ୟୁକ୍ରେନ୍‌ରେ ଭୂତ ପଢ଼ିଛି ଡାକ୍ତରୀ! ଭୂତ ଡାକ୍ତରର ଆଉ ଏକ କାରନାମା

ଗୋପାଳପୁର ସ୍କୁଲରେ ପଚରାଉଚରା, ସହିଦନଗର କନସଲ୍‌ଟାନ୍‌ସିରେ ଖୋଳତାଡ଼ ହେବ

କଟକ : କଟକ ଓ ଭୁବନେଶ୍ବରରେ ଦୁଇବର୍ଷ ଭିତରେ ଭୂତ ଡାକ୍ତର କେବଳ ବ୍ୟାଙ୍କରୁ ୪୪ ଲକ୍ଷ ଟଙ୍କା ଠକେଇ କରିନାହିଁ, ଜାଲ୍‌ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ବଳରେ ୟୁକ୍ରେନରେ ଡାକ୍ତରୀ ବି ପଢ଼ିଥିବା ସନ୍ଦେହ କରାଯାଉଛି। ଠକେଇର ମୁଖ୍ୟ କାର୍ପଟଦାର ଶ୍ରୀଧର ରାଉତ ୪ ବର୍ଷ ତଳେ ଭୁବନେଶ୍ବର ସହିଦନଗର ଅଞ୍ଚଳର ଏକ କନ୍‌ସଲଟାନ୍‌ସି କମ୍ପାନି ମାଧ୍ୟମରେ ୟୁକ୍ରେନ୍‌ରେ ଡାକ୍ତରୀ ପଢ଼ିବାକୁ ଯାଇଥିଲେ। । କିନ୍ତୁ ସାଢ଼େ ୫ ବର୍ଷୀୟା ଏମ୍‌ବିବିଏସ୍ କୋର୍ସ ଶେଷ ହେବାପୂର୍ବରୁ ଓଡ଼ିଶା ଫେରିଆସିବା ଘଟଣାକୁ ନେଇ ବାଦାମବାଡ଼ି ଥାନା ପୁଲିସ ସନ୍ଦେହ କରୁଛି। ଜାଲ୍‌ ଶିକ୍ଷାଗତ ଯୋଗ୍ୟତା ପ୍ରମଣାପତ୍ର ସମ୍ପୃକ୍ତ ମେଡିକାଲ କଲେଜରେ ଧରାପଡ଼ିଯିବାରୁ ସେ ଫେରିଆସିଥିବା ପୁଲିସ ସନ୍ଦେହ କରୁଛି। ତେଣୁ ବାଦାମବାଡ଼ି ଥାନା ପୁଲିସର ଏକ ଟିମ୍ ଆଜି (ସୋମବାର) ସହିଦନଗରସ୍ଥିତ କନସଲଟାନ୍‌ସି କମ୍ପାନିରେ ଚଢ଼ଉ କରିବାକୁ ଯୋଜନା କରୁଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, କଟକ ସଦର ଥାନା ଗୋପାଳପୁର ପାଇକସାହିରର ୨୭ ବର୍ଷୀୟ ଶ୍ରୀଧର ରାଉତ ପ୍ରଥମେ ୨୦୧୯ରେ ଭୁବନେଶ୍ବର ଏମ୍‌ସ ଡାକ୍ତର ପରିଚୟରେ ନୟାପଲ୍ଲୀ ବ୍ୟାଙ୍କ ଅଫ୍ ବରୋଦା ଶାଖାରୁ ୧୭ ଲକ୍ଷ ୫୦ ହଜାର ହଡ଼ପ କରିଥିଲେ। । ଚଳିତବର୍ଷ ବଜ୍ରକବାଟି ୟୁନିଅନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାରୁ ବିହାର ଏମ୍‌ସ ଡାକ୍ତର ପରିଚୟରେ ୧୬ ଲକ୍ଷ ୫୦ ହଜାର ଟଙ୍କା ଓ ରାଣୀହାଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ୧୦ ଲକ୍ଷ ଠକେଇ କରିଥିଲେ। କଟକର ଦୁଇଟି ଠକେଇ ଘଟଣାର ତଦନ୍ତ କରୁଥିବା ବାଦାମବାଡ଼ି ଥାନା ପୁଲିସ ଆଜି ଶ୍ରୀଧରଙ୍କ ଜାଲି ଶିକ୍ଷାଗତ ଯୋଗ୍ୟତା କାରବାର ସମ୍ପର୍କରେ ଖୋଳତାଡ଼ କରିଥିଲା। ଶ୍ରୀଧର ମାଟ୍ରିକ ଗୋପାଳପୁର ମା’ ତାରିଣୀ ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିବା ପୁଲିସ ଜାଣିବାପରେ ଉକ୍ତ ବିଦ୍ୟାଳୟରେ ପୁଲିସ ଟିମ୍ ପହଞ୍ଚି ଶ୍ରୀଧରଙ୍କ ମାଟ୍ରିକ ଆଡ୍‌ମିସନ୍ ସଂକ୍ରାନ୍ତ ସମସ୍ତ କାଗଜପତ୍ର ଯାଞ୍ଚ କରିଥିଲା। ପ୍ରକୃତରେ ସେ ସେଠାରେ ମାଟ୍ରିକ ପଢ଼ୁଥିଲେ କି ନାହିଁ, ସେ ନେଇ ପୁଲିସ ସ୍କୁଲ କର୍ତ୍ତୃପକ୍ଷଙ୍କ ନିକଟରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହସ୍ତଗତ କରିଛି। କେବଳ ସେତିକି ନୁହେଁ, ଶ୍ରୀଧର ଉତ୍ତରପ୍ରଦେଶର ଏକ କଲେଜରେ ଯୁକ୍ତ ଦୁଇ ପଢ଼ିଥିବା ଘଟଣା ସାମ୍‌ନାକୁ ଆସିବାପରେ ପୁଲିସର ସନ୍ଦେହ ବି ଅଧିକ ବଢ଼ିଯାଇଛି। କଟକ ଗୋପାଳପୁର ଅଞ୍ଚଳର ଜଣେ ଛାତ୍ର ଉତ୍ତରପ୍ରଦେଶରେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିବା ଘଟଣାକୁ ପୁଲିସ ସହଜରେ ଗ୍ରହଣ କରିପାରୁନାହିଁ।

ଏ ସଂକ୍ରାନ୍ତରେ ପୁଲିସ ଶ୍ରୀଧରଙ୍କୁ ପଚରାଉଚରା କରିଥିଲେ ବି ସନ୍ତୋଷଜକନକ ଉତ୍ତର ମିଳିପାରି ନାହିଁ। ସବୁଠାରୁ ଚକିତ କଲା ଭଳି ଘଟଣା ହେଉଛି ଶ୍ରୀଧରର ୟୁକ୍ରେନରେ ଡାକ୍ତରୀ ପାଠ ପଢ଼ିବା ଘଟଣା। ସାଢ଼େ ୫ ବର୍ଷୀୟା ଡାକ୍ତରୀ ପାଠ ପଢ଼ିବାକୁ ୨୦୧୭ରେ ଶ୍ରୀଧର ସହିଦନଗର ଅଞ୍ଚଳର ଏକ କନ୍‌ସଲଟାନ୍‌ସି କମ୍ପାନି ମାଧ୍ୟମରେ ଯୋଗାଯୋଗ କରିଥିଲେ। ଯୋଗାଯୋଗ କରିବା ପରେ ୟୁକ୍ରେନ୍‌ର ଏକ ମେଡିକାଲ୍ କଲେଜରେ ନାଁ ବି ଲେଖାଇଥିଲେ ଶ୍ରୀଧର। କିନ୍ତୁ ୨୦୧୮ରେ ମାତ୍ର ବର୍ଷେ ଭିତରେ ମେ଼ଡିକାଲ କଲେଜରୁ ବିଦାହେବା ଘଟଣାକୁ ନେଇ ପୁଲିସର ଡାକ୍ତରୀ ଶିକ୍ଷା ଉପରେ ସନ୍ଦେହ ବଢ଼ିଛି। ବିହାରର ପାଟଣା, ଭୁବନେଶ୍ବର ଏଏମ୍‌ସ ଡାକ୍ତରଙ୍କ ନାଁରେ ଜାଲି ପରିଚୟପତ୍ର ଓ ସାଲାରି ସ୍ଲିପ୍ ପ୍ରସ୍ତୁତ କରି ଶ୍ରୀଧର ୪୪ ଲକ୍ଷ ଟଙ୍କା ଲୁଟିଥିବାବେଳେ ୟୁକ୍ରେନରେ ଡାକ୍ତରୀ ପଢ଼ିବାପଛରେ ବି ଜାଲି ଶିକ୍ଷାଗତ ଯୋଗତ୍ୟ ପ୍ରମାଣପତ୍ର ବ୍ୟବହାର କରିବା ସନ୍ଦେହକୁ ପୁଲିସ ଗୁରୁତ୍ବର ସହିତ ଗ୍ରହଣ କରି ତନାଘନା ଆରମ୍ଭ କରିଦେଇଛି। ଜାଲି ଭୋଟର, ଆଧାର, ପ୍ୟାନ୍, ଏମ୍‌ସର ଡାକ୍ତରୀ ପରିଚୟପତ୍ର, ଏମ୍ସ ସାଲାରି ସ୍ଲିପ୍‌ ଇତ୍ୟାଦି ଶ୍ରୀଧର ନିକଟରୁ ଜବତ ହେବାପରେ ଏକ ନିର୍ଦ୍ଦିଷ୍ଟ ଜାଲି କାଗଜପତ୍ର ପ୍ରସ୍ତତକାରୀ ଗ୍ୟାଙ୍ଗ୍ ତା ପଛରେ କାମ କରୁଥିବା କୁହାଯାଉଛି। ତେବେ ଏହି ଜାଲି କାଗଜପତ୍ର କିଏ ପ୍ରସ୍ତୁତ କରୁଥିଲା, ସେ ନେଇ ପୁଲିସ ଅଧିକ ଖୋଳତାଡ଼ ଆରମ୍ଭ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର