ଭୁବନେଶ୍ବର: ‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନି‌ର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ମ୍ୟାନେଜମେଣ୍ଟ୍‌ରେ କିଟ୍‌ ବିଶ୍ବବିଦ୍ୟାଳୟରୁ ପିଏଚ୍‌ଡି ଡିଗ୍ରି ଲାଭ କରିଛନ୍ତି। ଆଜି ବିଶ୍ୱବିଦ୍ୟାଳୟର ବିଂଶତମ ସମାବର୍ତ୍ତନ ଉତ୍ସବରେ ତାଙ୍କୁ ଏହି ଡିଗ୍ରି ପ୍ରଦାନ କରାଯାଇଛି। ଶ୍ରୀମତୀ ପଟ୍ଟନାୟକଙ୍କର ପିଏଚ୍‌ଡି ସଂଦର୍ଭର ଶୀର୍ଷକ ହେଉଛି ‘ଅଣ୍ଡର୍‌ଷ୍ଟାଣ୍ଡିଂ ମିଡିଆ କଞ୍ଜପ୍‌ସନ୍‌ ପାଟର୍ନ ଆଣ୍ଡ‌୍ ଇଟ୍‌ସ ଇମ୍ପାକ୍ଟ ଅନ୍‌ ରୁରାଲ୍‌ ୱିମେନ୍‌ ଏନ୍ତ୍ରୋପ୍ରିନର୍ସ ଇନ୍ ଓଡ଼ିଶା’। ଏଥିରେ ତାଙ୍କର ଗାଇଡ୍ ଥିଲେ ଫିନାନ୍ସ ଆଣ୍ଡ୍‌ ଇକୋନୋମିକ୍ସର ଆସୋସିଏଟ୍‌ ପ୍ରଫେସର ଡ. ଶିଖା ସିଂହ ଏବଂ ପ୍ରଫେସର ସତ୍ୟ ନାରାୟଣ ମିଶ୍ର। 

Advertisment

ମୂଳରୁ ଜଣେ ମେଧାବୀ ଛାତ୍ରୀ ଭାବେ ପରିଚିତ ଥିବା ଶ୍ରୀମତୀ ପଟ୍ଟନାୟକ ନୂଆଦିଲ୍ଲୀର ଆର୍‌କେପୁରମ୍‌ସ୍ଥିତ ଦିଲ୍ଲୀ ପବ୍ଲିକ୍‌ ସ୍କୁଲ୍‌ (ଡିପିଏସ୍‌)ରୁ କୃତିତ୍ବର ସହିତ ଉତ୍ତୀର୍ଣ୍ଣ ହେବାପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ପ୍ରସିଦ୍ଧ ହିନ୍ଦୁ କ‌ଲେଜରେ ପଢ଼ିଥିଲେ। ସେଠାରେ ତିନି ତିନିଥର ସେ ଟପର୍‌ ହୋଇଥିଲେ। ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ମୋଲେକ୍ୟୁଲାର୍‌ ବାଇଓଲୋଜିରେ ସ୍ନାତକୋତ୍ତର ପଢ଼ିବାବେଳେ ସେ ବେଙ୍ଗାଲୁରୁର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍‌ନୋଲୋଜିର ଫେଲୋସିପ୍‌ ପାଇ ଇଣ୍ଟରନ୍ୟାସନାଲ୍‌ ଓ ଡୋମେଷ୍ଟିକ୍ ମାର୍କେଟିଂରେ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ ପଢ଼ିଥିଲେ। ପରେ ସେ ପ୍ରସିଦ୍ଧ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରୁ ନେତୃତ୍ବ ପ୍ରସଙ୍ଗରେ ଏକ କୋର୍ସ ମଧ୍ୟ କରିଥିଲେ। 

ଅତୀତରେ ଶ୍ରୀମତୀ ପଟ୍ଟନାୟକ ଏଫ୍ଆଇସିସିଆଇ ଓଡ଼ିଶା କାଉନସିଲ୍‌ର ସଭାପତି, ଆସୋସିଏସନ୍‌ ଅଫ୍ ରେଡିଓ ଅପରେଟର୍ସ ଅଫ୍ ଇଣ୍ଡିଆର ଗଭର୍ନିଂ ବଡି ସଦସ୍ୟ ତଥା ଇଣ୍ଟରନ୍ୟାସନାଲ୍‌ ଆଡ୍‌ଭର୍ଟାଇଜିଂ ଆସୋସିଏସନ୍‌ର ଭାରତ ଚାପ୍ଟର୍‌ ମ୍ୟାନେଜିଂ କମିଟିର ସଦସ୍ୟ ଭାବେ ଅତି ସଫଳତାର ସହିତ ଦାୟିତ୍ବ ନିର୍ବାହ କରିଛନ୍ତି। ବର୍ତ୍ତମାନ ସେ ଏଫ୍ଆଇସିସିଆଇର ମିଡିଆ ଆଣ୍ଡ ଏଣ୍ଟର୍‌ଟେନ୍‌ମେଣ୍ଟ ସ୍କିଲ୍‌ସ କାଉନ୍‌ସିଲ୍‌ର ଜାତୀୟ ଗଭର୍ନିଂ ବଡିର ସଦସ୍ୟ ରହିଛନ୍ତି। ଜାତୀୟସ୍ତରରେ ଆୟୋ‌ଜିତ ଗଣମାଧ୍ୟମ ଭିତ୍ତିକ କାର୍ଯ୍ୟକ୍ରମ, ଆଲୋଚନାଚକ୍ର ଓ ଶିବିରକୁ ବକ୍ତା ଓ ଆଲୋଚକ ଭାବେ ନିୟମିତ ଭାବେ ନିମନ୍ତ୍ରିତ ହେଉଥିବା ଶ୍ରୀମତୀ ପଟ୍ଟନାୟକ ଆଇବିଏମ୍‌ ଓ ଇନ୍‌ଫୋସିସ୍‌ ଭଳି ବଡ଼ ଆଇଟି ସଂସ୍ଥାରେ ସଫ୍ଟସ୍କିଲ୍‌ ବିଷୟରେ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରନ୍ତି। ଶ୍ରୀମତୀ ପଟ୍ଟନାୟକଙ୍କର ପିଏଚ୍‌ଡି ପ୍ରାପ୍ତିର ଖବର ‘ସମ୍ବାଦ’ ଗ୍ରୁପ୍‌ର କର୍ମଚାରୀମାନଙ୍କ ଭିତରେ ଖୁସିର ଲହରି ଖେଳାଇ ଦେଇଛି।