ଖଡିଆଳ : ପକ୍ଷାଘାତ ରୋଗରେ ପୀଡିତ ଗୋଇମୁଣ୍ଡି ଗ୍ରାମର ଅଶୋକ ଚଳାନଙ୍କ ଚିକିତ୍ସା ନିମନ୍ତେ ସହାୟତା ପାଇଁ ଆକୁଳ ନିବେଦନ

ଖଡିଆଳ : ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଗୋଇମୁଣ୍ଡି ଗ୍ରାମରେ ଅଶୋକ ଚଳାନଙ୍କ ପରିବାର। ତାଙ୍କର ସ୍ତ୍ରୀ ଝୁନୀ ଚଳାନ ଓ ଦେଢ ବର୍ଷର ଏକ ଶିଶୁ ଅଛନ୍ତି। ଗତ ମାର୍ଚ୍ଚ ୨ ତାରିଖରେ ହଠାତ ପକ୍ଷାଘାତ ରୋଗରେ ଅଶୋକ ଆକ୍ରାନ୍ତ ହୋଇପଡିଥିଲେ। ଅଶୋକଙ୍କୁ ପକ୍ଷାଘାତ ହେବା ଫଳରେ ବାମଗୋଡ ଓ ବାମହାତ ଅଚଳ ହୋଇପଡିଛି। ସେ ନିଜେ ଚଲାବୁଲା କରିପାରୁନାହାନ୍ତି । ତାଙ୍କ ସ୍ତ୍ରୀ ଝୁନି ଓ ପୁତୁରାମାନଙ୍କ ସହଯୋଗରେ ବାହାରକୁ ଆସି ପରିସ୍ରା ଓ ଝାଡା କରିପାରୁଛନ୍ତି । ବର୍ତମାନ ତାଙ୍କ ପାଖରେ ଅର୍ଥ ନଥିବାରୁ ସ୍ତ୍ରୀ ଝୁନି କୌଣସି ବଡ ହସପିଟାଲକୁ ନେଇ ଚିକିତ୍ସା କରିପାରୁନାହାନ୍ତି । ସେ ଦାରିଦ୍ର ସୀମାରେଖା ତଳେ ଥିବା ପରିବାର ହୋଇଥିବା ବେଳେ ଖଡିଆଳରେ ଏକ ଦୋକାନରେ କାମ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ । ଏବେ ୧୯ ଦିନ ହେଲା ଏହି ପକ୍ଷାଘାତ ରୋଗରେ ପିଡିତ ହେବା ଫଳରେ ଆଉ ଦୋକାନ ଯାଇନପାରି ଘରେ ପଡିରହି ଛଟପଟ ହେଉଛନ୍ତି ।

ସୂଚନା ଥାଉକି ସ୍ୱାମୀ ଅଶୋକଙ୍କୁ ସ୍ତ୍ରୀ ଝୁନି ଖଡିଆଳ ଉପଖଣ୍ଡ ଚିକିତ୍ସାଳୟ ନେଇ ଚିକିତ୍ସା କରାଇଥିଲେ । ଡାକ୍ତରମାନେ ଉଚ୍ଚ ଚିକିତ୍ସା ପାଇଁ ଅନ୍ୟତ୍ର ନେବା ପାଇଁ ପରାମର୍ଶ ଦେବାଫଳରେ ଅନ୍ୟ ଉପାୟ ନପାଇ ଘରକୁ ନେଇ ଆସିଥିଲେ। ଏବେ ଅଶୋକ ଘରେ ପଡିରହିଛନ୍ତି । ସ୍ତ୍ରୀ ଝୁନି ସରକାରୀ ସହାୟତା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ଆକୁଳ ନିବେଦନ କରିଛନ୍ତି । ଏ ବିଷୟରେ ଖଡିଆଳ ବିଡିଓ ଉତମ କୁମାର ବାଗଙ୍କୁ ଯୋଗାଯୋଗ କରାଯିବାରୁ ଅଶୋକ ଚଳାନଙ୍କ ମେଡିକାଲ ରିପୋର୍ଟ ସହିତ ଏକ ଦରଖାସ୍ତ ଦେଲେ ମୁଁ ନୂଆପଡା ଜରୁରିକାଳିନ ବିଭାଗକୁ ପଠାଇ ଦେବି ଆଉ ତାଙ୍କ ପାଇଁ ଆବାସ ଯୋଜନା ମଧ୍ୟ କରାଯିବ ବୋଲି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର