ଶୀଲା ଟାୱାରରୁ ଟଙ୍କା ଚୋରି ମାମଲା: ୪ କର୍ମଚାରୀ ଗିରଫ, ୩୨.୧୦ ଲକ୍ଷ ଟଙ୍କା ଜବତ

ସମ୍ବଲପୁର: ସମ୍ବଲପୁର ପୁଲିସ୍ ତତ୍ପରତା ଯୋଗୁ ହୋଟେଲ୍ ଶୀଲା ଟାୱାର୍‌ରୁ ଚୋରି ଘଟଣା ପର୍ଦାଫାଶ ହୋଇଛି। ଚୋରି ମାମଲାରେ ହୋଟେଲ ଶୀଲା ଟାୱାରର ୩ ଜଣ କର୍ମଚାରୀ ଓ ଜଣେ ପୂର୍ବତନ କର୍ମଚାରୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୩୨ ଲକ୍ଷ ୧୦ ହଜାର ଟଙ୍କା ଜବତ କରିଛି। ତେବେ, ବାକି ୬ ଲକ୍ଷ ୯୦ ହଜାର ଟଙ୍କା ସଂପର୍କରେ ପୁଲିସକୁ ଏପର୍ଯ୍ୟନ୍ତ ସନ୍ଧାନ ମିଳି ପାରି ନାହିଁ।

ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିନଳୀରେ ଏସ୍‌ପି ବି. ଗଂଗାଧର କହିଲେ, ଗତ ୧୫ ତାରିଖ ରାତିରେ ସମ୍ବଲପୁର ଭିଏସ୍‌ଏସ୍ ମାର୍ଗରେ ଥିବା ହୋଟେଲ୍ ଶୀଲା ଟାୱାର୍‌ ଚତୁର୍ଥ ମହଲାରେ ଥିବା ଅଫିସ ପ୍ରକ‌ୋଷ୍ଠରୁ ନଗଦ ୩୯ ଲକ୍ଷ ଟଙ୍କା ଚୋରି ହୋଇଥିଲା। ହୋଟେଲ ମାଲିକଙ୍କ ହୋଟେଲ, ନିର୍ମାଣ କଂପାନି ସହିତ ଅନ୍ୟାନ୍ୟ ବ୍ୟବସାୟ ମଧ୍ୟ ରହିଛି। ସେସବୁ ବାବଦ ଟଙ୍କା ସେ ହୋଟେଲରେ ଏକାଠି ରଖିଥିଲେ। ଦେବଗଡ଼ ଜିଲ୍ଲା ରିଆମାଲ ବ୍ଲକ ବନାକାଲୋ ଗାଁ ନିବାସୀ ରାକେଶ ଓରଫ ଦିଲେଶ୍ବର ବେହେରା ହେଉଛି ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତି। ରାକେଶ ଏବେ ସମ୍ବଲପୁର ବାଲିବନ୍ଧାରେ ରହୁଛି। ଆଗରୁ ଶୀଲା ଟାୱାରର ବାର୍‌ରେ କାମ କରୁଥିଲା। କୌଣସି କାରଣରୁ ସେ ଦେଢ଼ ମାସ ତଳେ କାମ ଛାଡ଼ି ଦେଇଥିଲା। ତେବେ‌, ପ୍ରାୟ ୪ ଦିନ ତଳେ ହୋଟେଲର ସହକାରୀ ରୋଷେୟା ମାନସ ପ୍ରଧାନ, ୱେଟର ଯୋଗେଶ୍ବର ବେହେରା, ରେସ୍‌ପସନିଷ୍ଟ ଗୋବିନ୍ଦ ମଲ୍ଲିକଙ୍କ ସହିତ ଯୋଗାଯୋଗ କରି ଟଙ୍କା ଚୋରି ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ଘଟଣା ଦିନ ରାତିରେ ରାକେଶ ମରାମତି ପାଇଁ ହୋଟେଲ ପଛପଟେ କାନ୍ଥରେ ଲାଗିଥିବା ବାଉଁଶ ଷ୍ଟ୍ରକ୍ଚର ଦେଇ ହୋଟେଲକୁ ପ୍ରବେଶ କରିଥିଲା।

ଚତୁର୍ଥ ମହଲାର ସିସିଟିଭି ଚାଲୁନଥିବାରୁ ତାକୁ ଚୋରି କରିବା ସହଯୋଗ ହୋଇଥିଲା। ଅଫିସ ପ୍ର‌କୋଷ୍ଠକୁ ଆସି ଆଲମାରୀ ଭାଂଗି ସେ ୩୯ ଲକ୍ଷ ଟଙ୍କା ନେଇଯାଇଥିଲେ। ପୂର୍ବ ଯୋଜନା ମୁତାବକ ଅନ୍ୟ ଅଭିଯୁକ୍ତମାନ‌େ ରୋଷେୟ ଘର ପଛପଟ ଦ୍ବାର ଖୋଲା ରଖିଥିବାରୁ ସେହି ବାଟ ଦେଇ ସେ ଚମ୍ପଟ ମାରିଥିଲା। ରାକେଶ ରାତିରାତି ଦେବଗଡ଼ ଜିଲ୍ଲାରେ ଥିବା ତାର ପୈତୃକ ଗାଁ ବନାକାଲୋକୁ ଯାଇ ଟଙ୍କା ରଖି ସେ ପୁଣି ସଂଗେସଂଗେ ଫେରି ଆସିଥିଲା। ଆରମ୍ଭରୁ ଏହି ମାମଲାରେ ହୋଟେଲ କର୍ମଚାରୀଙ୍କ ଭୂମିକାରେ ସନ୍ଦେହ ରହିଥିଲା। ବିଭିନ୍ନ କର୍ମଚାରୀଙ୍କୁ ଡାକି ପଚରାଉଚରା କରାଯିବା ଏବଂ ସେମାନଙ୍କ ମୋବାଇଲ ଫୋନ୍ ଏବଂ ସେମାନେ କଥାବାର୍ତ୍ତା ହୋଇଥିବା ବ୍ୟକ୍ତିଙ୍କ ମୋବାଇଲ ଫୋନ୍ ଲୋକେସନ୍ ଯାଂଚ କରିବାରୁ ଚ‌ୋରିର ସୁରାକ ମିଳି ଯାଇଥିଲା।

ରାକେଶ ପଚରାଉଚରା କରିବା ପରେ ସ‌େ ସତ ମାନି ଯାଇଥିଲା। ସଂଗେ ସଂଗେ ପୁଲିସ ଟିମ୍‌ ଏସ୍‌ଡିପିଓ ପ୍ରଦୀପ ସାହୁ, ଧନୁପାଲି ଥାନା ଅଧିକାରୀ ଅନୀତା ପ୍ରଧାନଙ୍କ ନେତୃତ୍ବରେ ରାକେଶକୁ ଯାଇ ବନାକାଲୋ ଗାଁରେ ପହଂଚି ଥିଲେ। ରାକେଶ ତା’ଘରେ ମାଟି ତଳେ ଲୁଚାଇ ରଖିଥିବା ୩୨ ଲକ୍ଷ ୧୦ ହଜାର ଟଙ୍କା ଜବତ କରିଥିଲେ ବୋଲି ଏସ୍‌ପି ବି.ଗଂଗାଧର କହିଛନ୍ତି। ଅଭିଯୁକ୍ତମାନଙ୍କଠାରୁ ୫ଟି ମୋବାଇଲ ଫୋନ୍, କେତେକ ଶୀଲ ଟାୱାରର ପୁରୁଣା ବିଲ୍‌, ସ୍କ୍ରୁ ବାର୍‌ ଆଦି ଜବତ କରାଯାଇଛି।

ଅନ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରୁ ମାନସ ପ୍ରଧାନର ଘର କଟକ ଜିଲ୍ଲା ନରସିଂହପୁର ଥାନା ଦଲକ ଗାଁ, ଯୋଗେଶ୍ବର ବେହେରାର ଗାଁ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଦଣ୍ଡସିଂହା ଏବଂ ଗୋବିନ୍ଦ ମଲ୍ଲିକର ଗାଁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିନ୍ଧିଯୁବା ଗାଁରେ ବୋଲି ଜଣାପଡ଼ିଛି। ବାକି ଟଙ୍କା ସଂପର୍କରେ ପଚାରିବାରୁ ଏସ୍‌ପି କହିଲେ, ସେ ସଂପର୍କରେ ଅଧିକ ତଦନ୍ତ କରାଯାଉଛି। ଏପର୍ଯ୍ୟନ୍ତ ସନ୍ଧାନ ମିଳି ପାରିନାହିଁ। ଅଭିଯୁକ୍ତମାନଙ୍କୁ ଟଙ୍କା ସଂପର୍କରେ ଆଉ ଥରେ ପଚରାଯିବ। ଆବଶ୍ୟକ ପଡ଼ିଲେ ହୋଟେଲ ମାଲିକଙ୍କୁ ସହିତ କ୍ରସ୍‌‌ ଚେକ୍ କରାଯିବ ବୋଲି ଏସ୍‌ପି ଶ୍ରୀ ଗଂଗାଧର କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ହୋଟେଲ ମାଲିକ ଯଶବୀର ସିଂହୁରା ଉପସ୍ଥିତ ଥିବା ବେଳେ ତାଙ୍କୁ ଜବତ ୩୨ ଲକ୍ଷ ୧୦ ହଜାର ଟଙ୍କା ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର