ମଙ୍କିପକ୍ସକୁ ନେଇ ଓଡ଼ିଶାରେ ଆଲର୍ଟ

ପୁନେ ଏନ୍‌ଆଇଭିକୁ ପଠାଯିବ ସିନ୍ଦଗ୍ଧ ଆକ୍ରାନ୍ତଙ୍କ ନମୁନା

ଭୁବନେଶ୍ବର : ମଙ୍କିପକ୍ସକୁ ନେଇ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଉପଦେଶାବଳୀ ଜାରି କରିବା ପରେ ଓଡ଼ିଶା ଏଥିପାଇଁ ଆଲର୍ଟ ରହିଛି। ଯଦିଓ ଭାରତରେ କିମ୍ବା ଓଡ଼ିଶାରେ ଜ‌ଣେ ହେଲେ ବି ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ତେବେ ଏହାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଏ ଦୃଷ୍ଟି ରାଜ୍ୟ ସରକାର ମଙ୍କିପକ୍ସ ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି ବୋଲି କହିଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି ଯେ କେନ୍ଦ୍ର ସରକାର ମଙ୍କିପକ୍ସକୁ ନେଇ ସତର୍କ ରହିବାକୁ କହିଛନ୍ତି। ମଙ୍କିପକ୍ସରେ ଆକ୍ରାନ୍ତ ହେଲେ ଜଣଙ୍କଠାରେ ଜ୍ବର ହେବା, ଦେହ ମୁଣ୍ଡ ବ୍ୟଥା ହେବା ଓ ଦେହ ସାରା ଫଳି ଯାଇ ଘା’ ହୋଇଥାଏ। ଯଦି ରାଜ୍ୟରେ କୌଣସି ଏଭଳି ସନ୍ଦିଗ୍ଧ ଚିହ୍ନଟ ହୁଅନ୍ତି ତାହାଲେ ତାଙ୍କ ନମୁନାକୁ ପୁନେସ୍ଥିତ ଏନ୍‌ଆଇଭିକୁ ପଠାଯିବ। ତା’ପ‌ରେ ହିଁ ଏହା ମଙ୍କିପକ୍ସ କି ନୁହେଁ ସ୍ପଷ୍ଟ ହୋଇପାରିବ। ବର୍ତମାନସୁଦ୍ଧା ଏନ୍‌ସିଡିସି ପକ୍ଷରୁ ଏ ସଂକ୍ରାନ୍ତୀୟ କୌଣସି ସୂଚନା ଆସି ନ ଥିବା ଡା.ମହାପାତ୍ର କହିଛନ୍ତି।

ମଙ୍କିପକ୍ସ ରୋଗ କ’ଣ ?
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦେଶାବଳୀ ଅନୁଯାୟୀ ଏହା ଏକ ଭୂତାଣୁ ଜନିତ ଜୁନେଟିକ(ପ୍ରାଣୀଙ୍କଠାରୁ ମନୁଷ୍ୟକୁ ବ୍ୟାପିବା) ରୋଗ। ଏହା ନିଶ୍ବାସପ୍ରଶ୍ବାସ ପଥ ସହିତ ମ୍ୟୁକସ୍ ମେମ୍ବ୍ରେନ୍(ନାକ, ଆଖି ଓ ପାଟି) ଓ ଚର୍ମ ଜରିଆରେ ବ୍ୟାପିଥାଏ। ସାଧାରଣଭାବେ ଏହା କେନ୍ଦ୍ରୀୟ ଓ ପଶ୍ଚିମ ଆଫ୍ରିକାର ସନ୍ତସନ୍ତିଆ ଅଞ୍ଚଳରେ ଦେଖା ଦେଇଥାଏ। ପରବର୍ତୀ ସମୟରେ ଅନ୍ୟ ଦେଶକୁ ଏହା ବ୍ୟାପିଛି। ଏଥିରେ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ଜ୍ବର, କୁଣ୍ଡେଇ ହେବା ସହିତ ଦେହରେ ଫୁଲା ହୋଇଥାଏ। ରୋଗର ଲକ୍ଷଣ ୨-୪ ସପ୍ତାହ ପର୍ଯ୍ୟନ୍ତ ରହିଥାଏ। ଏହି ରୋଗର ମୃତ୍ୟୁ ହାର ସ୍ଥଳ ବିଶେଷରେ ୧-୧୦ ପ୍ରତିଶତ ପର୍ଯ୍ୟନ୍ତ ରହିଥିବା ଜଣାପଡ଼ିଛି। ବର୍ତମାନସୁଦ୍ଧା ୟୁରୋପ ଓ ଆମେରିକାରେ ଶହେରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ସାରିଲାଣି। ଇଂଲଣ୍ଡ, ପର୍ତୁଗାଲ, ଇଟାଲି, ଜର୍ମାନୀ ଓ ସ୍ପେନ୍ ଭଳି ରାଷ୍ଟ୍ରରେ ଏହି ରୋଗ ଚିହ୍ନଟ ହୋଇଛି।

ମଙ୍କିପକ୍ସ ପାଇଁ ବର୍ତମାନସୁଦ୍ଧା କୌଣସି ନିର୍ଦ୍ଦିଷ୍ଟ ଟିକା ନାହିଁ। ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚ୍‌ଓ ଅନୁଯାୟୀ ବସନ୍ତ ରୋଗ ପାଇଁ ଉପଲବ୍ଧ ଟିକା ମଙ୍କିପକ୍ସ କ୍ଷେତ୍ରରେ ୮୫ ପ୍ରତିଶତ ପର୍ଯ୍ୟନ୍ତ ସଫଳ ହୋଇପାରୁଛି। ନିକଟରେ ଡବ୍ଲୁଏଚ୍‌ଓର ଷ୍ଟ୍ରାଟେଜିକ୍ ଏଣ୍ଡ ଟେକ୍‌ନିକାଲ ଆଡଭାଇଜରି ଗ୍ରୁପ୍ ଅଫ୍ ଇ‌ନ୍‌ଫେକ୍ସିଅସ୍ ହାଜାର୍ଡସ ୱିଜ୍ ପାଣ୍ଡେମିକ୍ ଏଣ୍ଡ ଏପିଡେମିକ ପେଟୋନସିଆଲ ବା ଏନ୍‌ଟିଏଚ୍‌ଜି-ଆଇଏଚ୍‌ର ବୈଠକ ବସିଥିଲା। ମାତ୍ର ଏହାକୁ ମହାମାରୀ ଘୋଷଣା ନେଇ ବୈଠକରେ କୌଣସି ନିଷ୍ପତ୍ତି ହୋଇନାହିଁ।

ସମ୍ବନ୍ଧିତ ଖବର