୟ ଅଧିକାରୀମାନେ ଚାନ୍ଦା ଦେବାକୁ ବିଦ୍ୟାଳୟ ଗୁଡ଼ିକ ଉପରେ ଚାପ ପକାଉଥିବା ନାମ ପ୍ରକାଶ ନକରିବା ସର୍ତ୍ତରେ ଏକାଧିକ ପ୍ରଧାନ ଶିକ୍ଷକ ଅଭିଯୋଗ କରିଛନ୍ତି। ତେବେ ବ୍ଲକ୍ସ୍ତରୀୟ କାର୍ଯ୍ୟକ୍ରମ ପାଇଁ ୨୫ ହଜାର ଟଙ୍କା ନିଅଣ୍ଟ ହେଉଥିବା କିଛି ବ୍ଲକ୍ସ୍ତରୀୟ ଅଧିକାରୀ ସଫେଇ ଦେଇଛନ୍ତି। ଜିଲ୍ଲାର ଅଧିକାଂଶ ବ୍ଲକ୍ରେ ଏହା ଅଲିଖିତ ନିୟମ ପାଲଟିଛି।
୧୮ ତାରିଖ ବୁଧବାର ପୁରୁଣାପାଣି ହାଇସ୍କୁଲରେ ନୂଆଗାଁ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆୟୋଜନ ପାଇଁ ସ୍ଥିର କରାଯାଇଛି। ଏହି ଉତ୍ସବ ପାଇଁ ବିଭିନ୍ନ ସ୍କୁଲଠାରୁ ଚାନ୍ଦା ଆଦାୟ କରାଯାଇଥିବା ଅଭିଯୋଗ ହୋଇଛି। ନୂଆଗାଁ ବ୍ଲକରେ ମୋଟ ୧୫୯ଟି ବିଦ୍ୟାଳୟ ରହିଛି। ଏଥିମଧ୍ୟରୁ ୨୪ଟି ଛାତ୍ରାବାସ ଥିବା ସ୍କୁଲ ରହିଛି। ବିଭିନ୍ନ ବର୍ଗର ସ୍କୁଲ ପାଇଁ ଭିନ୍ନଭିନ୍ନ ପରିମାଣର ଚାନ୍ଦା ନିର୍ଦ୍ଧାରିତ କରାଯାଇଛି। ଅଭିଯୋଗ ଅନୁସାରେ, ୪୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ସ୍କୁଲ ପାଇଁ ୧୫୦୦ ଟଙ୍କା ଲେଖାଏ ଆଦାୟ କରାଯାଉଥିବାବେଳେ ଶହେ ଶଯ୍ୟା ବିଶିଷ୍ଟ ହଷ୍ଟେଲ ସ୍କୁଲ ପାଇଁ ୩ ହଜାର ଟଙ୍କା ଓ ଶହେରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଥିବା ସମସ୍ତ ବିଦ୍ୟାଳୟରୁ ଦେଢ଼ହଜାର ଟଙ୍କା ଚାନ୍ଦା ବାଧ୍ୟତାମୂଳକ କରାଯାଇଛି। ୧୦୦ରୁ କମ୍ ପିଲା ଥିବା ସ୍କୁଲ୍ ପାଇଁ ହଜାରେ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ଚାନ୍ଦା ପରିମାଣ ଧାର୍ଯ୍ୟ କରିବାକୁ କିଛି ଦିନ ପୂର୍ବେ ସିଆର୍ସିସି ଓ କେତେକ ପ୍ରଧାନଶିକ୍ଷକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଗୋଷ୍ଠି ଶିକ୍ଷାଧିକାରୀ ଅନୁପସ୍ଥିତ ଥିଲେ, କିନ୍ତୁ ତାଙ୍କ ତଳେ ଥିବା ଅନ୍ୟ ଦୁଇଜଣ ଅଧିକାରୀ ଉପସ୍ଥିତ ରହି ଦର ଧାର୍ଯ୍ୟ କରିଥିଲେ। ଏ ସଂପର୍କରେ ନୂଆଗାଁ ଗୋଷ୍ଠି ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ପଚାରିବାରୁ ସେ ଏ ସଂପର୍କରେ ଅବଗତ ନଥିବା କହିଥିଲେ। ତେବେ କେବଳ ନୂଆଗାଁ ନୁହେଁ, ସବୁ ବ୍ଲକ୍ରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସ୍କୁଲ୍ ଗୁଡ଼ିକର ଆର୍ଥିକ ସହଯୋଗ ନିଆଯାଉଛି ବୋଲି ଅନ୍ୟ ଜଣେ ଅଧିକାରୀ କହିଥିଲେ।