ରୋଗାକ୍ରାନ୍ତ ଦୁଇ ପୁଅଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ଚିନ୍ତାରେ ବାପମାଆ

ନୂଆଗାଁ : ନୂଆଗାଁ ବ୍ଲକ୍ ବେରୁଆଁବାରୀ ପଞ୍ଚାୟତ ତୋଡ଼ିଗାଡ଼ିଆ ଗ୍ରାମର ଦଣ୍ତାସୀଙ୍କ ପରିବାର ଏବେ ଦୁଶ୍ଚିନ୍ତା ମଧ୍ୟରେ କାଳ କାଟୁଛନ୍ତି। ଦୁଇପୁଅଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ବଡ଼ପୁଅ କ୍ୟାନସର୍‌ ରୋଗରେ ପୀଡ଼ିତ ଥିବା ବେଳେ ସାନପୁଅ ଥାଲେସାମିଆ ପୀଡିତ। ସୂଚନା ଥାଉକି, ତୋଡ଼ିଗାଡ଼ିଆ ଗ୍ରାମର ଦଣ୍ତାସୀ ପ୍ରଧାନଙ୍କ ଦୁଇ ପୁଅ ମଧ୍ୟରୁ ଶ୍ରୀତମ ପ୍ରଧାନ (୧୭) ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ସାନପୁଅ ଲକ୍ଷ୍ମଣ (୧୨) ଷଷ୍ଠ ଶ୍ରେଣୀରେ ପଢ଼େ। ୧୪ ବର୍ଷ ହେଲା ବଡ଼ପୁଅ କ୍ୟାନସର୍‌ ଆକ୍ରାନ୍ତ। ବାପା ଦଣ୍ତାସୀ ପୁଅର କ୍ୟାନସର୍‌ ରୋଗ ବୋଲି ଜାଣିବା ପରେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଧାର୍‌କରଜ କରି ପୁଅକୁ ଭଲ କରିବାକୁ ଏ ମେଡିକାଲ୍‌ରୁ ସେ ମେଡିକାଲ୍‌ ଧାଇଁଥିଲେ। ପୁଅ ସୁସ୍ଥ ନ ହେବାରୁ ଭୁବନେଶ୍ବର ଏବଂ କଟକ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଉନ୍ନତି ଦେଖା ଦେବାରୁ ଘରକୁ ଆଣି ଏବେ ଚିକିତ୍ସିତ କରୁଛନ୍ତି।

ବଡ଼ପୁଅ କ୍ୟାନସର୍‌ ରୋଗଗ୍ରସ୍ତ ବୋଲି ଜଣାପଡ଼ିବା ପରେ ସେ ଆଉ ବିଦ୍ୟାଳୟକୁ ଯାଇନାହାନ୍ତି। ଏବେ ସେ ଦୁଇବର୍ଷ ହେବ ଦଶମ ଶ୍ରେଣୀ ପରୀକ୍ଷା ଦେବାରୁ ବଂଚିତ ହୋଇ ଘରେ ଅଛନ୍ତି। ସରକାରଙ୍କ ତରଫରୁ ତାଙ୍କୁ ଭିନ୍ନକ୍ଷମ ଭତ୍ତା ୫ ଶହ ଟଙ୍କା ଦିଆଯାଉଛି। ବଡ଼ ପୁଅକୁପ୍ରତିମାସ କଟକ ନେବା ଆଣିବାକୁ ପଡ଼ିଥାଏ। ସରକାରଙ୍କ ତରଫରୁ ମିଳୁଥିବା ସାହାଯ୍ୟ ସମୁଦ୍ରକୁ ଶଙ୍ଖେ ବୋଲି ଦଣ୍ତାସୀ କହିଛନ୍ତି। ସେହିପରି ସାନପୁଅ ଥାଲେସାମିଆ ପୀଡ଼ିତ। କିଛିଦିନ ହେବ ତାଙ୍କୁ ପ୍ରଥମେ ଜ୍ବର ହେବା ପରେ ଦେହରେ ଥାଲେସାମିଆ ରୋଗର ଭୂତାଣୁ ଥିବା ଜଣାପଡ଼ିଥିଲା। ପୁଅର ଏଭଳି ଅବସ୍ଥା ଦେଖି ବାପାଙ୍କ ଆଖିରୁ ନିଦ ହଜିଯାଇଥିଲା। ଏବେ ଉଭୟ ପୁଅଙ୍କ ପାଇଁ ଚିକିତ୍ସା ଜରୁରୀ ହୋଇପଡ଼ିଥିବା ବେଳେ ଅର୍ଥାଭାବ ଯୋଗୁ ବାପା, ମା’ଙ୍କ ମୁଣ୍ତରେ ଚଡ଼କ ପଡ଼ିଛି। ପରିବାରର ୬ ମାଣ ଜମିରୁ ୪ ମାଣ ବିକ୍ରି ସରିଲାଣି। ସରକାରୀ ସହାୟତା ପ୍ରଦାନ କରାଗଲେ ଦୁଇପୁଅଙ୍କ ଜୀବନ ବଞ୍ଚିଯାନ୍ତା ବୋଲି ଅଂଚଳବାସୀ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର