ଭୁବନେଶ୍ୱର : ଓଡ଼ିଶା ଷ୍ଟାଫ୍ ସିଲେକ୍ସନ ଦ୍ୱାରା ହୋଇଥିବା ଜେଇ ସିଭିଲ ମେନ୍ ପରୀକ୍ଷାରେ ପ୍ରଶ୍ନପତ୍ର ପରୀକ୍ଷା ଆଗରୁ ପ୍ରଘଟ ହୋଇଥିବା କଥା ପ୍ରମାଣିତ କରୁଛି ଯେ ଓଡ଼ିଶାରେ ସରକାରୀ ନିଯୁକ୍ତିରେ ‘ମନି ଫର୍ ଜବ୍’ ରୢାକେଟ୍ କାମ କରୁଛି। ଏହି ଅପରାଧିକ ଘଟଣାରେ କେବଳ କିଛି ଦଲାଲଙ୍କୁ ଗିରଫ କରାଯାଇଛି। ବାଲେଶ୍ୱର ଜିଲ୍ଲା ଏସ୍ପିଙ୍କ ବୟାନ ପ୍ରମାଣ କରିସାରିଲାଣି ଯେ, ଦଲାଲମାନେ ପରୀକ୍ଷା ଆଗରୁ ଅସଲି ପ୍ରଶ୍ନ ପତ୍ର ପାଇଥିଲେ। ଏବେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ ସେହି ପରୀକ୍ଷା ବାତିଲ କରିଛନ୍ତି। କିନ୍ତୁ ସେହି ଦଲାଲମାନେ କିଭଳି ଆଗୁଆ ପ୍ରଶ୍ନ ପତ୍ର ପାଇଲେ? ସେମାନଙ୍କୁ ସରକାରଙ୍କର କେଉଁ ବଡ଼ବଡ଼ିଆ ଅଧିକାରୀମାନେ ପ୍ରଶ୍ନ ପତ୍ର ଯୋଗାଇଥିଲେ? ଏହା ଉପରେ କାହିଁକି ତଦନ୍ତ ହେଉନାହିଁ। ବିନା ସରକାରୀ ସମ୍ପୃକ୍ତିରେ ଏହା ସମ୍ଭବ ହେବ କି ? କେବଳ ଦଲାଲ ମାନେ ଗିରଫ ହେଲେ କିନ୍ତୁ କାହିଁକି ଓଡ଼ିଶା ଷ୍ଟାଫ୍ ସିଲେକ୍ସନର କୌଣସି ଅଧିକାରୀ, କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ ବୋଲି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ କହିଛନ୍ତି।
ଶ୍ରୀ ବିଶ୍ବାଳ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ ଆଜି ଓଡ଼ିଶାରେ ଓପିଏସ୍ସି, ଓଏସ୍ଏସ୍ସି, ଓଏସ୍ଏସ୍ଏସ୍ସି ପରିଚାଳନା କରୁଥିବା ସମସ୍ତ ସରକାରୀ ନିଯୁକ୍ତିରେ ଅନିୟମିତତା ଦେଖାଦେଉଥିବାବେଳେ ପ୍ରଶ୍ନପତ୍ର ଖୋଲା ବଜାରରେ ନିଲାମ ହେବା ଭଳି ଘଟଣା ସାମ୍ନାକୁ ଆସୁଛି। ‘ନବୀନ ଓଡ଼ିଶା’ରେ ପଇସା ନେଇ ସରକାରୀ ଚାକିରି ବିକ୍ରି କରାଯାଏ ବୋଲି ଓଡ଼ିଶାର ଲକ୍ଷଲକ୍ଷ ଚାକିରି ଆଶାୟୀ ଯୁବକଯୁବତୀ ଭାବିବା ପାଇଁ ବାଧ୍ୟ ହେଲେଣି।
ଏହାସହ ସେ କହିଛନ୍ତି ଯେ ଯଦି ପରୀକ୍ଷା ହେବାର ୬ ଦିନ ଆଗରୁ ‘୧୦ ଲକ୍ଷ ଟଙ୍କା ଦିଅ ପ୍ରଶ୍ନ ପତ୍ର ନିଅ’ ବୋଲି ଅଭିଯୋଗ ଆସିଥିଲା ତାହେଲେ ସେହି ପରୀକ୍ଷାକୁ କେଉଁ ପରିସ୍ଥିତିରେ କରିବା ପାଇଁ ଦିଆଗଲା ତାହା ତଦନ୍ତ ସାପେକ୍ଷ୍ୟ। ଏହି ପୂରା ଘଟଣାରେ ଯେଉଁମାନେ ଗିରଫ ହୋଇଛନ୍ତି ଯଥା ମହମ୍ମଦ ସିଦ୍ଦିକ, ମୁସ୍ତାକିକ ଖାଁ, କମିରୁଦ୍ଦିନ, ଭିଜେନ୍ଦ୍ର କୁମାର, ରାଜ କୁମାର ଏମାନେ ସମସ୍ତେ ହେଉଛନ୍ତି ରାଜ୍ୟ ବାହାରର ଲୋକ। ସେମାନଙ୍କ ପାଖକୁ ଠିକ୍ ପ୍ରଶ୍ନ ପତ୍ର ଗଲା କିପରି? ଏହି ପୂରା କେଳେଙ୍କାରୀରେ ନିଶ୍ଚିତ ଭାବେ ସରକାରୀ ଅଧିକାରୀ ଓ ଶାସକ ଦଳର ଏକ ଗୋଷ୍ଠୀର କିଛି ନେତାଙ୍କର ସମ୍ପୃକ୍ତି ରହିଛି।
ଅଭିଯୋଗ ହେଉଛି ଯେ ଓଡ଼ିଶା ଷ୍ଟାଫ ସିଲେକ୍ସନର ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା ସଂସ୍ଥା, ପ୍ରଶ୍ନପତ୍ର ଛପାଉଥିବା ସଂସ୍ଥା, ଆବେଦନରୁ ମେରିଟ ଲିଷ୍ଟ ବାହାରିବା ପର୍ଯ୍ୟନ୍ତ ପରିଚାଳନା ହେଉଥିବା ସଫ୍ଟୱେୟାର କମ୍ପାନି ସବୁ ଅଣଓଡ଼ିଆ ସଂସ୍ଥା। ସେହି ସଂସ୍ଥାଗୁଡ଼ିକ ସହ ରାଜ୍ୟ ସରକାରଙ୍କ ମଧୁଚନ୍ଦ୍ରିକାରେ ଆଜି ଓଡ଼ିଶାର ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ଚାକିରୀକୁ ଦଣ୍ଡିଆ ଦଲାଲଙ୍କ ମାଧ୍ୟମରେ ବଜାରରେ ବିକ୍ରି କରାଯାଉଛି।
ଅପରପକ୍ଷେ ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଓପିଏସ୍ସି, ଓଏସ୍ଏସ୍ସି, ଓଏସ୍ଏସ୍ଏସ୍ସି ଭଳି ସଂସ୍ଥା ଅଛନ୍ତି। ନିଯୁକ୍ତିରେ ଦୁର୍ନୀତିକୁ ରୋକିବାର କାମ ହେଉଛି ରାଜ୍ୟ ପୁଲିସର। ଯାହା ଗୃହ ବିଭାଗ ଅଧୀନରେ ଆସୁଛି। ଦୁଇଟି ଯାକ ବିଭାଗର କ୍ୟାବିନେଟ ମନ୍ତ୍ରୀ ହେଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ। ତେଣୁ ଏସବୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଦାୟୀ କରାଯିବନି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।