ସିଲ୍‌ ଓ ‌ଷ୍ଟାମ୍ପ୍‌ ବାବଦକୁ ଖର୍ଚ୍ଚ ହୋଇଛି ୫୮ହଜାର ୪ଶହ ଟଙ୍କା
୬୦ଜଣଙ୍କ ଶବ ସତ୍କାର କରିଛି ବ୍ରହ୍ମପୁର ମହାନଗର ନିଗମ

Advertisment

ବ୍ରହ୍ମପୁର : କରୋନା କାୟାରୁ ଗଞ୍ଜାମ ଜିଲ୍ଲା ସଂପୂର୍ଣ୍ଣ ମୁକୁଳି ନାହିଁ। ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣର ଭୟ ସମସ୍ତଙ୍କୁ ଘାରିଛି। ଏକଦା ସମଗ୍ର ରାଜ୍ୟରେ କରୋନା ସଂକ୍ରମଣରେ ସର୍ବାଗ୍ରେ ରହିଥିବା ଗଞ୍ଜାମ ଜିଲ୍ଲା ଏବେ ନିୟନ୍ତ୍ରଣରେ ରହିଛି। ଦେଶର ମହାରାଷ୍ଟ୍ର ସମେତ ଅନ୍ୟାନ୍ୟ ରାଜ୍ୟ‌ରେ କରୋନା ମହାମାରୀର ପ୍ରକୋପ ପୁଣି ବଢ଼ିବା ପରେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ନିର୍ଦ୍ଦେଶନାମା ଜାରି କରିଛି। କରୋନା ନିୟନ୍ତ୍ରଣ ପାଇଁ ଗଞ୍ଜାମ ଜିଲ୍ଲା ରାଜ୍ୟ ପାଇଁ ମଡେଲ୍ ଭାବେ କାମ କରିଛି।

ତେବେ କ‌ରୋନାକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାରେ ପାଣି ଭଳି ଟଙ୍କା ଖର୍ଚ୍ଚ ହୋଇଛି। ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ସଂପୂର୍ଣ୍ଣ ତଥ୍ୟକୁ ସାର୍ବଜନୀନ କରୁନି ପ୍ରଶାସନ। ଏଭଳି ସ୍ଥିତିରେ କେବଳ ସୂଚନା ଅଧିକାର ଆଇନ ବଳରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଖର୍ଚ୍ଚ ହୋଇଥିବା ହିସାବର କିଛି ଅଂଶ ହସ୍ତଗତ ହୋଇଛି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ପକ୍ଷରୁ କୋଭିଡ଼ ସମୟରେ ୨୬ ଲକ୍ଷ ୪୦ ହଜାର ଟଙ୍କାର ଇନ୍‌ଫ୍ରା ରେଡ଼୍ ଥର୍ମୋମିଟର କ୍ରୟ କରାଯାଇଛି। ସେଭଳି ସଚେତନତାମୂଳକ କାର୍ଡ, ପରିଚୟ ପତ୍ର, ବ୍ୟାନର, ଫ୍ଲେକ୍ସ ବ୍ୟାନର, ଟି ସାର୍ଟ ସମେତ କ୍ବାରେଣ୍ଟାଇନ୍ ଫର୍ମ ବାବଦରେ ୨୩ଲକ୍ଷ ୨୧ ହଜାର ୮୭୨ ଟଙ୍କା ଖର୍ଚ୍ଚ କରାଯାଇଛି। ଆଶ୍ଚର୍ଯ୍ୟର କଥା ହେଲା ପ୍ରାବସୀଙ୍କ ଚିହ୍ନଟ ଲାଗି ରାଉଣ୍ଡ ସିଲ୍‌,  ଡେଟ୍‌ ସିଲ୍‌, ଓ ଷ୍ଟାମ୍ପ ବାବଦରେ  ୫୮ହଜାର ୪ ଶହ ଟଙ୍କା ଖର୍ଚ୍ଚ କରାଯାଇଛି।

publive-image berhampur.gov.in

କୋଭିଡ଼୍‌ ପରିଚାଳନା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ୫୮ଲକ୍ଷ ଟଙ୍କା ଦିଆଯାଇଥିଲା। ଏହି ଅର୍ଥରୁ ସିଂହଭାଗ ଅର୍ଥାତ୍ ୨୬ଲକ୍ଷ ୪୦ହଜାର ଟଙ୍କାର ଡିଜିଟାଲ ଇନ୍‌ଫ୍ରାରେଡ୍‌ ଥର୍ମୋମିଟର କିଣାଯାଇଛି। ଏହି ସାମଗ୍ରୀଟି ବ୍ରହ୍ମପୁରର ରାମକଳା ମେନ୍ୟୁଫେକଚର ନାମକ ଏକ ସଂସ୍ଥା ଠାରୁ କିଣାଯାଇଛି। ସେଭଳି ଦ୍ବିତୀୟ ବଡ଼ ଭାଗଟି ‌ସଚେତନତା ବ୍ୟାନର, ଫ୍ଲେକ୍ସ, ଟି-ସାର୍ଟ ଓ ଫର୍ମ ବାବଦରେ ଖର୍ଚ୍ଚ କରାଯାଇଛି। କୋଭିଡ଼୍‌ ସଚେତନତା ଲାଗି ଏଲ୍‌ଇଡ଼ି ସ୍କ୍ରିନ୍‌ ଲଗାଯାଇଥିବା ଯାନ ବାବଦକୁ ୨ଲକ୍ଷ ୧୨ହଜାର ୪ଶହ ଟଙ୍କା ଖର୍ଚ୍ଚ କରାଯାଇଛି। ୩ଲକ୍ଷ ୭୭ହଜାର ୬୯୫ଟଙ୍କାର ସାନିଟାଇଜର୍‌, ଗ୍ଲୋବସ୍‌ ଓ ସ୍ପିରିଟ୍‌ କିଣାଯାଇଛି। କୋଭିଡ଼୍‌ ସମୟରେ ଭିଡ଼ିଓ ରେକଡିଂ ବାବଦରେ ୪୭ହଜାର ଟଙ୍କା ଖର୍ଚ୍ଚ ହୋଇଛି। କୋଭିଡ଼୍‌ ପରିଚାଳନା ଲାଗି ବ୍ୟବହୃତ ଗାଡ଼ିର ଭଡ଼ା ବାବଦକୁ ୧ଲକ୍ଷ ୩୧ହଜାର ୩ଶହ ଟଙ୍କା ଖର୍ଚ୍ଚ ହୋଇଛି। ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ମିଳିଥିବା ୫୮ଲକ୍ଷରୁ ୫୭ଲକ୍ଷ ୯୭ହଜାର ୯୯୧ଟଙ୍କା ଖର୍ଚ୍ଚ ହୋଇଥିବା ଏଥିରେ ଦର୍ଶାଯାଇଛି।

ଗଞ୍ଜାମ ଜିଲ୍ଲାରେ ମେ ୨ତାରିଖ ଦିନ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲା। ଆଜି ସୁଦ୍ଧା ଜିଲ୍ଲାରେ କରୋନାରେ ୨୪୮ଜଣଙ୍କ ମୃତ୍ୟୁ ଘଟିଛି। ଏଥିମଧ୍ୟରୁ ୬୦ ଜଣଙ୍କ ଶେଷକୃତ୍ୟ ବ୍ରହ୍ମପୁର ମହାନଗର ନିଗମ ଜରିଆରେ ନୀଳକଣ୍ଠେଶ୍ବର ଶ୍ମଶାନରେ ହୋଇଥିବା ସୂଚନା ଅଧିକାର ବଳରେ ତଥ୍ୟ ମିଳିଛି। ଜୁଲାଇ ମାସରେ ୪ଜଣ, ଅଗଷ୍ଟରେ ୧୭ଜଣ, ସେପ୍ଟେମ୍ବରରେ ୧୬ଜଣ, ଅକ୍ଟୋବରରେ ୨୦ଜଣ ଏବଂ ନଭେମ୍ବରରେ ୩ଜଣଙ୍କ ଶେଷକୃ୍ତ୍ୟ କରିଛି ବ୍ରହ୍ମପୁର ମହାନଗର ନିଗମ। ଏହି ରୋଗୀ କନିଷି ସ୍ଥିତି ଅଶ୍ବିନୀ କୋଭିଡ଼୍‌ ହସ୍‌ପିଟାଲରେ ଚିକିତ୍ସା ବେଳେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।