ଦୁର୍ଘଟଣାରେ ମୃତ ମାଙ୍କଡ଼କୁ ମଣିଷ ଭଳି କରାଗଲା ଶବ ସତ୍କାର

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବନବିଭାଗ ଓ ପ୍ରାଣୀ ଚିକିତ୍ସାଳୟ ଓ ହିନ୍ଦୁ ପରିଷଦ ଗୋରକ୍ଷା ସମିତି ଉପସ୍ଥିତରେ ଶୁକ୍ରବାର ଦିନ ଦୁର୍ଘଟଣାରେ ମୃତ ଏକ ମାଙ୍କଡ଼କୁ ମଣିଷ ଭଳି ଶବ ସତ୍କାର କରାଯାଇଥିବା ଦେଖିବାକୁ ମିଳିଛି। ଜଣେ ବନ୍ୟଜନ୍ତୁକୁ ମଣିଷ ପରି ଶବ ସତ୍କାର କରାଯିବା ଘଟଣା ବନ୍ୟଜନ୍ତୁ ପ୍ରେମୀ ମାନଙ୍କ ମଧ୍ୟରେ ଏକ ଉଦାହରଣ ସୃଷ୍ଟି କରିଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲାରେ। ନୂଆପଡ଼ା ବ୍ଲକ କୃଷି ବିଭାଗ ଅଫିସ ବିଜୁ ଏକ୍ସପ୍ରେସ ରାସ୍ତାରେ ୨୪ ତାରିଖ ଦିନ ଏକ ମାଙ୍କଡ଼ ଅଜଣା ଗାଡି ଧକ୍କାରେ ଗୁରୁତର ହୋଇଥିବା ଦେଖି ନୂଆପଡ଼ା ବିଶ୍ୱ ହିନ୍ଦୁ ପରିଷଦ ଗୋରକ୍ଷକ ସମିତିର ମଳୟ ରଞ୍ଜନ ମଣ୍ଡଳ ତୁରନ୍ତ ନୂଆପଡ଼ା ବନ ବିଭାଗ ଓ ପ୍ରାଣୀ ଚିକିତ୍ସାଳୟକୁ ଖବର ଦେଇଥିଲେ। ଦୁଇଟି ବିଭାଗର କର୍ମଚାରୀମାନେ ପହଞ୍ଚି ମାଙ୍କଡ଼କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରାଣୀ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଯାଇଥିଲା। ସମସ୍ତ ଉଦ୍ୟମ ପରେ ମଧ୍ୟ ମାଙ୍କଡ଼ର ଆଜି ମୃତ୍ୟୁ ହୋଇଥିଲା। ଏ‌ହା ପରେ ନୂଆପଡ଼ା ଫରେଷ୍ଟର କର୍ନ୍ଦପ ସୁନାନୀ ଓ ନୂଆପଡ଼ା ପ୍ରାଣୀ ବିଭାଗର ବବୁଲୁ ଖାନ ଓ ବିଶ୍ୱ ହିନ୍ଦୁ ପରିଷଦ ଗୋରକ୍ଷକ ସମିତିର ମଳୟ ରଞ୍ଜନ ମଣ୍ଡଳ ଉପସ୍ଥିତି ରହି ବନ ବିଭାଗ ଅଫିସ ପରିସରରେ ମୃତ ମାଙ୍କଡ଼ ଦେହରେ ଧଳ କନା ଦେଇ ମଣିଷ ଭଳି ନୀତିନିୟମ ଅନୁଯାୟୀ ଏକ ଗାତ ଖୋଳି ପୋତି ଦିଆଯାଇଛି। ବିଭାଗର ଏପରି କାମକୁ ବନ୍ୟଜନ୍ତୁ ପ୍ରେମୀ ତଥା ଜନସାଧାରଣ ସାଧୁବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର