ଗଣତନ୍ତ୍ର ମାଧ୍ୟମରେ ଲୋକ ଏକଛତ୍ରବାଦ ଚାହୁଁଛନ୍ତି: ନରସିଂହ ମିଶ୍ର

ପ୍ରତାପ ଷଡ଼ଙ୍ଗୀ କହିଲେ- ଜନାଦେଶ ନୁହେଁ, ଧନାଦେଶ; ବିରୋଧୀଙ୍କ ଏଜେଣ୍ଡାରେ ଲୋକଙ୍କ ସ୍ବାର୍ଥ ନାହିଁ: ପ୍ରତାପ ଦେବ

ଭୁବନେଶ୍ବର: ଲଗାତାର ଦ୍ବିତୀୟ ଦିନର ଗଣତିରେ ବିଜେଡିର ଜୟଯାତ୍ରା ଜାରି ରହିଛି। ବିରୋଧୀ ବିଜେପି ଓ କଂଗ୍ରେସକୁ ବହୁ ପଛରେ ପକାଇ ବିଜେଡି ଆଶାତୀତ ଭାବେ ସଫଳତା ପାଇଚାଲିଛି। ଏହି ଫଳାଫଳକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ଗତକାଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ଗଣତାନ୍ତ୍ରିକ ପଦ୍ଧତି ମାଧ୍ୟମରେ ଲୋକେ ଏକଛତ୍ରବାଦ ପ୍ରତିଷ୍ଠା କରିବାକୁ ଚାହୁଛନ୍ତି। ଆଜି ବିଜେପି ସାଂସଦ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆକ୍ଷେପ କରିଛନ୍ତି ଯେ ଏହା ଜନାଦେଶ ନୁହେଁ, ଧନାଦେଶ। ଜବାବ ଦେଇ ବିଜେଡିର ବରିଷ୍ଠ ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ ବିରୋଧୀଙ୍କ ଏଜେଣ୍ଡାରେ ସାଧାରଣ ଲୋକଙ୍କ ସ୍ବାର୍ଥ ନାହିଁ।

ଗତକାଲି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ରଙ୍କ ଯୁକ୍ତି ଥିଲା ଯେ ରାଜ୍ୟରେ ଦରଦାମ ନିୟନ୍ତ୍ରଣରେ ନାହିଁ, ଚାଷୀଙ୍କ ହାଲ୍ ସଙ୍ଗୀନ, ବେରୋଜଗାରୀ ସମସ୍ୟା ଉତ୍କଟ। ତା’ସତ୍ତ୍ବେ ଯଦି ବିଜେଡି ସପକ୍ଷରେ ରାଜ୍ୟବାସୀଙ୍କର ଏପରି ଏକତରଫା ସମର୍ଥନ ଆସୁଛି ତାକୁ ତାହାହେଲେ ଆଉ କ’ଣ କୁହାଯିବ?’ ନିଜ ଜିଲ୍ଲା ବଲାଙ୍ଗୀର ବିଶେଷ କରି ନିଜ ବିଧାନସଭା କ୍ଷେତ୍ରରେ ଆସୁଥିବା ଫଳାଫଳର ଟ୍ରେଣ୍ଡ୍ ବିଷୟରେ ଆଶ୍ଚର୍ଯ୍ୟ ପ୍ରକଟ କରି ସେ କହିଥିଲେ, ‘ଏଥର ଆମ ଶୋଭାଯାତ୍ରାମାନଙ୍କରେ ଯେତେ ଲୋକ ହେଉଥିଲେ, ଏପରିକି ସାଧାରଣ ନିର୍ବାଚନରେ ମଧ୍ୟ ଅନ୍ୟମାନଙ୍କର ଏତେ ଲୋକ ହେଉନଥିବେ। ଅଥଚ ଫଳାଫଳ ଅତ୍ୟନ୍ତ ନୈରାଶ୍ୟଜନକ ହେବାକୁ ଯାଉଛି।’ ତେବେ ନିଜ ଦଳ କଂଗ୍ରେସ ପୂର୍ବାପେକ୍ଷା ଦୁର୍ବଳ ହୋଇଥିବା ସ୍ବୀକାର କରିଥିଲେ ହେଁ ନିଜ ନିର୍ବାଚନମଣ୍ଡଳୀରେ ତାଙ୍କୁ ଲୋକେ ପ୍ରତ୍ୟାଖ୍ୟାନ କରୁଥିବାର ଏହା ପ୍ରାକ୍-ସୂଚନା କି ବୋଲି ପ୍ରଶ୍ନରେ ସେ ଏକମତ ହୋଇନଥିଲେ। ସେ ଆହୁରି କହିଥିଲେ, ‘କଂଗ୍ରେସ ଦୁର୍ବଳ ହୋଇଛି ନା ନବୀନ ବାବୁ ଅଧିକ ଶକ୍ତିଶାଳୀ ହୋଇଛନ୍ତି ତାହା ବିଚାର୍ଯ୍ୟ। ୨୦୧୪ରେ ମୁଁ ବିଧାନସଭା ନିର୍ବାଚନ ଜିତିବା ପରେ ୨୦୧୭ରେ ଜିଲ୍ଲା ପରିଷଦରେ ଆମେ ପଛେଇଥିଲୁ। ଅଥଚ ୨୦୧୯ ବିଧାନସଭାରେ ପୁଣି ଲୋକେ ମୋତେ ଜିତାଥିଇଲେ।’

ଆଜି ଗଣମାଧ୍ୟମକୁ ବିଜେପି ସାଂସଦ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ ଜନାଦେଶକୁ ଆମେ ସମ୍ମାନ କରୁଛୁ, ଯେଉଁଥିରେ ଟ୍ରେଣ୍ଡ ବିଜେଡି ସପକ୍ଷରେ ଯାଉଛି। ଯଦିଓ ଆମର ପ୍ରଦର୍ଶନ ସେତେଟା ଉତ୍ସାହଜନକ ନୁହେଁ ହେଲେ ସାରା ପ୍ରକ୍ରିୟାକୁ ଅନୁଧ୍ୟାନ କଲେ ଏହା ଗଣତନ୍ତ୍ରର ଉପହାସ କରିବା ଭଳି ଲାଗୁଛି। ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ନିଜ କ୍ଷମତାର ଅପବ୍ୟବହାର କରିଛି। ଯାହାର ଫଳାଫଳ ସମସ୍ତଙ୍କ ଆଗରେ । ବାସ୍ତବରେ ଏହା ଜନାଦେଶ ନୁହେଁ ଧନାଦେଶ। ଚଳିତ ପଞ୍ଚାୟତ ନିର୍ବାଚନରେ ଦଳର
କିଛି ତ୍ରୁଟି ବିଚ୍ୟୁତି ଯୋଗୁଁ ଏପରି ଖରାପ ପ୍ରଦର୍ଶନ ହୋଇଛି। ଦେଶର ବିଭିନ୍ନ ରାଜ୍ୟରେ ନିର୍ବାଚନ ଥିଲା। ସେଥିପାଇଁ ଦଳ ପଞ୍ଚାୟତ ନିର୍ବାଚନ ଉପରେ ଗୁରୁତ୍ୱ ଦେଇପାରିଲାନି। ଏହାଛଡା ଗତଥର ଜିତିଥିବା ବିଜେପି ଜିଲ୍ଲା ପରିଷଦ ସଭ୍ୟଙ୍କୁ ପଞ୍ଚାୟତ ସ୍ତରରେ କାମ କରିବାକୁ ସୁଯୋଗ ଦିଆଗଲାନି। ଯାହାଫଳରେ ବିଜେପିର ପ୍ରଦର୍ଶନ ସେତେଟା ଭଲ ହୋଇପାରିଲାନି। ଆଗକୁ ଏସବୁ ତ୍ରୁଟିକୁ ଦଳ ନିଶ୍ଚୟ ସୁଧାରିବ। ତେବେ ପଞ୍ଚାୟତ ନିର୍ବାଚନ ବିଜେପିର ଭବିଷ୍ୟତ ନିର୍ଣ୍ଣାୟକ ନୁହେଁ। ପଞ୍ଚାୟତ ନିର୍ବାଚନରେ ପରାଜୟର ଅର୍ଥ ନୁହେଁ ମୋଦୀଙ୍କ କ୍ରେଜ୍ କମିଗଲା। କୌଣସି ରାଜ୍ୟର ପଞ୍ଚାୟତ ନିର୍ବାଚନରେ ମୋଦୀ ମୁଣ୍ଡ ଖେଳାନ୍ତି ନାହିଁ । ବିଜେଡି ସହ ଲଢେଇ ପାଇଁ ଦିଲ୍ଲୀରୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ବିଜେଡି ଆମର ରାଜନୈତିକ ଶତ୍ରୁ । ତେଣୁ ଓଡ଼ିଶାରେ କ୍ଷମତା ଦଖଲ ପାଇଁ ଆଗାମୀ ଦିନରେ ବିଜେପି ସବୁ ପ୍ରକାର ଚେଷ୍ଟା କରିବ । ସତ୍ୟର ପ୍ରଚାର କରି ଆମେ ବିଜେଡିକୁ ଧରାଶାୟୀ କରିବୁ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

ବିରୋଧୀଙ୍କୁ ଜବାବ ଦେଇ ବିଜେଡି ବିଧାୟକ ଶ୍ରୀ ଦେବ ଗଣମାଧ୍ୟମକୁ କହିଛନ୍ତି, ବିରୋଧୀ କ’ଣ ସତରେ ବିରୋଧୀଙ୍କ ଭୂମିକା ନିର୍ବାହ କରୁଛନ୍ତି? କାହିଁକି ବିରୋଧୀ ଦଳକୁ ଲୋକେ ଗ୍ରହଣ କରୁନାହାନ୍ତି? ବିରୋଧୀଙ୍କ ଏଜେଣ୍ଡା ହିଁ ପଞ୍ଚାୟତ ନିର୍ବାଚନରେ ବଡ଼ ଭୂମିକା ନେଇଥାଏ। କିନ୍ତୁ ବିରୋଧୀଙ୍କ ଏଜେଣ୍ଡା ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ନହୋଇ ନିଜ ରାଜନୈତିକ ଫାଇଦା ପାଇଁ ହେଲେ କ’ଣ ହେବ? ଜନସାଧାରଣ ଭୋଟ ଦେଇ ସରକାର ବାଛନ୍ତି । ସରକାର ତାଙ୍କ କାମ କରୁଛନ୍ତି କିନ୍ତୁ ବିରୋଧୀ ଦଳର କାମ ହେଉଛି ସରକାରଙ୍କ ଦୋଷ ଦୁର୍ବଳତାକୁ ପଦାକୁ ଆଣିବା । ତାହା ଠିକ୍ ଢଙ୍ଗରେ କରିବାରେ ବିଫଳ ହେଉଛନ୍ତି କି ବିରୋଧୀ ଦଳ? ନିଜ କାମ ନ କରି କେବଳ ସ୍ଲୋଗାନ ଭିତରେ ସୀମିତ ରହିଲେ ଏହାର ଜବାବ ଜନମତରେ ଦେଇଥା’ନ୍ତି ଜନତା । ଠିକ୍ ଯେମିତି ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଛି। ଯେଉଁଠି ପ୍ରତିଶ୍ରୁତି ପାଳନ ହୁଏ ନାହିଁ ସେଠାରେ ଲୋକେ ପ୍ରତ୍ୟାଖାନ କରନ୍ତି । ପ୍ରତିଶ୍ରୁତି ପାଳନ କଲେ ଲୋକେ ପୁଣିଥରେ ସୁଯୋଗ ଦିଅନ୍ତି । ସେକଥା ବିଜେପି ଭଲଭାବେ ଜାଣିବା ଦରକାର । ନଚେତ ପଶ୍ଚିମ ଓଡ଼ିଶାରେ ବିଜେପିର ଏମିତି ଅବସ୍ଥା ହୋଇନଥା’ନ୍ତା । ଗତ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ପଶ୍ଚିମ ଓଡ଼ିଶାରେ ଭରସି ଥିଲେ ଜନତା । ଏପରିକି ୨୦୧୯ ନିର୍ବାଚନରେ ମଧ୍ୟ ୫ ସାଂସଦଙ୍କୁ ନିର୍ବାଚିତ କରି ପଠାଇଥିଲେ । କିନ୍ତୁ ପ୍ରତିବଦଳରେ ପଶ୍ଚିମ ଓଡ଼ିଶାବାସୀଙ୍କ କେତୋଟି ପ୍ରସଙ୍ଗ ଦିଲ୍ଲୀ ଦରବାରରେ ଉଠାଇଲେ ବିଜେପି ସାଂସଦ । ଜାତୀୟ ଦଳ କିମ୍ବା ଆଞ୍ଚଳିକ ଦଳର ପ୍ରସଙ୍ଗ ନୁହେଁ ବରଂ ଜିତିବା ପରେ ଜନପ୍ରତିନିଧି ଲୋକଙ୍କ ପାଇଁ କାମ କରୁଛନ୍ତି କି ନାହିଁ ତାହାର ହିସାବ ନିକାଶ କରୁଛନ୍ତି ଜନତା। ଆଉ ଏହାର ଜବାବ ଭୋଟ୍‌ରେ ଦେଉଛନ୍ତି।

ସମ୍ବନ୍ଧିତ ଖବର