ଟ୍ୟୁମର କ୍ୟାନ୍ସରରେ ଆକ୍ରାନ୍ତ ୪ ବର୍ଷର ମେହର, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ 

ଟିକିରି: ଚାରି ବର୍ଷ ବୟସର ଶିଶୁ ମେହର ଟ୍ୟୁମର କ୍ୟାନ୍ସର ଭଳି ଜଟିଳ ରୋଗରେ ଆକ୍ରାନ୍ତ ହୋଇ ଅକଥନୀୟ ଯନ୍ତ୍ରଣା ଭୋଗୁଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ବାଧକ ହେବା ଯୋଗୁ ଭାଗ୍ୟକୁ ଆଦରି ପଡ଼ି ରହିଛି। ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକର ଟିକିରି ପଞ୍ଚାୟତର ଲିଲିଗୁମ୍ମା ଗ୍ରାମର ନିଶିକେଶନ ଗୌଡ଼ଙ୍କ ଚାରି ବର୍ଷର ପୁଅ ମେହର। ନିଶିକେଶନଙ୍କ କହିବା ଅନୁଯାୟୀ, ମେହର ଜନ୍ମ ହେବାର ୬ ମାସ ପରେ ତାହାର ବାଆଁ ପଟ ଗାଲ ସାମାନ୍ୟ ଫୁଲିବା ଜଣାପଡିଥିଲା। ଧିରେଧିରେ ଏହି ଫୁଲା ସଂପୂର୍ଣ୍ଣ ମାଡିବା ସହ ଆଖିକୁ ଘୋଡେ଼ଇ ଦେଇଛି। ବର୍ତ୍ତମାନ ବାଆଁ ପଟ ଆଖି ବନ୍ଦ ହୋଇଯିବା ସହ ବେଳେବେଳେ ଯନ୍ତ୍ରଣା ହେଉଥିବା ପ୍ରକାଶ କରିଛନ୍ତି।

ପୁଅର ଚିକିତ୍ସା ପାଇଁ ପ୍ରଥମେ ରାୟଗଡ଼ା ଡ଼ାକ୍ତରଖାନାକୁ ନେଇଥିଲେ। କିନ୍ତୁ ସ୍ବାସ୍ଥ୍ୟରେ କୈାଣସି ଉନ୍ନତି ନହେବାରୁ ଗତବର୍ଷ ଭୁବନେଶ୍ବରର ସ୍ଥିତ ଏକ ଘରୋଇ ହସପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ତେବେ ମେହର ଟ୍ୟୁମର କ୍ୟାନ୍ସରରେ ଆକ୍ରାନ୍ତ ଏବଂ ଏହା ଅସ୍ତ୍ରୋପଚାର ଦରକାର ବୋଲି ଡ଼ାକ୍ତର ପରାମର୍ଶ ଦେଇଥିଲେ। ନିଶିକେଶନ ଜଗୁଆଳି ଭାବେ ଏକ ବନ ବିଭାଗର ପ୍ଲାଣ୍ଟେସନ ରେ କାମ କରନ୍ତି ଏବଂ ଏହି କାମ ମଧ୍ୟ ଅସ୍ଥାୟୀ। ତାଙ୍କର ଅନ୍ୟ କୈାଣସି ରୋଜଗାର ପନ୍ଥା ନାହିଁ। ସାମାନ୍ୟ ଦରମାରେ ପରିବାରକୁ ଚଳେଇବା ସମ୍ଭବ ହେଉ ନଥିବା ବେଳେ ପୁଅର ଅସ୍ତ୍ରୋପଚାର ପାଇଁ ଟଙ୍କା ଯୋଗାଡ଼ କରିପାରୁ ନାହାନ୍ତି। ନିଶିକେଶନଙ୍କ କହିବା ଅନୁଯାୟୀ, ଏଥିପୂର୍ବରୁ ତାଙ୍କର ତିନି ବର୍ଷର ଝିଅ ମଧ୍ୟ ସମାନ ଭାବରେ ରୋଗାକ୍ରାନ୍ତ ହେବା ସହ ମୃତ୍ୟୁ ଘଟିଛି। ତେବେ ମେହରର ଗୋଟିଏ ଆଖି ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ଝିଅର ଆଖି ଡୋଳା ବାହାରକୁ ବାହାରି ଆସିଥିଲା।ମେହରର ଚିକିତ୍ସା ପାଇଁ ସରକାରୀ ସାହାଯ୍ୟ ନିମନ୍ତେ ଆକୁଳ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର