ତିଗିରିଆ/ଭୁବନେଶ୍ବର: ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଏଟିଏମ୍‌କୁ ଯାଉଥିବା ଭ୍ୟାନ୍‌ରୁ ଦିନ ଦ୍ୱିପ୍ରହରରେ ବନ୍ଧୁକମୁନରେ କୋଟିଏରୁ ଅଧିକ ଟଙ୍କା ଲୁଟ୍ ହୋଇଛି। କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ଅନ୍ତର୍ଗତ ତିଗିରିଆ ଥାନା ଅଞ୍ଚଳରେ ଶୁକ୍ରବାର ଅପରାହ୍‌ରେ ଏଭଳି କାଣ୍ଡ କରିଛନ୍ତି ମୁଖାପିନ୍ଧା ଦୁର୍ବୃତ୍ତ। ଟଙ୍କା ଲୁଟ୍‌ କରି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି।

Advertisment

ସୂଚନା ଅନୁସାରେ ଆଜି ଅପରାହ୍‌ଣ ପ୍ରାୟ ୨ଟା ବେଳେ ଏକ ଟଙ୍କା ଭର୍ତ୍ତି ଭ୍ୟାନ୍‌ ଆଠଗଡ଼ରୁ ବାହାରି ଥିଲା। ଟଙ୍କା ଭର୍ତ୍ତି ଭ୍ୟାନ୍‌ର କର୍ମଚାରୀମାନେ ପ୍ରଥମ‌େ ଗୋଡ଼ିଝରିଆସ୍ଥିତ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିଥିଲେ। ଏହା ପରେ ସେଠାରୁ ଟଙ୍କା ଭର୍ତ୍ତି ଭ୍ୟାନ୍‌ଟି ତିଗିରିଆ, ନୂଆପାଟଣା ସମେତ‌ ମୋଟ ୧୩ଟି ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ପାଇଁ ଆଗକୁ ବଢ଼ିଥିଲ‌ା। ଭ୍ୟାନ୍‌ରେ ଥିବା ଘରୋଇ କମ୍ପନିର କର୍ମଚାରୀମାନେ ଲୁଟ୍‌ ପୂର୍ବରୁ ୪ଟି ଏଟିଏମ୍‌ରେ ଟଙ୍କା ଭର୍ତ୍ତି ସାରିଥିଲେ।

ରାଜ୍ୟରେ ଟଙ୍କା ଭର୍ତ୍ତି ଭ୍ୟାନ୍‌ ଲୁଟ୍‌ ହେବା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଆସିକା ରୋଡ଼ରୁ ୨୦୨୧ ଅଗଷ୍ଟ ୧୮ ତାରିଖରେ ଏଟିଏମ୍‌ କାଉଣ୍ଟର୍‌କୁ ଟଙ୍କା ଭର୍ତ୍ତି ପାଇଁ ଆସିଥିବା ଗାଡ଼ି ହାଇଜାକ୍‌ ହୋଇଥିଲା। ପୁଲିସ ଘଟଣାର ତଦନ୍ତ ପରେ ଗୋଳନ୍ଥରା ଥାନା ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତ ଗିରିସୋଲା ସୋରଳ ରାସ୍ତାରୁ ଗାଡ଼ିଟି ଉଦ୍ଧାର କରିଥିଲା। ଗାଡ଼ି ଭିତରେ ଅଚେତ ଅବସ୍ଥାରେ ଥିବା ଡ୍ରାଇଭର୍‌ଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଗାଡ଼ିରେ ଥିବା ୨୪ଲକ୍ଷ ଟଙ୍କା ଗାଏବ ରହିଥିବା ସଂସ୍ଥାର ଲୋକେସନ୍‌ ମ୍ୟାନେଜର୍‌ ପଦ୍ମନାଭ ପଣ୍ଡା ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ତେବେ ଗୋଡ଼ିଝରିଆ ଠାରୁ ନୂଆସଡ଼କ ଅଭିମୁଖେ ଯିବା ରାସ୍ତାରେ ଥିବା ଏକ ରାଇସମିଲ ନିକଟରେ ଟଙ୍କା ଭର୍ତ୍ତି ଭ୍ୟାନ୍‌ ଉପରକୁ ଟେକା ମାଡ଼ ହୋଇଥିଲା। ଫଳରେ ଚାଳକ ଭ୍ୟାନ୍‌ର ଗତି କମ କରିଦେଇଥିଲେ। ଏହି ସମୟରେ ଟଙ୍କା ଭର୍ତ୍ତି ଭ୍ୟାନ୍‌ ସାମ୍ନାକୁ ଏକ ନମ୍ବର ବିହୀନ ଧଳା ସ୍କୋର୍ପିଓ ସାମ୍ନାକୁ ଆସିଥିଲା। ଏହାର ଅଳ୍ପ ସମୟ ମଧ୍ୟରେ ଏକ ସ୍କୁଟି ସମେତ ୨ଟି ବାଇକ୍‌ରେ ମୁଖାପିନ୍ଧା ଦୁର୍ବୃତ୍ତମାନେ ପହଞ୍ଚିଥିଲେ। ମୋଟ ୩ଟି ଗାଡ଼ିରେ ୮ରୁ ୯ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଟଙ୍କା ଭ୍ୟାନ୍‌ ସାମ୍ନାରେ ପହଞ୍ଚିଲା ପରେ ଆତତାୟୀ ସୃଷ୍ଟି କରିଥିଲେ। ବନ୍ଧୁକ ଦେଖାଇ ଭ୍ୟାନ୍‌ର ୪ଜଣ କର୍ମଚାରୀଙ୍କୁ ଭୟଭୀତ କରାଇଥିଲେ। ଏଥି ସହିତ ଗାଡ଼ିରେ ଥିବା ପ୍ରାୟ ୧ କୋଟି ୭୦ ଲକ୍ଷ ଟଙ୍କା ଲୁଟ୍‌ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଲୁଟ୍‌ ସଂପର୍କରେ ସୂଚନା ପାଇ ଘଟଣାସ୍ଥଳରେ କଟକ ଏସ୍‌ପି (ଗ୍ରାମାଞ୍ଚଳ) ମିହିର କୁମାର ପଣ୍ଡା, ଆଠଗଡ଼ ଏସ୍‌ଡିପିଓ ରବୀନ୍ଦ୍ର କୁମାାର ମଲ୍ଲିକ, ତିଗିରିଆ ଆଇଆଇସି ଜ୍ଞାନ ରଂଜନ ସାମଲ ପହଞ୍ଚିଛନ୍ତି। ପୁଲିସ ଭ୍ୟାନ୍‌ର କର୍ମଚାରୀମାନଙ୍କୁ ପଚରାଉଚରା କରୁଛି। ପାରିପାର୍ଶ୍ବିକ ପରିସ୍ଥିତି ଅନୁସାରେ ଘଟଣାସ୍ଥଳର ତଦନ୍ତ ଜାରି ରଖିଛି।