ଅର୍ଥାଭାବରୁ ନେଇପାରିଲେନି ସ୍ବାମୀଙ୍କ ଶବ, ମେଡିକାଲରେ ପଡ଼ିରହିଲା ୨୪ ଘଣ୍ଟା

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ମେଡାକାଲରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କେନ୍ଦୁଝର ଜିଲ୍ଲାରୁ କାମ କରିବାକୁ ଆସିଥିବା ଜଙ୍ଗରାଇ ମୁଣ୍ଡା (୫୨) ଗତକାଲି ରାତି ୧୦ଟା ବେଳେ ପଟ୍ଟାମୁଣ୍ଡାଇ ମେଡିକାଲରେ ମୃତ୍ୟୁ ବରଣ କରିଥିବା ବେଳେ ଅର୍ଥାଭାବରୁ ତାଙ୍କ ଶବକୁ ତାଙ୍କ ପତ୍ନୀ ମିନତୀ ମୁଣ୍ଡା ଘରକୁ ନେଇ ନପାରି ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ମେଡିକାଲରେ ଜଗି ରହିଛନ୍ତି। ଏହି ଖବର ଶୁଣି ବହୁ ଲୋକ ମେଡିକାଲରେ ପହଞ୍ଚି ସହଯୋଗର ହାତ ବଢାଇଥିଲେ ମଧ୍ୟ ଶବ ଘରକୁ ଯାଇପାରି ନାହିଁ। ସୂଚନା ଅନୁଯାୟୀ କେନ୍ଦୁଝର ଜିଳ୍ଲା ସାରପଡା ଥାନା ଅନ୍ତର୍ଗତ ଦୁଦୁନାଳି ଗ୍ରାମର ଜଙ୍ଗରାଇ ମୁଣ୍ଡା ଓ ସ୍ତ୍ରୀ ମିନତୀ ମୁଣ୍ଡା ପୌରପରିଷଦ ଅନ୍ତର୍ଗତ ଚାହାପଡା ଗ୍ରାମରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ। ଜଙ୍ଗରାଇ ଦୁଇମାସ ଧରି ଜ୍ୱରରେ ପୀଡିତ ଥିଲେ। ଅର୍ଥ ଅଭାବରୁ ତାଙ୍କୁ ଚିକିତ୍ସା କରାଯାଇପାରୁ ନଥିଲା। ଗତକାଲି ସନ୍ଧ୍ୟାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ମେଡିକାଲକୁ ଅଣାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମିନତୀଙ୍କ ପାଖରେ ଅର୍ଥ ନଥିବା ଯୋଗୁ ସେ ସ୍ବମୀଙ୍କ ଶବକୁ ଜଗି ରହିଥିଲେ। ଦଳିତ ଜାତିସଂଘ ପକ୍ଷରୁ ସଭାପତି କଳ୍ପତରୁ ମଲ୍ଳିକଙ୍କ ନେତୃତ୍ବରେ ଉକ୍ତ ଘଟଣାକୁ ପୌରନିର୍ବାହୀ ଅଧିକାରୀ ସଂପକ କୁମାର ସ୍ବାଇଁଙ୍କ ଦୃଷ୍ଟିକୁ ଅଣାଯିବା ସହ ତାଙ୍କ ସଂଘ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା। ଆଜି ସନ୍ଧ୍ୟାରେ ସେଚ୍ଛାସେବୀ ମାନଙ୍କ ସହାୟତାରେ ଜାଙ୍ଗରାଇଙ୍କ ଶବକୁ ଶତ୍କାର ପାଇଁ ଚାହାପଡା ଗ୍ରାମକୁ ନିଆଯାଇଛି।

ସମ୍ବନ୍ଧିତ ଖବର