କଟକ : କଳାଧଳ ଠୁଳ କରିବା ହେଉଛି ଆର୍ଥିକ ଆତଙ୍କବାଦ। କଳାଧନକୁ ଗୋପନ ରଖିବା ପାଇଁ ହେଉଥିବା ମନି ଲଣ୍ଡରିଂ (ଅନ୍ୟ ପାଣ୍ଠିକୁ ଗୋପନରେ ଚାଲାଣ କରିବା) ହେଉଛି ଆତଙ୍କବାଦୀ କାର୍ଯ୍ୟ। ଏହା ଦେଶର ଆର୍ଥିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରୁଥିବା ବେଳେ ରାଷ୍ଟ୍ରର ନୀତି ଓ ସାର୍ବଭୌମତ୍ବ ପ୍ରତି ମଧ୍ୟ ବିପଦ। କଳାଧନ ପ୍ରସଂଗକୁ ନେଇ ରୁଜୁ ମାମଲାରେ ଦାୟର ଏକ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମହମ୍ମଦ ଆରିଫଙ୍କ ଜାମିନ ଆବେଦନ ଖାରଜ କରିବା ସହିତ ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ରଖିଛନ୍ତି।

Advertisment

publive-image Patrika

ପ୍ରକାଶିତ ରାୟରେ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଉଲ୍ଲେଖ କରିଛନ୍ତି ଯେ, ଇଣ୍ଟରନ୍ୟାସନାଲ ମନିଟାରି ଫଣ୍ଡ (ଆଇଏମଏଫ୍‌) ଆକଳନ ଅନୁସାରେ ପ୍ରତିବର୍ଷ ସୃଷ୍ଟି ହେଉଥିବା କଳାଧନର ପରିମାଣ ୫୯୦ ମିଲିୟନରୁ ୧.୫ ଟ୍ରିଲିୟନ ଡଲାର। ସାରା ବିଶ୍ବର ଘରୋଇ ଉତ୍ପାଦର ଏହା ହେଉଛି ପ୍ରାୟ ୨ରୁ ୫ ପ୍ରତିଶତ। ସୁପ୍ରିମକୋର୍ଟ ମଧ୍ୟ ଏହି ପ୍ରସଂଗକୁ ଗୁରତ୍ବର ସହିତ ଗ୍ରହଣ କରି କହିଛନ୍ତି। ଏପରି ଅପରାଧ ମଣିଷର ‌ଚେତନାକୁ ଗ୍ରାସ କରିବା ସହିତ ବିଶ୍ବ ବାଣିଜ୍ୟର ନୈତିକ ଦିଗକୁ କ୍ଷତି ପହଞ୍ଚାଇ ଥାଏ। ଅପରାଧୀ ଏଭଳି ଅପରାଧ ଅତି ଚତୁରତା‌ର ସହିତ କେବଳ ଲାଭ ଉଦ୍ଦେଶ୍ୟ ରଖି ଘଟାଇଥାନ୍ତି। ଏ ପ୍ରକାର ଆର୍ଥିକ ବ୍ୟବସ୍ଥାର ଅପବ୍ୟବହାର କୌଣସି ଦେଶର ଆର୍ଥିକ ବିକାଶ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଥାଏ। ଏଥିସହିତ ସୀମାପାର ବ୍ୟାପାର ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇବାର ଆଶଙ୍କା ସୃଷ୍ଟି କରିଥାଏ। ବିଶ୍ବ ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଦେଶର ଖ୍ୟାତି ଉପରେ କୁପ୍ରଭାବ ପକାଇଥାଏ। ଏଭଳି ଅପରାଧ କରୁଥିବା ଅପରାଧୀମାନେ ସହଜରେ ସନ୍ଦେହ କରାଯାଇ ପାରୁ ନଥିବା ଗ୍ରାମାଞ୍ଚଳର ସରଳ ଲୋକ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଲୋକଙ୍କୁ ଟାର୍ଗେଟ କରିଥାନ୍ତି। ଅଧିକ ଲାଭ ଆଶାରେ ଏପରି ଲୋକମାନେ ନିଜ କଷ୍ଟ ଅର୍ଜିତ ଧନ ଏପରି ଅପରାଧୀଙ୍କ କଥାରେ ବିଭିନ୍ନ ଯୋଜନାରେ ନିବେଶ କରିଥାନ୍ତି ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ, ଫାଇନ ଇଣ୍ଡିସେଲ୍ସ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାରେ ନିବେଶ କରି ‌ଠକାମିର ଶିକାର ହୋଇଥିବା ନେଇ ଜଣେ ବ୍ୟକ୍ତି ୨୦୦୯ରେ ବାଲେଶ୍ବର ସହଦେବଖୁଣ୍ଟା ଥାନାରେ ଏତଲା ରୁଜୁ କରିଥିଲେ। ପରବର୍ତ୍ତୀ ସମୟରେ ଏହି ଠକେଇ ମାମଲାର ତଦନ୍ତ ଭାର ସିବିଆଇ ନେଇଥିଲା। କଳାଧନ କାରାବର ସଂପର୍କରେ ତଥ୍ୟ ମିଳିବା ପରେ ଏ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅନୁସାରେ ମାମଲା ରୁଜୁ କରି ଅଭିଯୋଗର ତଦନ୍ତ କରିଥିଲା। ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ବତନ୍ତ୍ର ଜଜ୍ ଏହି କଳାଧାନ କାରାବାର ମାମଲାରେ ଆବେଦନକାରୀଙ୍କ ଜାମିନ ଖାରଜ କରିବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଆଇନଜୀବୀ ଗୋପାଳ ଅଗ୍ରୱାଲ ମାମଲା ପରିଚାଳନା କରୁଥିଲେ।