ବାଲେଶ୍ବର: ଫକୀରମୋହନଙ୍କ ସାଧନାପୀଠ ଶାନ୍ତିକାନନକୁ ବାଲେଶ୍ବର ପୌରପାଳିକା ପକ୍ଷରୁ ବିଭିନ୍ନ ସମୟରେ ଲକ୍ଷଲକ୍ଷ ଖର୍ଚ୍ଚ କରାଯାଇ ଉନ୍ନତୀକରଣ କରାଯାଇଛି। ହେଲେ ପୌର କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ ଶାନ୍ତିକାନନ ଏବେ ଶ୍ରୀହୀନ ହୋଇପଡ଼ିଛି।
ସୂଚନା ଥାଉକି, ଅମୃତ ଯୋଜନାରେ ଏହି ପାର୍କର ଉନ୍ନତୀକରଣ କରାଯାଇଥିଲା। ପୋଖରୀ ଚାରିପାଖରେ ପଥର ପ୍ୟାଚିଂ କରାଯିବା ସହ ପାର୍କରେ ବିଭିନ୍ନ ପ୍ରକାର ଗଛ, ଜିମ୍ ଉପକରଣ, ଛୋଟ ଛୋଟ ପିଲାମାନଙ୍କ ପାଇଁ ଖେଳକୁଦର ବ୍ୟବସ୍ଥା କରାଯାଇଥିଲା। ସେହିପରି ପାର୍କ ପାଚେରୀକୁ ଲାଗି ଚାରିପଟେ ପାଦଚଲା ରାସ୍ତା ମଧ୍ୟ କରାଯାଇଥିଲା। ଏହା ପେର ଏଠାରେ ୨ଟି ବର୍ଷା ଜଳ ଅମଳ ପ୍ରକଳ୍ପ ଓ ପୋଖରୀ ଭିତରେ ରଙ୍ଗୀନ ଆଲୋକ ସହ ଜଳଫୁଆରା ଲଗା ଯାଇଥିଲା। ଏଠାରେ ପ୍ରଶ୍ନ ଉଠୁଛି, ଏହି ପାର୍କ ପାଇଁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକଳ୍ପ ସ୍ଥାପନ କରାଯାଇଥିବା ବେଳେ ପୌର କର୍ତ୍ତୃପକ୍ଷ ତା’ର ରକ୍ଷଣାବେକ୍ଷଣ କାହିଁକି କରୁନାହାନ୍ତି। ଶାନ୍ତିକାନନ ପରିସର ପୋଖରୀ ଭିତରେ ଗତ ସେପ୍ଟେମ୍ବର ମାସ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଜଳଫୁଆରା ଲଗାଯାଇଥିଲା। ହେଲେ ଗୋଟିଏ ମାସ ପରେ ଏହାକୁ ବନ୍ଦ କରିଦିଆଗଲା। ଏବେ ବୁଝିବାରୁ ତାହା ଅଚଳ ହୋଇଯାଇଥିବା କୁହାଯାଇଛି। ଜଳ ଅମଳ ପ୍ରକଳ୍ପ ପାଇଁ ୨ଟି ପିଟ୍ ସ୍ଥାପନ କରାଯାଇଥିବା ବେଳେ ତାହା କାମରେ ନଆସୁଣୁ ମାଟିରେ ମିଶିଗଲାଣି।
ଛୋଟ ଛୋଟ ପିଲାଙ୍କ ଖେଳକୁଦ ପାଇଁ ବିଭିନ୍ନ ଖେଳ ସାମଗ୍ରୀ ଏବଂ ବଡ଼ ଲୋକଙ୍କ ପାଇଁ ଜିମ୍ ଉପକରଣଗୁଡ଼ିକ ଭାଙ୍ଗିରୁଜି ଯାଇଥିବା ବେଳେ ସେଗୁଡ଼ିକୁ ଆଉ ସଜାଡ଼ୁ ନାହାନ୍ତି। ପାର୍କକୁ ବୁଲି ଆସୁଥିବା ଲୋକଙ୍କ ପାଇଁ ବିଭିନ୍ନ ସ୍ଥାନରେ ବେଞ୍ଚ ପଡ଼ିଛି, ହେଲେ ସେଗୁଡ଼ିକ ଅପରିଷ୍କାର ହୋଇ ନଷ୍ଟ ହେବାକୁ ବସିଲାଣି। ସେହିପରି ପୋଖରୀ ଓ ପାର୍କ ନିୟମିତ ସଫା କରାଯାଉନାହିଁ। ଯୁଆଡ଼େ ଦେଖିଲେ ଶୁଖିଲା ପତ୍ର, କାଠି ଆଦି ଭର୍ତ୍ତି ହୋଇଛି। ଘାସ ଗାଲିଚା ଓ ଫୁଲଗଛଗୁଡ଼ିକ ମଧ୍ୟ ଶୁଖିଗଲାଣି।
ବାଲେଶ୍ବର ସହରରେ ଲୋକଙ୍କ ଅବସର ବିନୋଦନ ପାଇଁ ଆବଶ୍ୟକ ପାର୍କ ନଥିବା ବେଳେ ଶାନ୍ତିକାନନ ପ୍ରତି ପୌର କର୍ତ୍ତୃପକ୍ଷ ଆଦୌ ଦୃଷ୍ଟି ଦେଉନାହାନ୍ତି। ଅଧିକାଂଶ ଲୋକ ପାର୍କକୁ ଅପରାହ୍ନ କିମ୍ବା ସଂଧ୍ୟା ସମୟରେ ଆସୁଥିବା ବେଳେ ପାର୍କରେ ବିଦ୍ୟୁତ୍ ବ୍ୟବସ୍ଥା ଅଚଳ ହୋଇ ପଡ଼ିଥିବାରୁ ସଂଧ୍ୟା ୬ଟାରୁ ଗେଟ୍ରେ ତାଲା ମାରିଦିଆଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ପାର୍କ ପରିଚାଳନା ଦାୟିତ୍ବରେ ଥିବା ପୌର ଅଧିକାରୀ କେବେ କେମିତି ମନେ ପଡ଼ିଲେ ଏଠାକୁ ଆସିଥା’ନ୍ତି ବୋଲି ଅଭିଯୋଗ ହୋଇଛି। କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସହରବାସୀ ଦାବି କରିଛନ୍ତି।