ଲୁହା ଶିକୁଳିରେ ବନ୍ଧା ଯୁବକର ଜୀବନ: ଚିକିତ୍ସାରେ ଅର୍ଥ ବାଧକ

ଝରିଗାଁ: ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ଜନହିତକର ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ ହେଉଥିଲେ ହେ ତାହା ଅନେକ ସ୍ଥାନରେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ଅପହଞ୍ଚ ହୋଇରହୁଛି। ଅସହାୟ ଗରିବଙ୍କୁ ମାଗଣାରେ ଚିକିତ୍ସା ଯୋଗାଇଦେବା ପାଇଁ ସରକାରଙ୍କ ଯୋଜନା ରହିଛି, ତେବେ ଅନେକ ଅସହାୟ ଲୋକଙ୍କ ଚିକିତ୍ସା ଲାଗି ଅର୍ଥ ବାଧକ ସାଜିଥିବା କାରଣରୁ ସେମାନଙ୍କ ଜୀବନ ଦୁର୍ବିସହ ହୋଇ ପଡିଅଛି। ଏଭଳି ଏକ ଜ୍ଵଳନ୍ତ ଉଦାହରଣ ଦେଖୁ ବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ଅନ୍ତର୍ଗତ ବେଲଗାଁ ଗ୍ରାମରେ। ଏହି ଗ୍ରାମର ରାଇସିଂ ଦଳେଇ ଙ୍କ ବଡ଼ ପୁଅ ପୀତବାସ ଦଳେଇ(୨୩)ଙ୍କ କ୍ଷେତ୍ରରେ।

ପୀତବାସଙ୍କ କ୍ଷେତ୍ରରେ ହଠାତ ପାଗଳର ଲକ୍ଷଣ ଦେଖାଯିବା ପରେ ପରିବାର ସଦସ୍ୟ ତା ଗୋଡ଼ରେ ଲୁହା ଶିକୁଳି ବାନ୍ଧି ଏକଘରେ ରଖିବାକୁ ବାଧ୍ୟ ହେଉଛନ୍ତି। ରୋଜଗାର କ୍ଷମ ବଡ଼ ପୁଅ ବୃଦ୍ଧ ବାପା-ମା’ଙ୍କ ସାହାରା ପାଲଟିବା ପରିବର୍ତ୍ତେ ଏବେ ଏକ ପ୍ରକାର ବୋଝ ହୋଇ ଚିନ୍ତା ପାଲଟିଅଛି। ପୁଅର ଚିକିତ୍ସା ପାଇଁ ଏହି ଗରିବ ପରିବାର ପାଖରେ ଅର୍ଥ ନାହିଁ ଶେଷରେ ଭେଣ୍ଡିଆ ପୁଅକୁ ଏକ ଅନ୍ଧାର ଘରେ ଶିକୁଳିରେ ବାନ୍ଧି ରଖିବା ଛଡା ଆଉ କିଛି ରାସ୍ତା ନାହିଁ ଏହି ଗରିବ ପରିବାର ପାଖରେ। ରାଇସିଂଙ୍କ କହିବା ପ୍ରକାରେ ପୁଅ ପୀତବାସ ଆଜକୁ ଛଅ ମାସ ପୂର୍ବେ ଅଧିକ ଟଙ୍କା ରୋଜଗାର ଆଶାରେ ଗାଁର ସାଙ୍ଗ ମାନଙ୍କ ସହିତ ମାଲକାନଗିରି ଜିଲ୍ଲାରେ ଯାଇ କାମ କରୁଥିଲା।

ତେବେ ସେଠାରେ ତାର ପାଗଳାମୀ ଲକ୍ଷଣ ଦେଖି ସାଙ୍ଗ ମାନେ ତାକୁ ଘରେ ଆଣି ଛାଡିଥିଲେ। ପ୍ରଥମେ ତାକୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇଥିଲେ ତେବେ ତାକୁ ବାହାରକୁ ନେବାକୁ କହିଥିଲେ, ଶେଷରେ ଅର୍ଥ ଯୋଗାଡ଼ ନହେବାରୁ ପୀତବାସ ର ଦେଶୀ ଔଷଧ ଓ ପରେ ଶିରା ଗୁଣିଆ ଦ୍ୱାରସ୍ଥ ହୋଇଥିଲେ।ସମୟ ବିତିବା ସଙ୍ଗେ ସଙ୍ଗେ ପୀତବାସର ପାଗଳାମି ବଢ଼ିଲା ଓ ସେ ଗାଁର ଲୋକଙ୍କୁ ଆକ୍ରମଣ କଲା ଶେଷରେ ତାକୁ ଶିକୁଳିରେ ବାନ୍ଧିରଖିଲେ।

ରାଇସିଂ କୁଲି କରି ପରିବାର ପ୍ରତିପୋଷଣ କରି ଆସୁଥିବା ବେଳେ ସରକାରୀ ସାହାଯ୍ୟ କହିଲେ ମାସିକ ୩୫କେଜି ଚାଉଳ।ଦୀର୍ଘ ବର୍ଷ ପୂର୍ବରୁ ଆବାସଗୃହ ମିଳିଥିଲା। ତେବେ ତାହା ଏବେ ଭାଙ୍ଗି ଯାଇଥିବାରୁ ଏବେ ସମସ୍ତେ ଏକ ଝାଟିମାଟି ଝିକର ର କୁଡ଼ିଆ ରେ ରାହୁଅଛନ୍ତି। ପୀତବାସ ହଠାତ କାହିଁକି ମାନସିକ ବିକାରଗ୍ରସ୍ତ ହୋଇଥଲେ ପରିବାର ଲୋକେ ଜାଣିପାରିଲେ ନାହିଁ। ଏଭଳି ଗରିବ ଅସହାୟ ବିକାରଗ୍ରସ୍ତ ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତାଯୋଗାଇ ଦେଲେ ହୁଏତ ଚିକିତ୍ସାଦ୍ଵାରା ତାଙ୍କର ପରିବର୍ତ୍ତନ ହୋଇପାରନ୍ତା ବୋଲି ସ୍ଥାନୀୟ ବେଲଗାଁ ଗ୍ରାମବାସୀ ପ୍ରକାଶ କରିଛନ୍ତି। ବିଭାଗୀୟ ଅଧିକାରୀ ଏଥିନେଇ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର