କଟକ: ବ୍ୟାଙ୍କ କ୍ରେଡିଟ୍ କାର୍ଡ କିମ୍ବା ଡେବିଟ୍ କାର୍ଡର କଣ୍ଟାକ୍ଟଲେସ୍ ବ୍ୟବସ୍ଥା ଏବେ ଗ୍ରାହକଙ୍କ ପାଇଁ କାଳ ହୋଇଛି। ସାଇବର ଅପରାଧୀ ଏହାକୁ ଅସ୍ତ୍ର କରି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରି ଦେଉଥିବା ବେଳେ ପୁଲିସ ପାଇଁ ତାହା ଚିନ୍ତାର କାରଣ ହୋଇଛି। ଏଭଳି ସୁବିଧା ସହିତ କାର୍ଡରେ ଇଣ୍ଟରନ୍ୟାସନାଲ୍ ଟ୍ରାନଜାକ୍ସନ (ଅନ୍ତର୍ଜାତୀୟ କାରବାର) ସକ୍ରିୟ ଥିଲେ ସାଇବର୍ ଅପରାଧୀ ବିନା କୌଣସି ଓଟିପି କିମ୍ବା ପିନ୍ କୋଡ୍ରେ ବ୍ୟାଙ୍କ ଆକାଉଣ୍ଟ ଖାଲି କରି ଦେଉଛନ୍ତି। ଗ୍ରାହକଙ୍କ ସହଜ ଅର୍ଥ କାରବାର ପାଇଁ ଯଦିଓ ଏ ପ୍ରକାର ବ୍ୟବସ୍ଥା କାର୍ଡରେ ଯୋଡ଼ି ହୋଇଛି, କିନ୍ତୁ ନିଜ ପିନ୍ କୋଡ୍କୁ ଯେତେ ଗୋପନ ରଖିଲେ ବି ଏହି ଧରଣର କାର୍ଡରେ ଟଙ୍କା ଗାଏବ୍ ହେବା ଭଳି ଘଟଣା ସାମନାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ସାଇବର୍ ଅପରାଧ ସେଲ୍ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି।
ସୂଚନା ଅନୁଯାୟୀ, ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡରେ ଇଣ୍ଟରନ୍ୟାସନାଲ ଉଲ୍ଲେଖ ଥିଲେ ଏ ପ୍ରକାର କାର୍ଡ ମାଧ୍ୟମରେ ଗ୍ରାହକ ବିଦେଶରେ ବି ଅର୍ଥ କାରବାର କରିପାରିବେ। କୌଣସି ସାମଗ୍ରୀ କିଣି ପାରିବେ। ଓଡ଼ିଶାରେ ରହି ମଧ୍ୟ https://www.amazon.com/, https://www.alibaba.com/ ଭଳି ବିଦେଶୀ ୱେବସାଇଟରୁ ସାମଗ୍ରୀ କିଣାକିଣି କରିପାରିବେ। କିନ୍ତୁ ଏ ଧରଣର କାର୍ଡକୁ ଅସ୍ତ୍ର କରି ବିନା କୌଣସି ଓଟିପିରେ ସାଇବର୍ ଅପରାଧୀ ବିଦେଶୀ ୱେବସାଇଟରୁ ଦାମୀ ସାମଗ୍ରୀ କିଣି ଟଙ୍କା ଲୁଟି ନେଉଛନ୍ତି। ସାଧାରଣତଃ ଭାରତୀୟ ଡୋମେନ୍(.ଇନ)ରେ ଥିବା ୱେବସାଇଟରୁ କୌଣସି ସାମଗ୍ରୀ କିଣିବା ସମୟରେ ଓଟିପି ମାଗିଥାଏ। କିନ୍ତୁ ବିଦେଶୀ ୱେବସାଇଟରେ ଇଣ୍ଟରନ୍ୟାସନାଲ୍ କାର୍ଡରେ ସାମଗ୍ରୀ କିଣିବା ସମୟରେ କୌଣସି ଓଟିପି ମାଗୁନାହିଁ। ଏ ଧରଣର କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡର ଫଟୋ ଉଠାଇ ମୋବାଇଲ୍ ଗ୍ୟାଲେରିରେ ରଖିବା ବି ବିପଦଜନକ। ଫୋନରେ ଗୁଗୁଲ ପ୍ଲେ ଷ୍ଟୋର ମାଧ୍ୟମରେ ଡାଉନଲୋଡ୍ ହେଉଥିବା ସମସ୍ତ ଆପ୍ଲିକେସନ୍ ଇନଷ୍ଟଲ୍ ସମୟରେ ଗ୍ୟାଲେରିର ଆକ୍ସେସ୍ ମାଗିଥାଏ। ତେଣୁ ମାଲୱେୟାର୍ ଆପ୍ଲିକେସନ୍ ମାଧ୍ୟମରେ ଗ୍ୟାଲେରିରେ ଥିବା ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡର ତଥ୍ୟ ଚୋରି କରି ନେଉଛନ୍ତି ସାଇବର୍ ଅପରାଧୀ। ଏହାପରେ ବିନା ଓଟିପିରେ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯାଉଛି। ତେଣୁ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡରେ ଥିବା ଇଣ୍ଟରନ୍ୟାସନାଲ୍ ଟ୍ରାନଜାକ୍ସନ ବ୍ୟବହାରକୁ ତୁରନ୍ତ ବନ୍ଦ କରିବା ଆବଶ୍ୟକ ବୋଲି ଜଣେ ସାଇବର୍ ପୁଲିସ ଅଧିକାରୀ ମତ ରଖିଛନ୍ତି। ନେଟ୍ ବ୍ୟାଙ୍କିଂ, କଲ୍ ସେଣ୍ଟର କିମ୍ବା ବ୍ୟାଙ୍କକୁ ଯାଇ ଏଭଳି ବ୍ୟବସ୍ଥା ବନ୍ଦ କରାଯାଇପାରିବ।
ଅନ୍ୟପଟେ ବର୍ତ୍ତମାନର ନୂଆ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡରେ କଣ୍ଟାକ୍ଟଲେସ୍ ସୁବିଧା ରହୁଛି। କାର୍ଡ ଉପରେ ଵାଇଫାଇ ଚିହ୍ନ ରହିଥିବା ଦେଖିବାକୁ ମିଳୁଛି। ତେବେ ଏ ଧରଣର କାର୍ଡରୁ ଯେତେବେଳେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ ସ୍ବାପିଂ ମେସିନରେ ଏହାକୁ ଘଷିବାର ଆବଶ୍ୟକତା ନାହିଁ କି କୌଣସି ପିନ୍ କୋଡ୍ ଦେବାକୁ ପଡ଼ିବ ନାହିଁ। କେବଳ ସ୍ବାପିଂ ମେସିନ ଆଖପାଖକୁ ଆସିଲେ ଆପଣାଛାଏ ଟଙ୍କା ବ୍ୟାଙ୍କ ଆକାଉଣ୍ଟରୁ କଟିଯିବ। ଏଭଳି କାର୍ଡ ହଜିଗଲେ କିମ୍ବା ଚୋରି ହୋଇଗଲେ ସାଇବର ଅପରାଧୀ ସ୍ବାପିଂ ମେସିନ୍ ମାଧ୍ୟମରେ ମଧ୍ୟ ଟଙ୍କା ଉଠାଇ ନେଉଛନ୍ତି। ଏହି କଣ୍ଟାକ୍ଟଲେସ୍ ବ୍ୟବସ୍ଥା ମଧ୍ୟ ବ୍ୟାଙ୍କ ମାଧ୍ୟମରେ ବନ୍ଦ କରିବା ନିହାତି ଆବଶ୍ୟକ ବୋଲି ସାଇବର୍ ଅଧିକାରୀ ମତ ରଖିଛନ୍ତି। ଏଭଳି ଦୁଇଟି ପ୍ରକାର କାର୍ଡରେ ଠକେଇ ଅଭିଯୋଗ ସାମନାକୁ ଆସିବା ଆରମ୍ଭ କରିଥିବାରୁ ଏଥିପ୍ରତି ସତର୍କ ରହିବା ନିହାତି ଆବଶ୍ୟକ ବୋଲି ଜଣେ ବରିଷ୍ଠ ସାଇବର୍ ପୁଲିସ ଅଧିକାରୀ ପରାମର୍ଶ ଦେଇଛନ୍ତି।
ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁ କହିଛନ୍ତି ଯେ ଡେବିଟ୍ କାର୍ଡରେ ଥିବା ସିଭିଭି ନମ୍ବର କାର୍ଡରୁ ଲିଭାଇ ଦେବା ସବୁଠାରୁ ଅଧିକ ସୁରକ୍ଷିତ। ଏହାକୁ ମନେ ରଖିବା ଉଚିତ। କାର୍ଡର ଫଟୋ ଉଠାଇ ଏହାକୁ ମୋବାଇଲ୍ ଗ୍ୟାଲେରିରେ ରଖିବା ଆଦୌ ସୁରକ୍ଷିତ ନୁହେଁ। ଏହାକୁ ଗୁଗୁଲ ଡ୍ରାଇଭ୍ କିମ୍ବା ଭାରତ ସରକାରଙ୍କ ଡିଜି ଲକରରେ ରଖିବା ସବୁଠାରୁ ସୁରକ୍ଷିତ। ମୋବାଇଲ୍ ଗ୍ୟାଲେରିରେ ରହିଲେ ଏହାକୁ ମାଲୱେୟାର ଆପ୍ଲିକେସନ୍ ମାଧ୍ୟମରେ ଚୋରି ହେବାର ଯଥେଷ୍ଟ ଆଶଙ୍କା ରହୁଛି। ସେହିଭଳି କଣ୍ଟାକ୍ଟଲେସ୍ ଓ ଇଣ୍ଟରନ୍ୟାସନାଲ୍ ଟ୍ରାନଜାକ୍ସନ ବ୍ୟବସ୍ଥା ମଧ୍ୟ ଗ୍ରାହକଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଥିବା ଶ୍ରୀ ସାହୁ ମତ ରଖିଛନ୍ତି।