ଜଣେ ଅଟକ, ଆୟକର ବିଭାଗ କରିବ ଯାଞ୍ଚ

ବ୍ରହ୍ମପୁର : ‘ଆଳୁ ଖୋଳୁ ଖୋଳୁ ମହାଦେବ’ ବାହାରିବା ଭଳି ଆଜି ଗଂଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗ କର୍ମଚାରୀଙ୍କ ହାତରେ ଧରାପଡ଼ିଛି ୧୮ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍‌। ଏ ସଂକ୍ରାନ୍ତରେ ଯାଜପୁର ଜିଲ୍ଲାର ସଂଜୟ ସାହୁ ନାମକ ଜଣେ ଯୁବକଙ୍କୁ ଅଟକ ରଖାଯାଇଥିବା ଅବକାରୀ ଗୁଇନ୍ଦା ବିଭାଗ ଇନ୍‌ସ୍ପେକ୍ଟର୍‌ ହୃଦୟ ଚନ୍ଦ୍ର ସାମନ୍ତ ସୂଚନା ଦେଇଛନ୍ତି। ଏତେ ପରିମାଣ ଟଙ୍କାର ସଠିକ୍‌ ହିସାବ ଦେଇପାରି ନଥିବାରୁ ଅବକାରୀ ବିଭାଗ ତରଫରୁ ଆୟକର ବିଭାଗକୁ ଖବର କରାଯାଇଛି। ଆୟକର ବିଭାଗ ଯାଞ୍ଚ କରିବା ପରେ ପ୍ରକୃତ କଥା ଜଣାପଡ଼ିବ ବୋଲି କୁହାଯାଇଛି।

ଆଜି ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ୍‌ ଅପରାହ୍‌ଣରେ ଲାଞ୍ଜିପଲ୍ଲୀ ବାଇପାସ୍‌ରେ ଯାଞ୍ଚ କରୁଥିଲା। ଏହି ସମୟରେ ବ୍ରହ୍ମପୁରରୁ କଟକ ଅଭିମୁଖେ ଯାଉଥିବା ଏକ ବସ୍‌ରେ ଅବକାରୀ କର୍ମଚାରୀମାନେ କିଛି ପାସେଞ୍ଜରଙ୍କ ବ୍ୟାଗ୍‌ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଜଣେ ପାସେଞ୍ଜର୍‌ଙ୍କ ବ୍ୟାଗ୍‌ରେ ପଲିଥିନ୍‌ ବନ୍ଧା ହୋଇଥିବା ୩ଟି ବିଡ଼ା ଥିବା ଜଣାପଡ଼ିଥିଲା। ସେଥିରେ ଗଂଜେଇ ଥିବା ସନ୍ଦେହ କରି ଅଧିକ ତଦନ୍ତ ପରେ ସେଥିରେ ୫ଶହ ଟଙ୍କିଆ ନୋଟ୍‌ ଥିବା‌ ଦେଖିବାକୁ ମିଳିଥିଲା। ଗଣତି ପରେ ମୋଟ ୧୮ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି। ଏଥିରେ ୧୦ଲକ୍ଷ, ୬ଲକ୍ଷ ଓ ୨ଲକ୍ଷ ଟଙ୍କା ବିଡ଼ା କରି ବନ୍ଧା ହୋଇଥିଲା।

ଏହି ଟଙ୍କା ନେଇ ଯାଉଥିବା ଯୁବକ ଜଣକ ଯାଜପୁର ଅଞ୍ଚଳର ସଂଜୟ ସାହୁ ବୋଲି ଜଣାପଡ଼ିଥିଲା। ସେ ଜଣେ ଚିନାବାଦାମ ବ୍ୟବସାୟୀଙ୍କ ନିକଟରେ କାମ କରୁଛନ୍ତି। ମାଲିକଙ୍କ କହିବା ଅନୁସାରେ ସେ ବ୍ରହ୍ମପୁର ଆସି ୩ଜଣ ବେପାରୀଙ୍କ ଠାରୁ ଚିନା ବାଦାମ ପଠାଇବା ବାବଦ ଟଙ୍କା ଆଦାୟ କରି ଯାଜପୁର ଯାଉଥିବା ନେଇ ଯୁବକ ଜଣକ କହିଥିଲେ। ହେଲେ ଏ ନେଇ ସେ କୌଣସି କାଗଜପତ୍ର ଦେଖାଇ ପାରି ନଥିଲେ। ଏଣୁ ଅବକାରୀ ବିଭାଗ ତାଙ୍କୁ ଅଟକ ରଖିଛି। ଏତେ ପରିମାଣ ଟଙ୍କା କେଉଁଠୁ ଆସିଥିଲା ତା’ର ତଦନ୍ତ କରିବା ପାଇଁ ଅବକାରୀ ବିଭାଗ ତରଫରୁ ଆୟକର ବିଭାଗକୁ ଖବର କରାଯାଇଥିବା ଇନ୍‌ସ୍ପେକ୍ଟର୍‌ ସାମନ୍ତ ସୂଚନା ଦେଇଛନ୍ତି। ପ୍ରକାଶ ଥାଉ କି ପୂର୍ବରୁ ମଧ୍ୟ ଅବକାରୀ ଯାଞ୍ଚ ବେଳେ ସୁନା ବିସ୍କୁଟ ଓ ଟଙ୍କା ଜବତ ହୋଇଥିଲା। ଏବେ ପୁଣିଥରେ ବସ୍‌ରେ ଜଣେ ଯାତ୍ରୀଙ୍କ ଠାରୁ ୧୮ଲକ୍ଷ ଟଙ୍କା ଜବତ ହୋଇଛି।

ସମ୍ବନ୍ଧିତ ଖବର