ସ୍କିମ୍‌ ଚାପ : ଟଙ୍କା ଚିନ୍ତା ବଢ଼ିଲା, କେନ୍ଦ୍ର ଅନୁଦାନ ହାର ନ ବଢିଲେ ବିପଦ

ଖଣି ରାଜସ୍ବ ବଢିବା ସମ୍ଭାବନା କମ୍, ପରିବହନ ରାଜସ୍ବ କ୍ଷେତ୍ରରେ ଝଟକା ଆଶଙ୍କା, ରାଜସ୍ବ ବୃଦ୍ଧି ପାଇଁ ମଦ, ପେଟ୍ରୋଲ ଭରସା

ଭୁବନେଶ୍ବର: ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଜାରି ରହିଛି। ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ହେଲେ, ନିଜ ଭାଗ ବାବଦ ୪୦ ପ୍ରତିଶତ ଯୋଗଦାନ ଦେବାକୁ ପଡିବ। ଦୁଇଟି ଯାକ ଯୋଜନା ସମାନ୍ତରାଳ ଭାବେ ଚାଲିପାରିବ ନାହିଁ। ଏପରିସ୍ଥଳେ େକନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଓଡ଼ିଶା ପ୍ରତ୍ୟାଖ୍ୟାନ କରିବ ନା ଆୟୁଷ୍ମାନ େଯାଜନାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ େଯାଜନା ବିଲୀନ େହବ?

ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ କାଳିଆ େଯାଜନାରେ ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟ ଅର୍ଥ ପ୍ରଦାନ ଜାରି ରହିଛି। ସରକାର ଇତିମଧ୍ୟରେ ହିତାଧିକାରୀଙ୍କ ସଂଖ୍ୟା ୭୫ ଲକ୍ଷକୁ ବୃଦ୍ଧି କରିବାକୁ ନିଷ୍ପତ୍ତି େନଇଛନ୍ତି। ଠିକ୍ ଏମିତି ଏକ ସମୟରେ ଆୟୁଷ୍ମାନ ଭାରତ ଭଳି ପ୍ରଧାନମନ୍ତ୍ରୀ କିଷାନ େଯାଜନା କାର୍ଯ୍ୟକାରୀ କରିବା ଲାଗି େକନ୍ଦ୍ର ଚାପ ସୃ୍ଷ୍ଟି କଲାଣି। ଦୁଇଦିନ ତଳେ କୃଷି ବିଭାଗ ଅଧିକାରୀଙ୍କ ବୈଠକରେ େଖାଦ୍ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ମାତ୍ରାଧିକ ଆଗ୍ରହ ଭିନ୍ନ ସଙ୍କେତ ଦେଲାଣି। ରାଜ୍ୟ ସରକାର ଚାଷୀଙ୍କୁ ଖୁସି କରିବା ଲାଗି ଉଭୟ େଯାଜନା କାର୍ଯ୍ୟକାରୀ କରିବେ କି?

୨୦୧୯-୨୦ ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତି ପୂର୍ବରୁ ଏଭଳି କିଛି ପ୍ରଶ୍ନ ସାଧାରଣରେ ବିତର୍କ ସୃଷ୍ଟି କଲାଣି। ଏହି ଚର୍ଚ୍ଚାକୁ ଅଧିକ ବଳ ମିଳିବାର କାରଣ େହଉଛି, ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସ୍ବାଭାବିକ ଭାବେ ବଜେଟ୍ ଉପରେ ଏହାର ବଡ଼ ଚାପ ରହିବ। ଏଭଳିସ୍ଥଳେ େକନ୍ଦ୍ର ସରକାର ଯଦି କିଛି ନୂଆ କାର୍ଯ୍ୟକ୍ରମ ଆରମ୍ଭ କରନ୍ତି ଓ ଯୋଗଦାନ ଅନୁପାତ ପୂର୍ବଭଳି ୬୦:୪୦ ରହେ, ତେବେ ରାଜ୍ୟର ଅର୍ଥନୀତି ଉପରେ େଯଉଁ ଚାପ ପ଼ଡିବ, ତାକୁ ଭରଣା କରାଯିବ େକମିତି?

କେବଳ ସେତିକି ନୁହେଁ, ଅର୍ଥନୀତି ଉପରେ ଚାପ ବଢିବାର ଆଉ ଏକ କାରଣ େହଲା, ଫନି ଭଳି ବଡ଼ ବିପର୍ଯ୍ୟୟ ସାମ୍ନା କରିଛି ଓଡ଼ିଶା। ତୁରନ୍ତ ସ୍ଥିତି ସୁଧାରିବା ଲାଗି ଅଧିକ ଅର୍ଥ ବରାଦ କରାଯିବା ଦରକାର। ଯଦିଓ ଚତୁର୍ଦଶ ଅର୍ଥ କମିସନ ଜାତୀୟ ବିପର୍ଯ୍ୟୟ ପାଣ୍ଠି ଅନୁଦାନ େକ୍ଷତ୍ରରେ ୯୦:୧୦ ଅନୁପାତ ସଂପର୍କରେ ସୂଚାଇଥିଲେ, ପ୍ରଥମ ଦୁଇବର୍ଷ ପରେ େକନ୍ଦ୍ର ସରକାର ଏହାକୁ ୭୫:୨୫କୁ କମାଇ ଦେଇଛନ୍ତି। ଏଣୁ ଏ େକ୍ଷତ୍ରରୁ କେନ୍ଦ୍ର ସରକାର କିଛି ଅଧିକ ଅର୍ଥ ଦେଲେ ବି ଓଡ଼ିଶାକୁ ୨୫% ଅଂଶଧନ ପ୍ରଦାନ କରିବାକୁ ପଡିବ।

ଅନ୍ୟପକ୍ଷରେ ରାଜ୍ୟରେ ପ୍ରଥମ ଦୁଇମାସର ଚିତ୍ର ଯାହା ସୂଚନା େଦଉଛି, ଖଣି େକ୍ଷତ୍ରରୁ େବଶ୍ ଆଖିଦୃଶିଆ ରାଜସ୍ବ ଏଥର ମିଳିବାର ନାହିଁ। ସାରା ଭାରତବର୍ଷରେ ପରିବହନ େକ୍ଷତ୍ରରେ ମାନ୍ଦାବସ୍ଥା େଦଖାଯାଇଛି। ଏ େକ୍ଷତ୍ରରୁ ଟିକସ ଆଦାୟ କମିବା ସମ୍ଭାବନାକୁ ଏ଼ଡାଇ ଦିଆଯାଇପାରିବ ନାହିଁ। ଏଭଳିସ୍ଥଳେ ଅଧିକ ଖର୍ଚ୍ଚ ଭରଣା ପାଇଁ ସରକାରଙ୍କ ଲାଗି ବିକଳ୍ପ ରାସ୍ତାଟି କଣ? ଋଣ କରିବା ଲାଗି ପର୍ଯ୍ୟାପ୍ତ ସୁେଯାଗ ରହିଛି। ଆଗକୁ ପୌର ସଂସ୍ଥା, ମହାନଗର ନିଗମ ନିର୍ବାଚନ ଥିବା ପରିପ୍ରେକ୍ଷୀରେ ସହରାଞ୍ଚଳର େଭାଟରଙ୍କୁ ମନାଇବା ପାଇଁ ସରକାର ଏ ରାସ୍ତା ଆପଣେଇବେ କି?

ଉଲ୍ଲେଖଯୋଗ୍ୟ, ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ‌ହୋଇଛନ୍ତି। ଏହି ପାଳିରେ ସରକାର ବିକାଶକୁ ଏଜେଣ୍ଡା କରିଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ଟାସ୍କ େଦଇଛନ୍ତି ଓ ରାଜନୈତିକ ନିଷ୍ପତ୍ତି ସଂପର୍କରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି କହିଛନ୍ତି େଯ େକନ୍ଦ୍ର ସରକାର ଯଦି ଓଡ଼ିଶାକୁ ସହଯୋଗର ହାତ ବଢାଇ ବିକାଶ ରାସ୍ତାରେ ଆଗେଇନେବେ, ତେବେ ଓଡ଼ିଶା ବି ସହଯୋଗ ଦେବ। ହେଲେ େକନ୍ଦ୍ର ସରକାରଙ୍କ ଆଭିମୁଖ୍ୟ କିନ୍ତୁ ଏବେ ବି ଅସ୍ପଷ୍ଟ ରହିଛି।

ଏମିତି ଏକ ସ୍ଥିତିରେ ରାଜ୍ୟ ସରକାର ବଜେଟ ପ୍ରସ୍ତୁତି ଆରମ୍ଭ କରିଦେଇ ସାରିଲେଣି। ଅର୍ଥମନ୍ତ୍ରୀ ଜନସାଧାରଣଙ୍କ ଠାରୁ ବଜେଟ ସଂକ୍ରାନ୍ତରେ ପ୍ରସ୍ତାବମାନ ଗତ ସପ୍ତାହରୁ ଆହ୍ବାନ କରିସାରିଛନ୍ତି। ବଜେଟ୍ ପ୍ରସ୍ତୁତି କରିବା ବେଳେ କିନ୍ତୁ ଅର୍ଥ ବିଭାଗ ଉପରେ ସମ୍ବଳ ସଂଗ୍ରହ ଚାପ ବଢିବାରେ ଲାଗିଛି। ଅର୍ଥ ବିଭାଗ ଯେତେ ଅଧିକ ସମ୍ବଳ ସଂଗ୍ରହ କରିବାକୁ ସକ୍ଷମ ହେବ ସରକାର ବିଭିନ୍ନ ଯୋ‌ଜନାରେ ସେତିକି ଅଧିକ ଅର୍ଥ ଖର୍ଚ କରିବାକୁ ସକ୍ଷମ ହେବେ।

୨୦୧୭ ଜୁଲାଇ ପହିଲାରୁ ସାମଗ୍ରୀ ଓ ସେବା ଟିକସ ଲାଗୁ ହୋଇଛି। ଏଥିରେ କେନ୍ଦ୍ର ଏବଂ ରାଜ୍ୟର ଟିକସ ସଂଗ୍ରହ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଜିଏସଟି ପରିଷଦ ଉପରେ ନିର୍ଭର କରୁଛି। ବଜେଟ୍‌ରେ ସରକାର ନୂଆ ସମ୍ବଳ ସଂଗ୍ରହର ଉତ୍ସ ବାହାର କରିଥାନ୍ତି। କିନ୍ତୁ ଜିଏସଟି କାର୍ଯ୍ୟକାରୀ ହେବା ପରେ ସେହି ସୁଯୋଗ ଏବେ ରାଜ୍ୟ ଗୁଡ଼ିକ ହାତରେ ନାହିଁ। ତେବେ ଜିଏସଟି ପରିସର ବାହାରେ ମଦ ଏବଂ ପେଟ୍ରୋଲିୟମ ସାମଗ୍ରୀ ରହିଥିବାରୁ ରାଜ୍ୟ ସରକାର ଏସବୁ ସାମଗ୍ରୀର ଟିକସ ହାର ବୃଦ୍ଧି କରି ଯାହା କିଛି ଅଧିକ ସମ୍ବଳ ସଂଗ୍ରହ କରିବା ଆଶା ରଖୁଛନ୍ତି।

କିନ୍ତୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟବୃଦ୍ଧି ସହିତ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ଜଡ଼ିତ ଥିବାରୁ ସରକାର ଟିକସ ବୃଦ୍ଧି କରି ଜନସାଧାରଣଙ୍କୁ ଅସନ୍ତୁଷ୍ଟ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ। ପେଟ୍ରୋଲିୟମ ଉତ୍ପାଦକୁ ବାଦ ଦେଲେ ସରକାରଙ୍କ ହାତରେ ପ୍ରମୁଖ ସମ୍ବଳ ଭାବରେ କେବଳ ରହିଛି ମଦ ବା ଅବକାରୀ ଟିକସ। ଏହାକୁ ସରକାର କେତେ ମାତ୍ରାରେ ବଢ଼ାଇବାକୁ ସକ୍ଷମ ହେବେ ତାହା ଉପରେ ସବୁକିଛି ନିର୍ଭର କରୁଛି।

ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶା ୨୦୧୮-୧୯ ଆର୍ଥିକ ବର୍ଷରେ ଜିଏସଟି ବାବଦରେ ମୋଟ ୧୧୯୭୯ କୋଟି ଟଙ୍କା ଆଦାୟ କରିଛି। ଏଥିରେ ଏସ୍‌ଜିଏସ୍‌ଟି ୬୬୦୩ କୋଟି ଟଙ୍କା ଥିବାବେଳେ ଆଇଜିଏସଟି ବାବଦରେ ଓଡ଼ିଶାକୁ ମିଳିଛି ୩୫୮୧ କୋଟି ଟଙ୍କା। ଏତଦବ୍ୟତୀତ ଆଡହକ୍ ସେଟଲମେଣ୍ଟ ବାବଦରେ ଓଡ଼ିଶା ପାଇଛି ୧୭୯୪ କୋଟି ଟଙ୍କା।

ଓଡ଼ିଶା ଗତ ଆର୍ଥିକ ବର୍ଷରେ ପେଟ୍ରୋଲିୟମ ଏବଂ ଅବକାରୀ ସାମଗ୍ରୀ ଉପରୁ ଆଦାୟ କରୁଥିବା ମୂଲ୍ୟଯୁକ୍ତ ଟିକସ ବା ଭାଟ୍ ବାବଦରେ ୭୨୯୧ କୋଟି ଟଙ୍କା ପାଇଛି। ଚଳିତ ଆର୍ଥିକ ବର୍ଷ ପାଇଁ ଏ ବାବଦରେ ପ୍ରାୟ ୮୫୦୦ କୋଟି ଟଙ୍କା ଆଦାୟ କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହାବାଦ୍ ସରକାର ପେସାଦାର ଟିକସ ବାବଦରେ ପ୍ରାୟ ୨୦୦ କୋଟି ଟଙ୍କା ଆଦାୟ କରିଛନ୍ତି। ଗତ ଆର୍ଥିକ ବର୍ଷରେ ସରକାର ଜିଏସଟି, ଭାଟ୍ ଏବଂ ପେସାଦାର ଟିକସ ବାବଦରେ ମୋଟ ୧୯୪୭୦ କୋଟି ଟଙ୍କାର ସମ୍ବଳ ସଂଗ୍ରହ କରିପାରିଛନ୍ତି।

ନିକଟରେ ବାଣିଜ୍ୟ କର ଏବଂ ଜିଏସଟି କମିସନରେଟ୍ ପକ୍ଷରୁ ରାଜ୍ୟ ଅର୍ଥ ମନ୍ତ୍ରାଳୟକୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୨୦୧୯-୨୦ ଏପ୍ରିଲ ଓ ମେ’ ମାସରେ ଓଡ଼ିଶା ଜିଏସଟି ବାବଦରେ ୨୧୩୪.୪୦ କୋଟି ଟଙ୍କାର ରାଜସ୍ବ ପାଇଛି। ପୂର୍ବ ଆର୍ଥିକ ବର୍ଷର ପ୍ରଥମ ଦୁଇ ମାସ ତୁଳନାରେ ଏହା ୨୪.୩୯ ପ୍ରତିଶତ ଅଧିକ। ତେବେ ରାଜ୍ୟର ଟିକସ ଆୟ ଆର୍ଥିକ ବର୍ଷର ପ୍ରଥମ ଦୁଇ ମାସରେ ୧୯ ପ୍ରତିଶତ ବୃଦ୍ଧି ଘଟି ୨୯୪୨.୪୬ କୋଟି ଟଙ୍କାରେ ପହଞ୍ଚିଛି।

ଗତ ଫେବ୍ରୁଆରିରେ ପୂର୍ବତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କାମଚଳା ବଜେଟ ଆଗତ କରିଥିଲେ। ଏଥିରେ ସମ୍ପୂର୍ଣ୍ଣ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୩୨ ହଜାର ୬୪୦ କୋଟି ଟଙ୍କାର ବ୍ୟୟବରାଦ ସେ ରଖିଥିଲେ। ନୂଆ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୂର୍ଣ୍ଣାଙ୍ଗ ବଜେଟରେ ଏହି ରାଶିକୁ ବୃଦ୍ଧି କରିପାରନ୍ତି। ଯଦି ଏହା ହୁଏ ତାହେଲେ ଅର୍ଥମନ୍ତ୍ରୀ ସମ୍ବଳ ସଂଗ୍ରହ ଲାଗି େଠାସ୍ କେଉଁ ପଦକ୍ଷେପ ନେବେ, ତାହା ଉପରେ ଏବେ ଅର୍ଥନୀତି ସମୀକ୍ଷକଙ୍କ ନଜର ରହିଛି।

େଗାଟିଏ ମହଲର କହିବା କଥା େହଉଛି, ରାଜ୍ୟ ସରକାର େକନ୍ଦ୍ର ସହିତ ଯିବାର ସମ୍ଭାବନା ଅଧିକ ରହିଛି। ଏହା ଦ୍ବାରା ରାଜ୍ୟ ଉପରେ ଆର୍ଥିକ ଚାପ କମିବ ଓ ସରକାର ଏ ବାବଦ ଅର୍ଥ ବିକାଶ ପ୍ରକ୍ରିୟାରେ ଲଗାଇଲେ ଓଡ଼ିଶା ଲାଭରେ ରହିବ। ଅନ୍ୟ େଗାଟିଏ ମହଲର କହିବା କଥା େହଉଛି, ଯଦି ରାଜ୍ୟ େକନ୍ଦ୍ର ସହ ଯାଏ, ତେବେ ଆର୍ଥିକ ଦୃଷ୍ଟିରୁ ଲାଭବାନ ହେଲେ ବି ନିଜସ୍ବ ଦବଦବା ଆଉ ରହିବ ନାହିଁ। ଏହା ସରକାରଙ୍କ ପତିଆରା ମଧ୍ୟ କମାଇପାରେ।

ସମ୍ବନ୍ଧିତ ଖବର