ମନ୍ଦିରରେ ଅଧିଆ ପଡ଼ିିଛନ୍ତିି ବାପା
କଟକ/ବାଙ୍କୀ : ମାଙ୍କଡ଼ ଟେକିନେଲା ପନ୍ଦର ଦିନର କଅଁଳ ଶିଶୁକୁ। ବାପା ପାଖରେ ମଶାରି ଭିତରେ ଶୋଇଥିବା ଶିଶୁପତ୍ରକୁ ମାଙ୍କଡ଼ ଟେକିନେଇ ଚାଳ ଡେଇଁ ପଳାଇ ଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଦୀର୍ଘ ୧୫ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ବନବିଭାଗ ଓ ସ୍ଥାନୀୟ ଗ୍ରାମବାସୀ ଶିଶୁପୁତ୍ର ଓ ମାଙ୍କଡ଼କୁ ଖୋଜି ଖୋଜି ନୟାନ୍ତ ହୋଇପଡ଼ିଥିଲେ ମଧ୍ୟ ମାଙ୍କଡ଼ ଓ ଶିଶୁପୁତ୍ରର ସନ୍ଧାନ ମିଳିପାରୁନି। ଏଭଳି ଏକ ଚକିତ କଲାଭଳି ଘଟଣା ଘଟିଛି କଟକ ଜିଲ୍ଲାର ବାଙ୍କୀ-ଡମପଡ଼ା ବ୍ଲକ ଅନ୍ତର୍ଗତ ତାଳବସ୍ତ ଗ୍ରାମରେ। ଏପଟେ ନିଜ ପୁଅକୁ ଫେରିପାଇବା ପାଇଁ ବାପା ହନୁମାନ ମନ୍ଦିରରେ ଅଧିଆ ପଡ଼ିଥିବାବେଳେ ଗାଁରେ ମଧ୍ୟ ପିଲାକୁ ଖୋଜିବାକୁ କାଳସୀ ବୁଲୁଛି। ଏପଟେ ପୁଅ ଚିନ୍ତାରେ ମା’କୁ ଗୁରୁତର ଅବସ୍ଥାରେ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ମାଙ୍କଡ଼ ଓ ଶିଶୁପୁତ୍ର ମିଳୁନଥିବାରୁ ଏହି ଘଟଣା ଅଧିକ ରହସ୍ୟଜନକ ହେବାରେ ଲାଗିଛି।
ସୂଚନା ଅନୁସାରେ, ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ପାଟଣାସାହିର ରାମକୃଷ୍ଣ ନାୟକ ଓ ସ୍ତ୍ରୀ ସରୋଜିନୀଙ୍କ ୧୫ଦିନ ତଳେ ଏକ ଶିଶୁପୁତ୍ରକୁ ହୋଇଥିଲା। ଜନ୍ମ ପରଠାରୁ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତା’କୁ ଶିଶୁଭବନରେ ରଖାଯାଇଥିଲା। ଚିକିତ୍ସା ପରେ ତିନିଦିନ ହେଲା ଘରକୁ ଆସିଥିଲା। କିନ୍ତୁ ଜନ୍ମ ହେବା ପରଠାରୁ ଶିଶୁପୁତ୍ରଟି କାନ୍ଦୁ ନଥିଲା। ଏହାକୁ ନେଇ ଚିନ୍ତାରେ ଥିଲେ ପରିବାର ଲୋକ। ଗଲାକାଲି ରାତିରେ ବାପା-ମାଙ୍କ ସହ ଶିଶୁଟି ଶୋଇଥିଲା। ଭୋର ସକାଳ ପ୍ରାୟ ୫ଟାରେ ମା’ ଶେଯରୁ ମୁହଁ ଧୋଇବା ପାଇଁ ଉଠିଥିଲେ। ସେହି ସମୟରେ ଶିଶୁଟିକୁ ମାଙ୍କଡ଼ ଟେକିନେଉଥିବା ଦେଖି ସେ ପାଟି କରିଥିଲେ। ଏ ସଂପର୍କରେ ନିଜର ସ୍ୱାମୀ ଓ ପରିବାରବର୍ଗଙ୍କୁ ଜଣାଇବା ପରେ ମାଙ୍କଡ଼ ଶିଶୁପୁତ୍ରକୁ ଟେକିନେବା ଖବର ଗାଁରେ ପ୍ରଚାର ହୋଇଯାଇଥିଲା। ଶହ ଶହ ଲୋକ ଠେଙ୍ଗାବାଡ଼ି ଧରି ଏକାଠି ହୋଇ ଆରମ୍ଭ କରିଥିଲେ ମାଙ୍କଡ଼ ଧରିବା ଅଭିଯାନ। କିନ୍ତୁ କେହି ମାଙ୍କଡ଼କୁ ପାଇନଥିଲେ।
ଗାଁରେ ବିଭିନ୍ନ ସମୟରେ ମାଙ୍କଡ଼ ଉପଦ୍ରବରେ ସାଧାରଣ ଲୋକ ଅତିଷ୍ଠ ହେବା ସହ ଆକ୍ରମଣର ଶିକାର ମଧ୍ୟ ହୋଇଥାନ୍ତି। କିନ୍ତୁ ଶିଶୁପୁତ୍ରକୁ ମଶାରି ଭିତରୁ ମାଙ୍କଡ଼ ଟେକି ନେବା ଘଟଣା ଅନେକଙ୍କୁ ଚକିତ କରିଛି। ଏ ସଂପର୍କରେ ନିକଟସ୍ଥ ଡମପଡ଼ା-ଚନ୍ଦକା ଅଭୟାରଣ୍ୟ କର୍ମକର୍ତ୍ତାଙ୍କୁ ସୂଚନା ଦିଆଯାଇଥିଲା। ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ବନ କର୍ମଚାରୀ ତିନିଟି ଦଳରେ ଭାଗ ହୋଇ ଗାଁରେ ପହଞ୍ଚ ପାଞ୍ଚ କିଲୋମିଟର ପରିଧି ମଧ୍ୟରେ ଖୋଜାଖୋଜି କରିଥିଲେ ମଧ୍ୟ କିଛି ପାଇନଥିଲେ। ଏପରିକି ମାଙ୍କଡ଼ ମଧ୍ୟ ଦେଖିବାକୁ ପାଇନଥିଲେ। ଶିଶୁପୁତ୍ରକୁ ପାଇବା ପାଇଁ ବାପା ଆଜି ହନୁମାନ ମନ୍ଦିର ଓ ଗ୍ରାମରେ ମଙ୍ଗଳାଙ୍କ ପୀଠରେ ଚାଲିଥିବା ଝାମୁ ଯାତ୍ରାରେ ଅଧିଆ ପଡ଼ିଛନ୍ତି। ଅପରାହ୍ନରେ ଗ୍ରାମବାସୀଙ୍କ ପକ୍ଷରୁ ମଧ୍ୟ ଗ୍ରାମ ଠାକୁରାଣୀଙ୍କ ପୀଠରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଏଭଳି ଦୁଃଖଦ ଘଟଣା ପରେ ମା’ କାନ୍ଦି କାନ୍ଦି ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଅଞ୍ଚଳ ଖୋର୍ଦ୍ଧା ବନଖଣ୍ଡ ଅଧୀନରେ ଯାଉଥିବାରୁ ସଂଧ୍ୟାରେ ଖୋର୍ଦ୍ଧାରୁ ବନକର୍ମଚାରୀ ପହଞ୍ଚି ତାଳବସ୍ତ ଫାଣ୍ଡିରେ ଘଟଣା ସଂପର୍କରେ ଲିଖିତଭାବେ ଜଣାଇଛନ୍ତି। ଆସନ୍ତାକାଲି ସକାଳୁ ପୁଣି ମାଙ୍କଡ଼ ଓ ଶିଶୁ ଖୋଜା ଅଭିଯାନ ଆରମ୍ଭ ହେବ ବୋଲି ବନବିଭାଗ ରେଞ୍ଜର ସଂଗ୍ରାମ କେଶରୀ ମହାନ୍ତି ସୂଚନା ଦେଇଛନ୍ତି।