କଟକ : ଜିଏଲ୍ପି ଡେଭେଲପର୍ସ ଲିମିଟେଡ ଅର୍ଥଲଗାଣକାରୀ ସଂସ୍ଥା ଦ୍ବାରା କ୍ଷତିଗ୍ରସ୍ତ ଜମାକରୀଙ୍କ ଟଙ୍କା ଫେରସ୍ତ ସଂପର୍କିତ ମାମଲାରେ ଆସ୍କାସ୍ଥିତ ଗ୍ରାମ୍ୟବ୍ୟାଙ୍କ ଅଧିକାରୀଙ୍କୁ ହାଜର କରାଇବାକୁ ଗଞ୍ଜାମ ଏସ୍ପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ନୋଟିସ୍ ପରେ ମଧ୍ୟ ବ୍ୟାଙ୍କ ପକ୍ଷରୁ ଶୁଣାଣିବେଳେ ଜବାବ ରଖାଯାଇନଥିଲା। ଏଭଳି ସ୍ଥିତିରେ ପରବର୍ତ୍ତୀ ଶୁଣାଣି ସମୟରେ ବ୍ୟାଙ୍କ ଅଧିକାରୀଙ୍କୁ ହାଜର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଫୁଲବାଣୀ, କନ୍ଧମାଳର ଏକ ଜାତୀୟକରଣ ବ୍ୟାଙ୍କରେ ଜିଏଲ୍ପି ସଂସ୍ଥାର ଜମା ଥିବା ୧୪ କୋଟି ୫ ଲକ୍ଷ ଟଙ୍କା ପ୍ରାଧିକୃତ ଅଧିକାରୀ ତଥା ଏଡିଏମଙ୍କ ନିକଟରେ ଜମା କରିବାପାଇଁ ପଦକ୍ଷେପ ନେବାକୁ ହାଇକୋର୍ଟ କହିଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଜିଏଲପି ସଂସ୍ଥା ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୩କୁ ଧାର୍ଯ୍ୟ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ଜିଏଲ୍ପି ସଂସ୍ଥା ଜମାକରୀଙ୍କୁ ଟଙ୍କା ଫେରାଇବାକୁ ପ୍ରସ୍ତାବ ଦେଇଥିଲା। ଏ ନେଇ ରାଜ୍ୟ ସରକାର ନ ଶୁଣିବାରୁ ସଂସ୍ଥା ହାଇକୋର୍ଟଙ୍କ ଦ୍ବାରସ୍ଥ େହାଇଥିଲା। ମାର୍ଚ୍ଚ ୨୯ରେ ହାଇକୋର୍ଟ ମାମଲାର ଶୁଣାଣି କରି ମୁଖ୍ୟ ଶାସନ ସଚିବଙ୍କୁ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଚିଟ୍ଫଣ୍ଡ ତଦନ୍ତ କମିସନଙ୍କ ରିପୋର୍ଟରେ ରହିଥିବା ଜମାକରୀଙ୍କ ତାଲିକା ସହିତ ଜମାକାରୀଙ୍କ ଦରଖାସ୍ତକୁ ନେଇ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଯାଞ୍ଚ କରାଯିବ। ଏଥି ସହିତ ପ୍ରାଧିକୃତ ଅଧିକାରୀଙ୍କ ନିକଟରେ ଉପଲବ୍ଧ ଥିବା ଟଙ୍କାରୁ କ୍ଷତିଗ୍ରସ୍ତ ଜମାକରୀଙ୍କୁ ଅର୍ଥ ଫେରସ୍ତ ପାଇଁ ଉଦ୍ୟମ କରାଯିବ। କମିସନ୍ ୮ ଲକ୍ଷ ୮୮ ହଜାର ୫୨ କ୍ଷତିଗ୍ରସ୍ତ ଜମାକରୀଙ୍କୁ ଚିହ୍ନଟ କରିଥିବାବେଳେ ଜିଏଲପି ସଂସ୍ଥାର ସ୍ଥାବର ଅସ୍ଥାବର ସଂପତ୍ତିରୁ ପ୍ରାଧିକୃତ ଅଧିକାରୀଙ୍କ ନିକଟରେ ଏବେ ୪୮ କୋଟି ୧୬ ଲକ୍ଷ ୪ ହଜାର ୫୨୭ଟଙ୍କା ରହିଛି ବୋଲି ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଆସ୍କାର ଏକ ଗ୍ରାମ୍ୟ ବ୍ୟାଙ୍କରେ ୩୫କୋଟି ୬୯ ଲକ୍ଷ ୧୫ ହଜାର ୩୧୩ ଟଙ୍କା ଓ ଫୁଲବାଣୀର ଏକ ଜାତୀୟକରଣ ବ୍ୟାଙ୍କରେ ୧୪ କୋଟି ୫ ଲକ୍ଷ ୧ ହଜାର ୧୦୭ ଟଙ୍କା ସଂସ୍ଥାର ଥିବାବେଳେ ଏହି ଟଙ୍କା ପ୍ରାଧିକୃତ ଅଧିକାରୀଙ୍କୁ ପ୍ରଦାନ କରୁନାହାନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ। ସିବିଆଇ ଏହି ସବୁ ବ୍ୟାଙ୍କ ଖାତା ଜବତ କରିଥିବାରୁ ଏହି ଟଙ୍କା ପ୍ରଦାନ କରାଯାଇ ପାରୁ ନାହିଁ ବୋଲି କୁହାଯାଇଥିଲା। ଏଭଳି ସ୍ଥିତିରେ ଏହି ଅର୍ଥ ହାସଲ ପାଇଁ ଆଇନଗତ ପ୍ରକ୍ରିୟା ଅନୁସରଣ ଲାଗି ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିବା ସହିତ ସିବିଆଇ ଓ ବ୍ୟାଙ୍କକୁ ମାର୍ଚ୍ଚ ୨୯ରେ ମାମଲାରେ ନୋଟିସ୍ ଜାରି କରିଥିଲେ। ସରକାରଙ୍କ ତରଫରୁ ଆଇନଜୀବୀ ବିବେକାନନ୍ଦ ଭୂୟାଁ ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/chit-fund-f.jpg)