ଟଙ୍କା ଫେରସ୍ତ ଦାବିରେ ସାହାରା ଆଞ୍ଚଳିକ କାର୍ଯ୍ୟାଳୟ ଘେରିଲେ, ଗଂଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଜମାକାରୀ, ଏଜେଣ୍ଟ୍‌ଙ୍କ ‌ବିକ୍ଷୋଭ 

କମ୍ପାନି ମୁଖ୍ୟ ସୁବ୍ରତ ରୟଙ୍କ କୁଶପୁତ୍ତଳିକା ଦାହ

ଭଞ୍ଜନଗର : ମାଚ୍ୟୁରିଟି ରାଶି ମିଳି ନଥିବା ପ୍ରତିବାଦରେ ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗରସ୍ଥିତ ସାହାରା କମ୍ପାନି ଆଞ୍ଚଳିକ କାର୍ଯ୍ୟାଳୟକୁ ବହୁ ଜମାକାରୀ ଓ ଏଜେଣ୍ଟ୍‌ ଘେରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜିଲ୍ଲାର ଆସିକା ଓ ପୋଲସରା ସମେତ ବିଭିନ୍ନ ଅଞ୍ଚଳରୁ ଶତାଧିକ ଜମାକାରୀ ଓ ଏଜେଣ୍ଟ୍‌ ଆଜି ମଧ୍ୟାହ୍ନରେ କାର୍ଯ୍ୟାଳୟରେ ପହଞ୍ଚି ପ୍ରବଳ ହଟ୍ଟଗୋଳ କରିଥିଲେ। ଏହାସହ କମ୍ପାନି ମୁଖ୍ୟ ସୁବ୍ରତ ରୟ ସାହାରାଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ସେମାନଙ୍କ ଅଭିଯୋଗ ହେଉଛି, ଅର୍ଥ ବିନି‌ଯୋଗ କରି କାହାର ୫ ବର୍ଷ ତ, ଆଉ କାହାର ୮ ବର୍ଷ ହୋଇସାରିଥିଲେ ବି କମ୍ପାନି ପକ୍ଷରୁ ଏଯାଏ ମାଚ୍ୟୁରିଟି ଟଙ୍କା ମିଳିନି। କିଛିଦିନ ହେଲା ଆସିକାରେ ଥିବା ଅଫିସ୍‌କୁ ବି କମ୍ପାନି ପକ୍ଷରୁ ବନ୍ଦ କରିଦିଆ ଯାଇଛି। ବାରମ୍ବାର ଅବଗତ କରାଯିବା ସତ୍ତ୍ବେ, କମ୍ପାନି ପକ୍ଷରୁ ଟଙ୍କା ଫେରାଉ ନଥିବାରୁ ଜମାକାରୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଫଳରେ ଏଜେଣ୍ଟ୍‌ମାନେ ଜମାକାରୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଏଭଳି ପରିସ୍ଥିତିରେ ବର୍ତ୍ତମାନ କମ୍ପାନି କର୍ତ୍ତୃପକ୍ଷ ଟଙ୍କା ଫେରାଇବାରେ ମନମୁଖି ନୀତି ଗ୍ରହଣ କରୁଛନ୍ତି। କିଛି ମୁଷ୍ଟିମେୟ ଓ ପରିଚିତ ଲୋକଙ୍କୁ ହିଁ ଟଙ୍କା ଫେରସ୍ତ କରାଯାଉଥିବା ବେଳେ ଗରୀବ ଓ ଅଭାବୀଙ୍କୁ ଅଣଦେଖା କରାଯାଉଛି। ବର୍ତ୍ତମାନ ବହୁ ଜମାକାରୀ ସଞ୍ଚିତ ଅର୍ଥରେ ସେମାନଙ୍କ ଝିଅ ବାହାଘର ଓ ଘର ତିଆରି ପାଇଁ ଆଶା ରଖିଥିଲେ। କିନ୍ତୁ କମ୍ପାନି ଟଙ୍କା ଫେରାଉ ନଥିବାରୁ ସେମାନଙ୍କ ସବୁ ଆଶା ଧୂଳିସାତ୍ ହୋଇଛି।

ଏଥିପାଇଁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ପୁଲିସ ନିକଟରେ ଜମାକାରୀ ଓ ଏଜେଣ୍ଟ୍‌ମାନେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ଏଭଳି ବିଭିନ୍ନ ଅଭିଯୋଗ ଆଣି ଅଫିସ୍ ସମ୍ମୁଖ‌ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାସହ ପରିଚାଳକଙ୍କ ସହ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଆନ୍ଦୋଳନକାରୀ କାର୍ଯ୍ୟାଳୟ ବାହାରେ ରୁଣ୍ଡ ହୋଇ ରହିଛନ୍ତି। ଏଥିସହ କମ୍ପାନି ବିରୋଧରେ ଭଞ୍ଜନଗର ଥାନାରେ ଏତଲା ଦେବା ନିମନ୍ତେ କିଛି ଜମାକାରୀ ଓ ଏଜେଣ୍ଟ୍‌ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର