ମୋନିକା ନୈୟର ପଟ୍ଟନାୟକ ‘ଫିକି ଓଡ଼ିଶା ରାଜ୍ୟ ପରିଷଦ’ର ନୂଆ ଅଧ୍ୟକ୍ଷା

ଭୁବନେଶ୍ବର : ସମ୍ବାଦ ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ମୋନିକା ନୈୟର ପଟ୍ଟନାୟକଙ୍କୁ ଫିକି ଓଡ଼ିଶା ରାଜ୍ୟ ପରିଷଦର ନୂଆ ଅଧ୍ୟକ୍ଷା ଭାବେ ନିଯୁକ୍ତ କରାଯାଇଛି। ଏହି ପଦ ଅଳଙ୍କୃତ କରିବାରେ ସେ ହେଉଛନ୍ତି ରାଜ୍ୟର ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପର ପ୍ରଥମ ମହିଳା ଉଦ୍ୟୋଗୀ। ଫିକି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିବା ଲାଗି ତାଙ୍କୁ ଫିକିର (ଜାତୀୟ) ନୂଆ ସଭାନେତ୍ରୀ ଡକ୍ଟର ସଙ୍ଗୀତା ରେଡ୍ଡି ଆମନ୍ତ୍ରଣ କରିଛନ୍ତି। ସଙ୍ଗୀତା ହେଉଛନ୍ତି ଆପୋଲୋ ହସ୍ପିଟାଲସ୍ ଗ୍ରୁପ୍ର ଯୁଗ୍ମ ପରିଚାଳନା ନିର୍ଦେଶିକା।

ମୋନିକାଙ୍କ ପାଖକୁ ଡକ୍ଟର ରେଡ୍ଡି ପଠାଇଥିବା ଏକ ଚିଠିରେ ଜଣାଇଛନ୍ତି ଯେ, ୨୦୧୯ରେ ଫିକି ଓଡ଼ିଶା ରାଜ୍ୟ ପରିଷଦର ସହ-ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି। ନିକଟରେ ଅନୁଷ୍ଠିତ ହୋଇଯାଇଥିବା ଫିକିର ୯୨ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍)ରେ ମୋତେ ନୂଆ ସଭାନେତ୍ରୀ ଭାବେ ଚୟନ କରାଯାଇଛି ଓ ଏହି ପଦରେ ମୁଁ ୨୦୧୯ ଡିସେମ୍ବର ୨୧ ଠାରୁ କାର୍ଯ୍ୟ ଆରମ୍ଭ କରିଛି। ମୋ ସହିତ ମିଶି ଫିକି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିବା ଲାଗି ମୁଁ ଆପଣଙ୍କୁ ଆମନ୍ତ୍ରଣ କରୁଛି।

ନିଜ ନୂତନ ନିଯୁକ୍ତି ସମ୍ପର୍କରେ ମୋନିକା କହିଛନ୍ତି, ଓଡ଼ିଶାରେ ଫିକିର ଥିବା ଟିମ୍ ସହିତ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ମୁଁ ଆଗ୍ରହର ସହିତ ଚାହିରହିଛି। ଫିକି ଓଡ଼ିଶା ରାଜ୍ୟ ପରିଷଦ ସହିତ ମୋନିକାଙ୍କ ସମ୍ପର୍କ ନୂଆ ନୁହେଁ। ୨୦୧୨ରେ ତାଙ୍କୁ ଫିକି ଓଡ଼ିଶାର ‘ଗଣମାଧ୍ୟମ ଓ ମନୋରଞ୍ଜନ କୌଶଳ ପରିଷଦ’ର ଗଭର୍ଣ୍ଣି ବଡି ସଦସ୍ୟା ଭାବେ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା। ତାଙ୍କୁ ୨୦୧୯-୨୦ ବର୍ଷ ପାଇଁ ଓଡ଼ିଶା ରାଜ୍ୟ ପରିଷଦର ସହ-ଅଧ୍ୟକ୍ଷା ଭାବେ ନିଯୁକ୍ତି ମିଳିଥିଲା।

କେବଳ ଫିକି ନୁହେଁ ଆହୁରି ଅନେକ ସମ୍ମାନଜନକ ସଂଗଠନ ସହିତ ମୋନିକା ଜଡ଼ିତ ଅଛନ୍ତି। ସେ ‘ଆସୋସିଏସନ ଅଫ ରେଡିଓ ଅପରେଟର୍ସ ଅଫ ଇଣ୍ଡିଆ’ (ଏଆରଓଆଇ)ର ଗଭର୍ଣ୍ଣିଂ ବଡି ସହିତ ଜଡ଼ିତ ଅଛନ୍ତି। ନିକଟରେ ସେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ନେତୃତ୍ବ ଉପରେ ଏକ ପାଠ୍ୟକ୍ରମ ଶେଷ କରି ଫେରିଛନ୍ତି।

ସମ୍ବନ୍ଧିତ ଖବର