ଅଭିନବ ଉପାୟରେ ଏକଲକ୍ଷ ଲୁଟିନେଲେ

ରାମଚନ୍ଦ୍ରପୁର : ରାମଚନ୍ଦ୍ରପୁର ଥାନା ଠାରୁ ୫୦ ମିଟର ଦୂରରେ ଥିବା ବ୍ୟାଙ୍କ ଅଫ ଇଣ୍ତିଆ ଶାଖା ଭିତରୁ ଅଭିନବ ଉପାୟରେ ଜଣେ ହିତାଧିକାରୀଙ୍କ ଏକାଉଣ୍ଟରୁ ଲକ୍ଷେ ଟଙ୍କା ଲୁଟି ନେଇଛି ଦୁର୍ବୃତ୍ତ। ଘଟଣାକୁ ମାସେ ବିତିଥିଲେ ମଧ୍ୟ ଅପରାଧୀର ଟେର ପାଇନି ପୁଲିସ।

ସୂଚନା ମୁତାବକ ଘସିପୁରା ବ୍ଲକ ଅନ୍ତର୍ଗତ ତରୁଆଁ ଗ୍ରାମର ଗଙ୍ଗାଧର ସାମଲ (୫୦) ଗତ ସେପ୍ଟେମ୍ବର ୨୭ ତାରିଖ ଅପରାହ୍ଣରେ ରାମଚନ୍ଦ୍ରପୁର ବ୍ୟାଙ୍କ ଅଫ ଇଣ୍ତିଆ ଶାଖାକୁ ଟଙ୍କା ଉଠାଣ ନିମନ୍ତେ ଯାଇଥିଲେ। ସେଠାରେ ଚେକ ଲେଖିବା ସମୟରେ ଜଣେ ଅଜଣା ବ୍ୟକ୍ତି ତାଙ୍କ ନିକଟରେ ପହଞ୍ଚି ଡାକ୍ତରଖାନା ଜରୁରୀ ଥିବା କଥା କହି ହାଟଡିହି ବ୍ୟାଙ୍କ ଅଫ ଇଣ୍ତିଆ ଶାଖାର ଏକ ଚେକ ଦେଖାଇ ନଗଦ ଅର୍ଥ ପାଇଁ ଗୁହାରି କରିଥିଲେ। ଅଜଣା ବ୍ୟକ୍ତିଙ୍କ କହିବା କଥା ଅନ୍ୟ ବ୍ୟାଙ୍କର ଚେକରେ ନଗଦ ଟଙ୍କା ଉଠାଇବା ସମ୍ଭବପର ହେଉ ନଥିବାରୁ ମୋତେ ସାହାଯ୍ୟ କରିବା କଥା କହି  ଗଙ୍ଗାଧରଙ୍କୁ ଅନୁରୋଧ କରି ଚେକରେ ଏକ ଲକ୍ଷ ଏକ ହଜାର ଲେଖି ଚେକଟିକୁ ଗଙ୍ଗାଧରଙ୍କୁ ବଢ଼ାଇ ଦେଇଥିଲେ। ଗଙ୍ଗାଧର ନିଜ ଆକାଉଣ୍ଟରୁ ଏକ ଲକ୍ଷ ଟଙ୍କା ନଗଦ ଉଠାଇ ଅଜଣା ଯୁବକଙ୍କ ହାତକୁ ହେଇଥିଲେ। କିଛି ସମୟ ପରେ ଅଜଣା ବ୍ୟକ୍ତି ଦେଇଥିବା ଆକାଉଣ୍ଟରେ ମାତ୍ର ୧୬୦ ଟଙ୍କା ଥିବା କହି ବ୍ୟାଙ୍କ କର୍ତୃପକ୍ଷ ଉକ୍ତ ଚେକଟିକୁ ଗଙ୍ଗାଧରକୁ  ଫେରସ୍ତ କରିଦେଇଥିଲେ। ତତକ୍ଷାଣତ୍ ଗଙ୍ଗାଧର ଯୁବକଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ଘଟଣା ସ୍ଥଳରୁ ଯୁବକ ଜଣକ ଚମ୍ପଟ ମାରିଥିଲା।

ଘଟଣା ସମ୍ପର୍କରେ ଗଙ୍ଗାଧର ବ୍ୟାଙ୍କ ମ୍ୟାନେଜରଙ୍କୁ କହିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏସମ୍ବନ୍ଧରେ କିଛି କରି ପାରିବେ ନାହିଁ ବୋଲି କହିଥିଲେ। ପରେ ସେହି ଚେକଟି ହାଟଡିହି ବ୍ୟାଙ୍କ ଅଫ ଇଣ୍ତିଆ ଶାଖା ଅଧୀନ ଏକାଉଣ୍ଟ ନମ୍ବର ୫୪୦୮୧୦୧୦୦୦୧୩୧୦୯  ଏବଂ ଚେକ ନଂ- ୦୪୫୭୫୫  ହିତାଧିକାରୀଙ୍କ ନାମ -ଜଳଧର ଯେନା, ଗ୍ରାମ-ବିଷ୍ଣୁପୁର, ପୋ-ଶାଳନିଆଁ, ଜି-କେନ୍ଦୁଝର ବୋଲି ଜଣାପଡିଲା। ଘଟଣା ସମ୍ପର୍କରେ ଅକ୍ଟୋବର ୧୦ ତାରିଖରେ ଗଙ୍ଗାଧର ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ୨୩୨/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର