ଚିକିତ୍ସାରେ ଅର୍ଥ ସାଜିଲା ବାଧକ : ପତ୍ନୀର ଏକାଦଶାହରେ ସ୍ୱାମୀ ଓ ପୁଅ ମୃତ

ନୀଳଗିରି: ଅର୍ଥାଭାବରୁ ଚିକିତ୍ସା ହୋଇପାରିଲେନି। ପତ୍ନୀର ଏକାଦଶାହରେ ସ୍ୱାମୀ ଓ ପୁଅଙ୍କ ମୃତ୍ୟୁ ଘଟଣା ନୀଳଗିରି ବ୍ଲକ ଜଡ଼ିଦା ପଞ୍ଚାୟତର ଯୋକନଣ୍ଡା ଗ୍ରାମରେ ସମସ୍ତଙ୍କୁ ଚକିତ କରିଛି। ଉକ୍ତ ଗ୍ରାମର ଗୋପୀନାଥ ପ୍ରଧାନଙ୍କ ପତ୍ନୀ ସୁମିତ୍ରା(୫୫)ଙ୍କ ଏକାଦଶାହ ଦିନ ସ୍ୱାମୀ ଓ ଦିବ୍ୟାଙ୍ଗ ବଡ଼ପୁଅ ରଂଜନ(୨୯)ଙ୍କ ମୃତ୍ୟୁ ହୋଇଛି। ଏ ନେଇ ସାରା ଗାଁରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ, ଯୋକନଣ୍ଡା ଗାଁର ଗୋପୀନାଥଙ୍କ ପରିବାରରେ ସ୍ତ୍ରୀ ସୁମିତ୍ରା (୫୫), ବଡ଼ପୁଅ ରଂଜନ (୨୯), ସାନପୁଅ ପରେଶ (୨୬), ସାନ ପୁତ୍ରବଧୂ ଓ ସେମାନଙ୍କର ୫ ବର୍ଷର ଏକ ନାତି। ନିଜର ଜମି ବାଡ଼ି ନ ଥିବାରୁ ସାନ ପୁଅ ପରେଶ ଯାହା ମୂଲ ଲାଗି ଆଣେ ସେଥିରେ କଷ୍ଟେମଷ୍ଟେ ଚଳିଯାନ୍ତି। ଯେଉଁ ଘରେ ରହୁଛନ୍ତି ସେହି ଘରଟିକୁ ନଡ଼ାଛପର ମରାମତି କରିବା ତାଙ୍କ ପକ୍ଷରେ କଷ୍ଟକର। ଗତ ୧୮/୨୦ ଦିନ ପୂର୍ବରୁ ସୁମିତ୍ରା ପକ୍ଷାଘାତରେ ପୀଡ଼ିତ ହେବା ଯୋଗୁଁ ପ୍ରଥମେ ନୀଳଗିରି ପରେ ବାଲେଶ୍ୱର ମେଡିକାଲକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ନେବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ। ମାତ୍ର ପରିବାରର ଆର୍ଥିକ ଅନଟନ ଯୋଗୁଁ କଟକ ବଡ଼ ଡାକ୍ତରଖାନା ନ ନେଇ ଘରକୁ ନେଇ ଆସିଥିଲେ। ଚିକିତ୍ସା ଅଭାବରୁ ଗତ ୧୧ ତାରିଖ ଦିନ ସୁମିତ୍ରାଙ୍କ ମୃତ୍ୟୁ ହୋଇଥିଲା। ଆଜି ତାଙ୍କର ଏକାଦଶାହ ଥିଲା। ଅନ୍ୟପକ୍ଷରେ ୪ଦିନ ପୂର୍ବରୁ ସୁମିତ୍ରାଙ୍କ ସ୍ୱାମୀ ଗୋପୀନାଥ(୬୫)ଙ୍କୁ କଳାଝାଡ଼ା ହୋଇଥିଲା। ସାନପୁଅ ପରେଶ ନୀଳଗିରି ଡାକ୍ତରଖାନାରେ କହି ଔଷଧ ଆଣି ଦେଇଥିଲେ। ଏଣେ, ଦିବ୍ୟାଙ୍ଗ ବଡ଼ଭାଇ ରଞ୍ଜନ ମା’ଙ୍କ ମୃତ୍ୟୁକୁ ନେଇ ଭାଙ୍ଗି ପଡ଼ିବା ସହିତ ତାଙ୍କୁ ମଧ୍ୟ ଜ୍ୱର ହୋଇଥିଲା। ଏପଟେ ମା’ଙ୍କ ଶୁଦ୍ଧିକ୍ରିୟା, ସେପଟେ ବାପା ଓ ବଡ଼ଭାଇଙ୍କ ଦେହ ଅସୁସ୍ଥ। ଗତକାଲି ରାତିଠାରୁ ବାପା ଓ ବଡ଼ଭାଇଙ୍କ ଦେହ ଆସ୍ତେ ଆସ୍ତେ ବିଗିଡ଼ିବାରେ ଲାଗିଲା। ପାଖରେ ପଇସା ନଥିବାରୁ ସାନ ପୁଅ ବାପା ଭାଇକୁ ଡାକ୍ତରଖାନାକୁ ନେଇପାରିଲେ ନାହିଁ। ରାତି ପାହୁ ପାହୁ ବାପ ପୁଅ ଦୁଇ ଜଣ ଆରପାରିକୁ ଚାଲିଗଲେ। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ଗ୍ରାମବାସୀ ଶବ ସତ୍କାରର ଆୟୋଜନ କରିଥିଲେ। ଖବର ପାଇ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ, ପୂର୍ବତନ ବିଧାୟକ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଘରେ ପହଞ୍ଚ ପରିବାରକୁ ସମବେଦନା ଜଣାଇଛନ୍ତି। ଆଜି ଅପରାହ୍ନରେ ଦୁଇଟି ଜୁଇରେ ବାପ ପୁଅଙ୍କ ଚିତା ଏକ ସଙ୍ଗରେ ଜଳିଛି। ଗୋଟିଏ ପରିବାର ଆର୍ଥିକ ଦୁରବସ୍ଥା ଯୋଗୁ ଚିକିତ୍ସା ଅବହେଳାରୁ ତିନି ତିନିଟି ଜୀବନ ଚାଲିଯିବା ଘଟଣା ଆଜିର ସରକାରୀ ଯୋଜନା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି।

ସମ୍ବନ୍ଧିତ ଖବର