ଜାତୀୟ ପରିବାର ମଙ୍ଗଳ ଯୋଜନା: ଚିଠି ମିଳଲା, ବ୍ୟାଙ୍କ ଆକାଉଣ୍ଟକୁ ଆସିଲା ନାହିଁ ଟଙ୍କା

ଜୟପୁର: ଗତ ୫ବର୍ଷ ତଳେ ସ୍ଥାନୀୟ ଗୌଡସାହିର ପଦ୍ମନ ସାହୁଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ତାଙ୍କ ପତ୍ନୀ ସୁକାନ୍ତି ସାହୁ ବାରମ୍ବାର ପୌରପାଳିକା ଦୈଡିବା ପରେ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ତାଙ୍କୁ ୨୦ହଜାର ଟଙ୍କା ମିଳିବ ବୋଲି ପୌରପାଳିକା ପକ୍ଷରୁ ଚିଠି କରାଯାଇଥିଲା। ଗତ ନଭେମ୍ବର ମାସରେ ପୌରପାଳିକା ପକ୍ଷରୁ ସେ ପାଇବାକୁ ଥିବା ୨୦ହଜାର ଟଙ୍କାର ଚିଠି ସୁକାନ୍ତି ପାଇଥିଲେ। ଗତ ୩ମାସ ପରେ ବି ତାଙ୍କ ଆକାଉଣ୍ଟରେ ଏହି ଟଙ୍କା ଜମା ହୋଇ ନାହିଁ। ସେ ବାରମ୍ବାର ପୌରପାଳିକା କାର୍ଯ୍ୟାଳୟକୁ ଗଲେ ମଧ୍ୟରେ ଟଙ୍କା ତାଙ୍କ ଆକାଉଣ୍ଟକୁ ଛଡାଯାଇଛି ବୋଲି କହୁଥିବା କହିଛନ୍ତି ସୁକାନ୍ତି।

ଅନ୍ୟପକ୍ଷରେ ସେ ଖାତା ଅପଟୁଡେଟ୍ କରିବା ପରେ ବି ତାହା ଜମା ହୋଇନଥିବା ଜଣା ପଡ଼ିଛି। ଶୁକ୍ରବାର ସେ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ମୃତ ପଦ୍ମନ ବିକ୍ରମ ଦେବ ଛାତ୍ରାବାସ ନିକଟରେ ପାଷ୍ଟଫୁଡ ଦୋକାନ କରିଥିଲେ। ଗୋଟିଏ ଝିଅ, ଗୋଟିଏ ପୁଅ ଓ ପତ୍ନୀ ଆଦିଙ୍କୁ ନେଇ ତାଙ୍କ ପରିବାର। ତେବେ ତାଙ୍କର ମୃତ୍ୟୁ ପରେ ସୁକାନ୍ତି ପରିବାର ଚଳାଇବା ପାଇଁ ବାଧ୍ୟ ହୋଇ ଘରୁ ବାହାରକୁ ବାହାରିଥିଲେ। ସଂପ୍ରତି ବଂଚିବା ପାଇଁ ମିଠା, ରାଗ ସାମଗ୍ରୀ ସବୁ ତିଆରି କରି ବୁଲି ବୁଲି ବିକ୍ରତ କରି ପରିବାରର ପ୍ରତିପୋଷଣ କରୁଛନ୍ତି ସୁକାନ୍ତି।

ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨୦ହଜାର ଟଙ୍କା ମିଳିଲେ ସେ କରୁଥିବା ବ୍ୟବସାୟରେ ସାମାନ୍ୟ ସହଯୋଗ ମିଳିପାରିଥାନ୍ତା ଏବଂ ପରିବାର ସାମାନ୍ୟ ଖୁସିରେ ରହି ପାରନ୍ତେ ବୋଲି କହିଛନ୍ତି ସୁକାନ୍ତି। ଭୋକ ଉପବାସରେ ପରିବାର ଦିନ କାଟୁଥିବା ବେଳେ ଏଭଳି ବିଧବା ମହିଳାଙ୍କୁ ଅଗ୍ରାଧିକାର ଭିତ୍ତିରେ ସରକାରୀ ଯୋଜନା ଗୁଡ଼ିକରେ କାହିଁକି ସାମିଲ କରାଯାଉନି ତାହାକୁ ନେଇ ପ୍ରଶ୍ନ । ଅନୁମୋଦନ ପାଇବା ପରେ କେଉଁ ପରିସ୍ଥିତିରେ ସୁକାନ୍ତିକୁ ମିଳିବାକୁ ଥିବା ଟଙ୍କା ଜମା ହୋଇ ନି, ଏହି ଟଙ୍କା ଗଲା କୁଆଡେ, ତାହା ତଦନ୍ତ ସାପେକ୍ଷ।

ସମ୍ବନ୍ଧିତ ଖବର