ଟଙ୍କା ଖର୍ଚ୍ଚ ହୋଇଛି, କାମର ଚିହ୍ନବର୍ଣ୍ଣ ନାହିଁ: ୨୦ ବସ୍ତିରେ ‘ଖର୍ଚ୍ଚ ହୋଇଛି ୨.୬୮କୋଟି’ ହିସାବ ଦେବାକୁ କୁନ୍ଥକୁନ୍ଥ!

ରାଉରକେଲା: ସହରରେ ବସ୍ତିର ରୂପରେଖ ବଦଳିବ, କଲୋନି ଭଳି ସମସ୍ତ ବସ୍ତିବାସିନ୍ଦାଙ୍କୁ ମିଳିବ ସମସ୍ତ ସୁବିଧା ସୁଯୋଗ। ଏଥିପାଇଁ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ପଞ୍ଚଦଶ ଅର୍ଥ କମିଶନ ଓ ଜାଗା ମିସନ ଫାଣ୍ଠିରୁ ପାଣି ବୋହିଲା ପରି ଖର୍ଚ୍ଚ କରିଛି କୋଟି କୋଟି ଟଙ୍କା। କେଉଁଠି କାମ ଚାଲିଛି ଓ ଅନ୍ୟ କେଉଁଠି ଶେଷ ହୋଇଛି। ହେଲେ ଆଶ୍ଚର୍ଯ୍ୟ କଥା, କାଗଜପତ୍ରରେ ଯେତିକି ଅର୍ଥ ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି, ତାର ୫୦% ଅର୍ଥ ଖର୍ଚ୍ଚ ହୋଇନଥିବା ବସ୍ତିର ବାସ୍ତବ ଚିତ୍ରରୁ ଜଳ ଜଳ ହୋଇ ଦିଶୁଛି।

ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ଆର୍‌ଏମ୍‌ସି ଅନ୍ତର୍ଗତ ୱାର୍ଡ ନଂ ୪ର ଗାଡ଼ାଟୋଲା, ୱାର୍ଡ ନଂ – ୯ ମନଟୋଲା, ୱାର୍ଡ ନଂ -୧୮ର ଓରାମପଡା ଓ ୱାର୍ଡ ନଂ -୮( ନୂଆ) ତଳବାଲିଯୋଡି ବସ୍ତିକୁ ଉଦାହରଣ ଭାବେ ନିଆଯାଇପା‌ରେ। ଗାଡ଼ାଟୋଲା, ମାଲଗୋଦାମ ଓ ଓରାମପଡ଼ା ବସ୍ତିରେ ଆଲୋକୀକରଣରେ ୭ ଲକ୍ଷ ୩୧ ହଜାର ୪୫୫ ଟଙ୍କା ଖର୍ଚ୍ଚ ହୋଇଛି। ଗାଡ଼ାଟୋଲାର ରିଂ ରୋଡ ପାର୍ଶ୍ବରେ ବିଜୁଳିବତି ଲାଗିଥିଲାବେଳେ ହାଇଟେକ୍‌ ହସ୍ପିଟାଲ ପାର୍ଶ୍ବ ସମ୍ପୂର୍ଣ୍ଣ ଅନ୍ଧାର। ଏହାର ପ୍ରତିବାଦରେ ବସ୍ତିବାସିନ୍ଦା ଆର୍‌ଏମ୍‌ସିର ବିଭାଗୀୟ ଅଧିକାରୀଙ୍କ ଦୃ୍ଷ୍ଟି ଆକର୍ଷଣ କରିଛନ୍ତି। ଫଳ କିନ୍ତୁ ଶୂନ। ତଳବାଲିଯୋଡି ବସ୍ତିରେ ବି ସେହି ସମାନସ୍ଥିତି। ମାତ୍ର ୪୦୦ ମିଟର ଅଣ ଓସାରିଆ କଂକ୍ରିଟ ରାସ୍ତାରେ ୧୫ ଲକ୍ଷ ୬୫ ହଜାର ଖର୍ଚ୍ଚ ହୋଇଥିବା କାଗଜପତ୍ରରେ ଦର୍ଶାଯାଇଛି। ଏମିତି ଭାବେ ୨୦ଟି ବସ୍ତିରେ ମୋଟ୍‌ ୨ କୋଟି ୬୮ ଲକ୍ଷ ୬୬ ହଜାର ୧୫୨ ଟଙ୍କା ଖର୍ଚ୍ଚ ହୋଇଛି। ପଞ୍ଚଦଶ ଅର୍ଥ କମିସନ ପାଣ୍ଠିରେ ୯ଟି ଓ ଜାଗା ମିସନ ପାଣ୍ଠିରେ ୧୧ଟି ବସ୍ତିର ବିକାଶମୂଳକ କାର୍ଯ୍ୟ ‌ହୋଇଛି। ଠିକା ସଂସ୍ଥା ଓ ଆର୍‌ଏମ୍‌ସିରେ ଦାୟିତ୍ବରେ ଥିବା ଅଧିକାରୀଙ୍କ ସଲାସୁତୁରାରେ ଏସବୁ କାମ କରାଯାଇଛି ବୋଲି ଅଭିଯୋଗ ହେଉଛି। ସ୍ବାଭାବିକ ଭାବେ, କେଉଁ ବସ୍ତିରେ କି କି କାମ ‌ହୋଇଛି, କେଉଁ କାମ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତାର ତଥ୍ୟ ବିଭାଗୀୟ ଅଧିକାରୀ ଦେଉନାହାନ୍ତି। ବିଭାଗୀୟ ଉଚ୍ଚ ଅଧିକାରୀ ଶେଷ ହୋଇଥିବା କାମ ଓ ଚାଲିଥିବାର କାମର ତଦନ୍ତ କଲେ ଦୁର୍ନୀତିଖୋର ଅଧିକାରୀ ଓ ଠିକାସଂସ୍ଥାର ଅସଲ ମୁଖା ଖୋଲାଯାଇପାରନ୍ତା।

ସମ୍ବନ୍ଧିତ ଖବର