ନକଲି ମାଓବାଦୀ ନାଁରେ ଟଙ୍କା ଆଦାୟ, ପିଇଓ ସମେତ ୨ ଗିରଫ

୩ ମୋବାଇଲ ଓ ସିମକାର୍ଡ, ଗୋଟିଏ ବାଇକ, ୧ ଲକ୍ଷ ଟଙ୍କା ଜବତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପୁଲିସ ଫାଶରେ ୨ ନକଲି ମାଓବାଦୀ ଧରା ପଡ଼ିବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳି ଯାଇଛି। ସେମାନଙ୍କଠାରୁ ୩ଟି ମୋବାଇଲ ଓ ସିମକାର୍ଡ, ଗୋଟିଏ ବାଇକ ଏବଂ ୧ ଲକ୍ଷ ଟଙ୍କା ଜବତ କରିବା ସହିତ ୨ ନକଲି ମାଓବାଦୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏହି ଘଟଣାରେ ଗିରଫ ହେବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଘଣ୍ଟିଗୁଡା ଗ୍ରାମର ହମରାଜ ନାଏକ, ଥୁଆମୂଳ ରାମପୁର ବ୍ଲକ୍‌ର ମହୁଲପାଟଣା ଓ ପାଡେପଦର ପଞ୍ଚାୟତରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି। ଗତ ୬ ତାରିଖରେ ଜଣେ ଅଜଣା ଲୋକ ନିଜକୁ ମାଓବାଦୀ ପରିଚୟ ଦେଇ ହମରାଜକୁ ୨ ଲକ୍ଷ ଟଙ୍କା ବଟି ଦେବା ପାଇଁ ଧମକ ଦେଇଥିଲା। ଟଙ୍କା ନଦେଲେ ତାକୁ ଓ ତା’ ପରିବାରକୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲା। ପୁର୍ନବାର ଗତକାଲି ହମରାଜଙ୍କୁ ୨ ଲକ୍ଷ ଟଙ୍କା ତୁରନ୍ତ ଦେବା ପାଇଁ ଧମକ ଦେଇଥିଲା।

ଏନେଇ ହମରାଜ ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। କଥାବାର୍ତ୍ତା ଅନୁଯାୟୀ ବ୍ୟାଗରେ ଲକ୍ଷେ ଟଙ୍କା ନେଇ ନକଲି ମାଓବାଦୀକୁ ହସ୍ତାନ୍ତର କରିଥିଲେ। ନକଲି ମାଓବାଦୀର ମୋବାଇଲକୁ ଟ୍ରାକ୍‌ କରି ପୁଲିସ ଉଦ୍ଧବ ନାଏକଙ୍କୁ କାବୁ କରି ନେଇଥିଲା। ଉଦ୍ଧବ ଗତ ୩ବର୍ଷ ଧରି ଭବାନୀପାଟଣା ଟାଉନ ଥାନା, ଥୁଆମୂଳ ରାମପୁର ଥାନା, ଭବାନୀପାଟଣା ସଦର ଥାନା, ଜୟପାଟଣା ଥାନା, ନର୍ଲା ଥାନା ଅଞ୍ଚଳରେ ନକଲି ମାଓବାଦୀ ସାଜି ବ୍ୟବସାୟୀ, ସରକାରୀ କର୍ମଚାରୀ, ଠିକାଦାର, ରାଜନେତାମାନଙ୍କୁ ମୋଟା ରକମର ଅର୍ଥ ଆଦାୟ କରି ଆସୁଥିବା ପୁଲିସ ପାଖରେ ସ୍ବୀକାର କରିଛି। ଏନେଇ ଏହି ଥାନା ଗୁଡିକରେ ପୂର୍ବରୁ ମାମଲା ମଧ୍ୟ ରୁଜୁ ହୋଇଛି। ଉଦ୍ଧବଙ୍କୁ ଜେରା ବେଳେ ତାକୁ ଥୁଆମୂଳ ରାମପୁର ବ୍ଲକ୍‌ର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଜରାସନ୍ଧ ସିନ୍ଦୁର ସହଯୋଗ କରିଥିବା ଜଣାପଡ଼ିଛି।

ଜରାସନ୍ଧ ବିଭିନ୍ନ ଲୋକମାନଙ୍କ ମୋବାଇଲ ନମ୍ବର ଓ ବିଭିନ୍ନ ଲୋକମାନଙ୍କ ପାଖରେ ଟଙ୍କା ଥିବାର ସୂଚନା ଦେଇ ଆସୁଥିଲା। ଏହି ଘଟଣାରେ ଥୁଆମୂଳ ରାମପୁର ଥାନାରେ ଏକ ମାମଲା ରୁଜୁ ହୋଇ ଉଦ୍ଧବ ଓ ଜରାସନ୍ଧଙ୍କୁ ପୁଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ୩ଟି ମୋବାଇଲ, ଗୋଟିଏ ପକେଟ ଡାଏରୀ, ବ୍ୟାଗ ସହ ୧ ଲକ୍ଷ ଟଙ୍କା, ବାଇକ (ଓଡି୦୮-ଏଚ-୭୯୯୩) ପୁଲିସ ଜବତ କରିଛି। ଉଦ୍ଧବଙ୍କ ଘର ବିଜେପୁର ଥାନା ଅନ୍ତର୍ଗତ ଜଳକ୍ରୀଡା ଗ୍ରାମର ହୋଇଥିବା ବେଳେ ଜରାସନ୍ଧଙ୍କ ଘର କେଗାଁ ଥାନା ଅନ୍ତର୍ଗତ ମାଦିଗୁଡା ଅଟେ।

ସମ୍ବନ୍ଧିତ ଖବର