ଔପଦା: ଫରେଷ୍ଟ ଗାର୍ଡ ପରିଚୟ ଦେଇ ଟଙ୍କା ଆଦାୟ କରୁଥିଲେ। ହେଲେ ତାଙ୍କର ଏ କାରନାମା ଧରାପଡ଼ିଗଲା। ଏବେ ଥାନାରେ ଅଟକ ଅଛନ୍ତି ଅଭିଯୁକ୍ତ। ସୂଚନା‌ ଅନୁସାରେ; ମାର୍ଚ୍ଚ ୨୯ ତାରିଖ‌ରେ କୁଲଡ଼ିହା ଅଭୟାରଣ୍ୟ ଅଞ୍ଚଳରୁ ୬ ଜଣ ଶିକାରୀ ଦୁଇଟି ବନ୍ଧୁକ ଓ ଗୋଟିଏ ମୃତ ବେଲରା ମୂଷା ସହ ଧରାପଡ଼ିଥିଲେ। ଏହି ଘଟଣାରେ ବନ ବିଭାଗ କର୍ମଚାରୀ ସନ୍ଦେହରେ ପଦ୍ମପୋଖରୀ ଜୁରକି ଗ୍ରାମର ଯମୁନା ସିଂ ଓ ଆଙ୍ଗାଉ ସିଂଙ୍କ ଦୁଇଜଣ ନାବାଳକ ପୁଅଙ୍କୁ ଧରି ଅଟକ ରଖିଥିଲେ। ପରେ ୬ ଜଣ ଶିକାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଟକ ଦୁଇ ନାବାଳକ ନିର୍ଦ୍ଦୋଷ ଓ ଶିକାରୀଙ୍କ ସହ ସେମାନଙ୍କର କୌଣସି ସଂପର୍କ ନ ଥିବା ଜାଣି ଔପଦା ରେଞ୍ଜର ବବିତା ସୋ‌ରେନ୍‌ ସେମାନଙ୍କୁ ଛାଡ଼ି ଦେଇଥିଲେ।

Advertisment

ତେବେ ରେଞ୍ଜ କାର୍ଯ୍ୟାଳୟରେ କାମ କରୁଥିବା ଝାଡ଼ଖଣ୍ଡ ଅଞ୍ଚଳର ରାଜମିସ୍ତ୍ରି ପ୍ରଦୀପ ରାଣା ଏହାର ଫାଇଦା ଉଠାଇବାକୁ ଯୋଜନା କରିଥିଲା। ସଂପୃକ୍ତ ନାବାଳକଙ୍କୁ ବିନା ଦୋଷରେ ଛଡ଼ା ଯାଉଥିବ‌ା ଜାଣିବା ପରେ ନାବାଳକଙ୍କଠାରୁ ସେମାନଙ୍କ ଘର ମୋବାଇଲ୍‌ ନମ୍ବର ଆଣି ଫୋନ୍‌ କରିଥିଲା। ନିଜକୁ ରେଞ୍ଜର ପରିଚୟ ଦେଇ କହିଥିଲା କି ସେମାନଙ୍କ ପିଲାଙ୍କୁ ଛାଡ଼ିଦିଆଯିବ; ହେଲେ ତା’ ବଦଳରେ ୫ ହଜାର ଟଙ୍କା ଲେଖା; ମୋଟ ୧୦ ହଜାର ଟଙ୍କା ଦେବାକୁ ହେବ। ଯମୁନା ମଧ୍ୟ ୪ ହଜାର ଟଙ୍କା ଯୋଗାଡ଼ କରି ଦେଇଥିଲେ। ହେଲେ ଆଜି କୌଣସି ସୂତ୍ରରୁ ସତକଥା ଜାଣି ଘଟଣା ସଂପର୍କରେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ଫଳରେ ଲୋକେ ଆଜି ପ୍ରଦୀପଙ୍କୁ ଧରି ହଲାପଟା କରିବା ସହ ରେଞ୍ଜ କାର୍ଯ୍ୟାଳୟକୁ ନେଇଥିଲେ। ରେଞ୍ଜର ବବିତା ସୋରେନଙ୍କଠାରୁ ଖବର ପାଇ ଔପଦା ପୁଲିସ ଆସି ପ୍ରଦୀପଙ୍କୁ ନିଜ ହେପାଜତକୁ ନେଇଥିବା ଜଣାପଡ଼ିଛି।