ରାୟଗଡା : ଦୁର୍ଗମ ବ୍ଲକ୍ରେ ବଡ଼ ଜାଲିଆତି। ଗୋଟିଏ ରାସ୍ତା ପାଇଁ ୬ଥର ହୋଇଛି ବିଲ୍। ତଥାପି ସଂପୂର୍ଣ୍ଣ ହୋଇପାରିଲାନି ରାସ୍ତା। ଅଳ୍ପ କାମ କରି ପାଖାପାଖି ୪୫ଟଙ୍କା ହଡ଼ପ କରାଯାଇଛି। ଲୋକପାଳଙ୍କ ତଦନ୍ତ ସମୟରେ ଠୋସ୍ ପ୍ରମାଣ ସହ ପୁଳାପୁଳ ଅଭିଯୋଗ ମିଳିଛି। ଏ ନେଇ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଛି। ତଥାପି କାର୍ଯ୍ୟାନୁଷ୍ଠାନ ଶୂନ। ଅପରପକ୍ଷରେ ତରବରିଆ ଭାବେ ଜାଲ୍ କାଗଜପତ୍ର ଯୋଗାଡ଼ କରି କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲିଛି।
ସୂଚନା ଅନୁଯାୟୀ, ୨୦୨୧ ମସିହା ଜୁଲାଇ ମାସ ୯ତାରିଖରେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ବିଜାପୁର ପଞ୍ଚାୟତର ବଡ଼ପଙ୍ଖାଳ, ସାନପଙ୍ଖାଳ ଏବଂ ମରିଚଗୁଡ଼ା ୧୨ଜଣ ଶ୍ରମିକ ଦଣ୍ଡାସି ମାଝିଙ୍କ ନେତୃତ୍ବରେ ରାସ୍ତା କାମରେ ବ୍ୟାପକ ତଞ୍ଚକତା ହୋଇଥିବା ଅଭିଯୋଗ କରିଥିଲେ। ସୁରଲୁ ଠାରୁ ସାନପଙ୍ଖଳ ପର୍ଯ୍ୟନ୍ତ ଆଦୌ ରାସ୍ତା କାମ ନକରି ସଂପୂର୍ଣ୍ଣ ଟଙ୍କା ହଡ଼ପ କରାଯାଇଥିବା ଲୋକପାଳଙ୍କୁ ଜଣାଇଥିଲେ। ଅଭିଯୋଗ ଆଧାରରେ ନିଜେ ଲୋକପାଳ ପହଞ୍ଚି ତଦନ୍ତ ଆରମ୍ଭ କଲେ। ସାମ୍ନାରେ ଯାହା ଦେଖିଲେ ତାହାକୁ ଆଦୌ ବିଶ୍ବାସ କରିପାରି ନଥିଲେ। କାରଣ ଗୋଟିଏ ରାସ୍ତା ପାଇଁ ୬ଥର ଅନୁଦାନ ଖର୍ଚ୍ଚ କରାଯାଇଛି ଅଥଚ କାମ ସଂପୂର୍ଣ୍ଣ ହୋଇନାହିଁ। ଯେଉଁ ସୂଚନା ଫଳକ ରହିଛି ସେଥିରେ ମଧ୍ୟ ଅସ୍ପଷ୍ଟ ଏବଂ ତ୍ରୁଟିପୂର୍ଣ୍ଣ ସୂଚନା ରହିଥିଲା।
ସରକାରୀ ରେକର୍ଡ ଅନୁସାରେ ସୁରଲୁ ଠାରୁ ସାନପଙ୍ଖାଳ, ସୁରଲୁ ଘାଟିରୁ ସାନପଙ୍ଖାଳ, ସୁରଲୁ ଠାରୁ ବଡ଼ପଙ୍ଖାଳ, ବଡ଼ପଙ୍ଖଳ ଠାରୁ ସାନପଙ୍ଖାଳ, ଗାଡେଙ୍ଗି ଠାରୁ ବଡପଙ୍ଖାଳ ଏବଂ ଗାଡେଙ୍ଗା ବ୍ରିଜ ଠାରୁ ବଜପଙ୍ଖାଳ ପର୍ଯ୍ୟନ୍ତ ରାସ୍ତା ହୋଇଥିବା ଦର୍ଶାଯାଇଛି। ମୋଟ ୫୩ଲକ୍ଷ ୬୯ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଇ ବିଲ୍ ହୋଇଛି। ସଂପୂର୍ଣ୍ଣ ଟଙ୍କା ଉଠି ସାରିଥିଲେ ସୁଦ୍ଧା ସୁରଲୁ ଠାରୁ ସାନପଙ୍ଖାଲ ପର୍ଯ୍ୟନ୍ତ ମାତ୍ର ୩ଶହ ମିଟର କାମ ହୋଇଛି। ତାହା ମଧ୍ୟ ଘାଟି କାଟିବା କାମ ବୋଲି ଲୋକପାଳଙ୍କ ତଦନ୍ତ ସମୟରେ ଜଣାପଡ଼ିଥିଲା। ଅଧିକ ତଦନ୍ତ ପାଇଁ ଲୋକପାଳ ୨୦୨୧ ମସିହା ଜୁଲାଇ ୩୦ତାରିଖରେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିବା ବେଳକୁ ତାଲା ଝୁଲୁଥିଲା। କାମ ପାଇଁ ବ୍ୟବହାର ହୋଇଥିବା ସାମଗ୍ରୀ ବାବଦ ବିଲ୍ରେ ପୂର୍ବତନ ପିଇଓ ସୁଶୀଳ ନିମାଲପୁରିଙ୍କ ପତ୍ନୀ ଶକୁନ୍ତଳା ନିମାଲପୁରିଙ୍କ ନାମରେ ରହିଥିଲା। ଯାହା ସନ୍ଦେହକୁ ଦୃଢ଼ୀଭୂତ କରିଥିଲା।
ଅନ୍ୟପଟେ ତଦନ୍ତ ଆରମ୍ଭ ହୋଇଯିବାରୁ ବ୍ଲକ୍ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଥିଲା। ଚପାଇ ଦେବାକୁ ଯଥାସାଧ୍ୟ ଉଦ୍ୟମ କରିବା ସହ ରଫାଦଫା ପାଇଁ ପୂରା ପ୍ରୟାସ କରିଥିଲେ। ଚଳିତ ବର୍ଷ ଜାନୁଆରି ୪ତାରିଖ ଦିନ ଲୋକପାଳଙ୍କ ନିକଟରେ ଏପିଓ ଏବଂ କନିଷ୍ଠ ଯନ୍ତ୍ରୀ ପହଞ୍ଚି ମଷ୍ଟର ରୋଲ ସହ ସମସ୍ତ ନଥିପତ୍ର ଦାଖଲ କରିଥିଲେ। ତେବେ ତଦନ୍ତ ସମୟରେ ଯେଉଁ ପ୍ରମାଣ ମିଳିଥିଲା, ଦାଖଲ ହୋଇଥିବା ନଥିପତ୍ରରେ ତାହା ନଥିଲା। ଏପରିକି ଶକୁନ୍ତଳା ନିମାଲପୁରିଙ୍କ ନାମରେ ପୂର୍ବରୁ ରହିଥିବା ବିଲ୍କୁ ପରିବର୍ତ୍ତନ କରାଯାଇଥିଲା। ଠିକାଦାର ସୋମନାଥ ନନ୍ଦଙ୍କ ନାମରେ ନୂଆ ବିଲ୍ କରି ଲୋକପାଳଙ୍କୁ ଦିଆଯାଇଥିଲା।
ବିଶ୍ବସ୍ତ ସୂତ୍ର ଅନୁସାରେ, ଦୁର୍ନୀତି ପଦାରେ ପଡ଼ିବା ପରେ ବିଡିଓଙ୍କ ନିକଟରେ ପିଇଓ ପହଞ୍ଚି ୨୧ଲକ୍ଷ ୭୬ହଜାର ୩୦୭ଟଙ୍କା ନଗଦ ପ୍ରଦାନ କରିଥିଲେ। ସେଥିରୁ ୧୪ଲକ୍ଷ ଟଙ୍କା ଠିକାଦାର ସୋମନାଥ ନନ୍ଦଙ୍କୁ ପ୍ରଦାନ ପ୍ରଦାନ କରାଯାଇଥିଲା। ବଳକା ଟଙ୍କା ପିସି ଆକାରରେ ରଖାଯାଇଥିବା ଲୋକପାଳଙ୍କୁ ଜଣାଇଛନ୍ତି ସୋମନାଥ ନନ୍ଦ। କାମ କରିବାକୁ ସଂପୂର୍ଣ୍ଣ ଅନୁଦାନ ଉଠାଇବା ପରେ କାମ ନହେବା ସତ୍ତ୍ବେ ବ୍ଲକ୍ ପ୍ରଶାସନ ଚୁପ୍ ରହିବା ପଛର କାରଣକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଜିଲ୍ଲାପାଳଙ୍କୁ ଏହି ତଞ୍ଚକତା ସଂପର୍କରେ ଲୋକପାଳ ଲକ୍ଷ୍ମୀ ପାଢ଼ୀ ଜଣାଇଛନ୍ତି। ତଥାପି ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।