ନାତି ପାଇଁ ବନ୍ଧା ପଡ଼ିଛି ରାସନକାର୍ଡ : ଅର୍ଥ ଅଭାବରୁ ଉପଯୁକ୍ତ ଚିକିତ୍ସା ନ ପାଇ ଯନ୍ତ୍ରଣାରେ ଛଟପଟ ହେଉଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବଡ଼ରାମସା ଗ୍ରାମର ୧୩ ବର୍ଷୀୟ ନାବାଳକ ଜଗନ୍ନାଥ ହରିଜନ

ଝରିଗାଁ : ଗୋଡ଼, ହାତ, ମୁହଁ ଓ ପେଟ ଫୁଲିବା ଯୋଗୁଁ ଅସହ୍ୟ ଯନ୍ତ୍ରଣା ହେଉଛି। ଆର୍ଥିକ ସ୍ଥିତି ଭଲ ନଥିବାରୁ ପରିବାର ଲୋକ ପୁଅର ଚିକିତ୍ସା କରାଇ ପାରୁନାହାନ୍ତି। ଧାର କରଜ କରି ଚିକତ୍ସା କରିବା ପରେ ମଧ୍ୟ ନାବାଳକ ଜଣକ ସୁସ୍ଥ ହୋଇପାରୁନାହାନ୍ତି। ଅନ୍ୟପଟେ ଗତ ଦିନରେ ଅଜଣା ରୋଗରେ ପୀଡ଼ିତ ନାବାଳକଙ୍କ ଜେଜେମା’ ନିଜ ରାସନ କାର୍ଡ ବନ୍ଧକ ରଖି ନାତିର ଚିକିତ୍ସା କରାଇଥିଲେ ହେଁ କୌଣସି ସୁଫଳ ମିଳିନଥିଲା। ବର୍ତ୍ତମାନ ପାଖରେ ଆଉ ଟଙ୍କା ନଥିବାରୁ ବାଧ୍ୟ ହୋଇ ପରିବାର ଲୋକ ଦେଶୀ ଔଷଧ ଦ୍ୱାରା ପୁଅର ଚିକିତ୍ସା କରୁଛନ୍ତି। ଅର୍ଥ ଅଭାବରୁ ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ ହୋଇ ଏଭଳି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ରାମସା ଗ୍ରାମର ଦେବସିଂ ହରିଜନଙ୍କ ପୁଅ ଜଗନ୍ନାଥ ହରିଜନ।

ପତ୍ନୀ ଓ ୪ପୁଅକୁ ନେଇ ଦେବସିଂ ହରିଜନଙ୍କ ପରିବାର। କୁଲି କରି ଦେବସିଂ ଦୁଃଖକଷ୍ଟରେ ପରିବାର ଚଳାଉଛନ୍ତି। ତେବ‌େ ଗତ ୨ବର୍ଷ ତଳେ ହଠାତ୍‌ ଦେବସିଂଙ୍କ ଦ୍ୱିତୀୟ ପୁଅ ଜଗନ୍ନାଥ(୧୩)ଙ୍କ ଗୋଡ଼, ହାତ, ମୁହଁ ଓ ପେଟ ଫୁଲିଥିଲା। ଏଥିଯୋଗୁଁ ଜଗନ୍ନାଥ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ଦେବସିଂ ଧାର କରଜ କରି ପୁଅକୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ଡାକ୍ତର ନବରଙ୍ଗପୁର ନେବାକୁ ପରାମର୍ଶ ଦେଇଥିଲେ। ପାଖରେ ଟଙ୍କା ନଥିବାରୁ ପରିବାର ଲୋକ ଜଗନ୍ନାଥଙ୍କୁ ନବରଙ୍ଗପୁର ନନେଇ ଘରକୁ ନେଇ ଆସିଥିଲେ। ଏହାର କିଛି ଦିନ ପରେ ଦେବସିଂ ଟଙ୍କା ଯୋଗାଡ଼ କରି ଜଗନ୍ନାଥଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେଇଥିଲେ। ସେଠାରେ ୮ଦିନ ଧରି ଜଗନ୍ନାଥ ଚିକିତ୍ସିତ ହେବା ପରେ ପରିବାର ଲୋକ କିଛି ଔଷଧ ନେଇ ଘରକୁ ଚାଲି ଆସିଥିଲେ। କିନ୍ତୁ କିଛି ଦିନ ପରେ ପୁଣିଥରେ ଜଗନ୍ନାଥ ଯନ୍ତ୍ରଣା ଅନୁଭବ କରିଥିଲେ। ଥଣ୍ଡା ପଡିବା ମାତ୍ରେ ଜଗନ୍ନାଥଙ୍କ ମୁହଁ, ପେଟ ଓ ଗୋଡ଼ ଫୁଲି ଯାଉଥିବା ବେଳେ ପାଖରେ ଟଙ୍କା ନଥିବାରୁ ଦେବସିଂ ପୁଅକୁ ଚିକିତ୍ସା ପାଇଁ ହାସପାତାଳ ନେଇପାରୁନାହାନ୍ତି।

ଅନ୍ୟପଟେ ଜଗନ୍ନାଥଙ୍କ ଏଭଳି ଅବସ୍ଥା ଦେଖି ଗତ ଦିନରେ ତାଙ୍କ ଜେଜେମା’ ନିଜ ରାସନ କାର୍ଡ ବନ୍ଧକ ରଖି ଜଗନ୍ନାଥଙ୍କ ଚିକିତ୍ସା କରାଇଥିଲେ। କିନ୍ତୁ ଏହାପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଜଗନ୍ନାଥ ଗାଁ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ବେଳେ ଅଜଣା ରୋଗରେ ଆକ୍ରାନ୍ତ ହେବା ପରେ ଆଉ ବିଦ୍ୟାଳୟ ଯାଇନପାରି ଘରେ ରହୁଛନ୍ତି। ଜଗନ୍ନାଥଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ଜାଣି ଗତ ଦିନରେ ବିଦ୍ୟାଳୟର ଶିକ୍ଷକ ମାନେ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଇଥିଲେ। ଏହାପରେ ମଧ୍ୟ ଜଗନ୍ନାଥ ସୁସ୍ଥ ହୋଇପାରିନଥିଲେ। ବର୍ତ୍ତମାନ ପରିବାର ଲୋକଙ୍କ ପାଖରେ ଟଙ୍କା ନଥିବାରୁ ବାଧ୍ୟ ହୋଇ ଦେଶୀ ଔଷଧ ଦ୍ୱାରା ଜଗନ୍ନାଥଙ୍କ ଚିକିତ୍ସା କରାଯାଉଛି। ଗରିବ ଲୋକଙ୍କ ଚିକିତ୍ସା ପାଇଁ ସରକାର ଯୋଜନା ପ୍ରଣୟନ କରୁଥିଲେ ହେଁ ଜଗନ୍ନାଥଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ମିଳିନପାରିବା ପରିତାପର ବିଷୟ ବୋଲି ପରିବାର ଲୋକ କହିଛନ୍ତି। ଅନ୍ୟପଟେ ଜଗନ୍ନାଥଙ୍କ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର