ମାସେ ହେଲା ବନ୍ଧାହୋଇ ରହିଛି ମାନସିକ ରୋଗୀ ଜାନକୀ, ଚିକିତ୍ସାରେ ଅର୍ଥ ବାଧକ

ଚକାପାଦ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍‌ ଆରାବାକା ପଞ୍ଚାୟତର କାମ୍ବ୍ରିକିଆ ଗ୍ରାମର ମଗୁ ମଳିକର ବଡ଼ ଝିଅ ଜାନକୀ ମଳିକ (୨୭) ମାସେ ହେଲା ମାନସିକ ରୋଗରେ ପୀଡିତ ହୋଇଥିବା ବେଳେ ଚିକିତ୍ସାରେ ଅର୍ଥ ବାଧକ ସାଜିଛି। । ଏପଟେ ଜାନକୀକୁ ପରିବାର ଲୋକେ ମାସେ ହେଲା ଘର ଭିତରେ ବାନ୍ଧି ରଖିଥିବା ‌ଜଣାପଡ଼ିଛି । ଜାନକୀ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲା ବେଳେ ଅପସ୍ମାର ରୋଗରେ ଆକ୍ରାନ୍ତ ହୋଇଥିଲେ । ସେହିଦିନଠାରୁ ପାଠପଢାରେ‌ ଡୋରିବନ୍ଧା ହୋଇଯାଇଥିଲା ବେଳ ପରିବାର ଲୋକେ ଡାକ୍ତରଖାନାରେ ଚିକିତ୍ସା କରିବାପରେ ଭଲ ହୋଇଯାଇଥିଲା । ଏହାପରେ ଘରେ ରହି ଜାନକୀ ଭଲଭାବେ ରୋଷେଇ କରିବା ସହ ଯାବତୀୟ ଘର କାମ କରିପାରୁଥିଲେ।

ବର୍ତ୍ତମାନ ମାସେ ହେଲା ଜାନକୀ ମାନସିକ ବିକାର ରୋଗରେ ପୀଡିତ ହେବାପରେ ଖାଇବା ପିଇବା କରୁନାହାନ୍ତି। ବେଳେବେଳ ହଠାତ୍ ଜୋରରେ କାନ୍ଦୁଥିବାବେଳେ ସାହିପଡ଼ିଶା ଲୋକ ଉଠିଯାଉଥିବା ଜଣାପଡ଼ିଛି । କେତେବେଳେ କେଉଁ ଆଡେ ଚାଲିଯାଉଥିବା ବେଳେ ପରିବାର ଲୋକେ ଖୋଜାଖୋଜି କରି ଘରକୁ ଆଣୁଛନ୍ତି । ଏପରି ବାରମ୍ବାର ଘରଛାଡି ପଳାଇଯାଉଥିବାରୁ ପରିବାର ଲୋକେ ବାଧ୍ୟ ହୋଇ ଘରେ ଜାନକୀକୁ ବାନ୍ଧି ରଖିଛନ୍ତି । ପରିବାର ଲୋକେ ମୂଲକାମ କରିବା ପାଇଁ ଗଲେ ସାଙ୍ଗରେ ଜାନକୀକୁ ନେଇ ଯାଉଛନ୍ତି ଏବଂ ସାଥିରେ ନେଇ ଆସୁଛନ୍ତି ।

ମଗୁଙ୍କର ତିନୋଟି ଝିଅ ଥିଲା ବେଳେ ଅନ୍ୟ ଝିଅଟି ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଉଭୟ ସ୍ବାମୀ ମଗୁ ଓ ସ୍ତ୍ରୀ ସରୀତା ମୂଲଲାଗି ପରିବାର ପ୍ରତିପୋଷଣ କଲା ବେଳକୁ କଷ୍ଟକର ହୋଇପଡୁଛି ବୋଲି କହିଛନ୍ତି । ଏନେଇ ସ୍ଥାନୀୟ ସରପଞ୍ଚ ନାରାୟଣ ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ବ୍ଲକ୍‌ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଜାନକୀଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇବେ ବୋଲି କହିଛନ୍ତି। ସରକାର ଓ ଜିଲ୍ଲା ପ୍ରଶାସନ କିମ୍ବା ସ୍ବେଚ୍ଛାସେବୀ ସଂସ୍ଥା ସହଯୋଗର ହାତ ବଢାଇଲେ ଜାନକୀ ମାନସିକଗ୍ରସ୍ତ ରୋଗରୁ ଭଲ ହୋଇପାରିବ ବୋଲି ପରିବାର ଲୋକେ ଆଶା ବାନ୍ଧିଛନ୍ତି।

ସମ୍ବନ୍ଧିତ ଖବର