ଭୁବନେଶ୍ବର : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚ୍‌ଓ ମଙ୍କିପକ୍ସକୁ ଜରୁରୀକାଳୀନ ଜନସ୍ବାସ୍ଥ୍ୟ ସମସ୍ୟା ବୋଲି ଘୋଷଣା କରିବା ପରେ ବିଶ୍ବବ୍ୟାପୀ ଏହାକୁ ନେଇ ଚିନ୍ତା ବଢ଼ିଛି। ଦେଶରେ ବର୍ତମାନସୁଦ୍ଧା ଏହାର ୪ଟି ମାମଲା ନଜରକୁ ଆସିଲାଣି। ଅଧିକାଂଶ କ୍ଷେତ୍ରରେ ସମଲିଙ୍ଗୀ, ତୃତୀୟଲିଙ୍ଗୀ ଓ ‌ଯୌନକର୍ମୀଙ୍କ କ୍ଷେତ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଦେଖିବାକୁ ମିଳୁଥିବାରୁ ଏଥିପାଇଁ ସତର୍କ ରହିବା ଲାଗି କୁହାଯାଇଛି। ଏ ପରିପ୍ରେକ୍ଷୀରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ଓସାକ୍ସକୁ ଚିଠି ଜାରି ହୋଇଛି। ଓସାକ୍ସ ଅଧୀନରେ ଥିବା ସମନ୍ବିତ କାଉନସେଲିଂ ଓ ପରୀକ୍ଷା କେନ୍ଦ୍ର ବା ଆଇସିଟିସିକୁ ଆସୁଥିବା ସନ୍ଦିଗ୍ଧ ଆକ୍ରାନ୍ତଙ୍କ ସଂପର୍କରେ ଜଣାଇବାକୁ କୁହାଯାଇଛି।

Advertisment

ବିଭାଗ ପକ୍ଷରୁ କୁହାଯାଇଛି ଯେ ‌ବିଶ୍ବରେ ଲାବୋରେଟାରି ପରୀକ୍ଷାରେ ୧୮ହଜାରରୁ ଅଧିକ ମଙ୍କିପକ୍ସି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନିକଟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟକୁ ଏଥିପାଇଁ ଚିଠି ଜାରି ହେବା ସହିତ ସବୁ ପ୍ରବେଶ ପଥ ବା ପିଓଇରେ ସ୍କ୍ରିନିଂ ଓ ସର୍ଭେଲାନ୍‌ସକୁ ବଢ଼ାଇବାକୁ କୁହାଯାଇଛି। ତେଣୁ ଓସାକ୍ସ ଅଧୀନରେ ସମ୍ବେଦନଶୀଳ ଗ୍ରୁପ୍‌ ବା ଏଚ୍‌ଆରଜିଙ୍କ ପାଇଁ କାର୍ଯ୍ୟ କରୁଥିବା ବିଭିନ୍ନ ସଂସ୍ଥା ଓ ଆଇସିଟିସି ଜରିଆରେ ସଚେତନତା ବଢ଼ାଇ ଉପରେ ଗୁରୁତ୍ବ ଦିଆଯାଇଛି। ଆଇସିଟିସି କିମ୍ବା ସଂସ୍ଥା ଜରିଆରେ ଯଦି କୌଣସି ସନ୍ଦିଗ୍ଧ ନଜରକୁ ଆସନ୍ତି ତାହାଲେ ଏହା ସଂପର୍କରେ ଆଇଡିଏସ୍‌ସିକୁ ଜଣାଇବାକୁ କୁହାଯାଇଛି।

ଅପରପକ୍ଷରେ ମଙ୍କିପକ୍ସକୁ ନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିସ୍ତୃତଭାବେ ରୋଗ ସଂପର୍କରେ ଆଲୋଚନା କରାଯାଇଥଛି। ବୈଠକରୁ ମିଳିଥିବା ସୂଚନା ଅନୁସାରେ, ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ମଙ୍କିପକ୍ସର ଚିକିତ୍ସା ପାଇଁ ଭେଷଜ ବିଭାଗର ପ୍ରଫେସର ଡା.ଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଶେଷଜ୍ଞମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ପ୍ରତ୍ୟେକ ଜିଲ୍ଲାରୁ ଭେଷଜ, ଶିଶୁରୋଗ ଓ ଚର୍ମରୋଗ ଓ ଓସାକ୍ସ ଅଧୀନରେ ଥିବା ସମସ୍ତ ଜିଲ୍ଲାସ୍ତରୀୟ ପରାମର୍ଶ ଅଧିକାରୀଙ୍କୁ ରୋଗ ସମ୍ବନ୍ଧୀୟ ତାଲିମ ପ୍ରଦାନ କରାଯିବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ଏକ ମାର୍ଗଦର୍ଶିକା ଜାରି କରାଯିବ।

ମଙ୍କିପକ୍ସ ଆକ୍ରାନ୍ତଙ୍କଠାରେ ସାଧାରଣତଃ ହାଡ଼ଫୁଟି ଓ ମିଳିମିଳି ଭଳି ରୋଗର ଲକ୍ଷଣ ପ୍ରକାଶ ପାଇଥାଏ। ନିଶ୍ବାସ ପ୍ରଶ୍ବାସ ଓ କାଶିବା ଦ୍ବାରା ଏହା ବ୍ୟାପିଥାଏ। ଏହି ରୋଗରେ ଆକ୍ରାନ୍ତ ରୋଗୀ ପ୍ରଥମ ଅବସ୍ଥାରେ ଦୁର୍ବଳ ଲାଗିବା, ପିଠିରେ ଯନ୍ତ୍ରଣା, ଦେହ ହାତ କୁଣ୍ଡାଇ ହେବା ଭଳି ଲକ୍ଷଣ ପ୍ରକାଶ ପାଇଥାଏ। ପରେ ହାତ ପାଦ ଓ ମୁହଁରେ ଘା’ବାହାରିଥ‌ାଏ। ସନ୍ଦିଗ୍ଧ ରୋଗୀ ୨୧ଦିନ ସଙ୍ଗରୋଗରେ ରହିବା ସହିତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ଦେଶର ୧୫ଟି ସ୍ଥାନରେ ମଙ୍କିପକ୍ସ ରୋଗର ନମୁନା ପରୀକ୍ଷା କରିବାର ବ୍ୟବସ୍ଥା ରହିଛି। ଖୁବଶୀଘ୍ର ଭୁବନେଶ୍ବସ୍ଥିତ ଆରଏମ୍‌ଆରସିରେ ଏହାର ନମୁନା ପରୀକ୍ଷା ବ୍ୟବସ୍ଥା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ବିଭାଗ ପକ୍ଷରୁ ଆରଏମ୍‌ଆରସିକୁ ଏଥିପାଇଁ ଚିଠି ଦିଆଯାଇଥିବା ବେ‌ଳେ ଆରଏମ୍‌ଆରସି ପକ୍ଷରୁ ଆଇସିଏମ୍‌ଆରଙ୍କୁ ଅନୁମତି ମଗାଯାଇଥିବା ସୂଚନା ମିଳିଛି।

ବୈଠକରେ ବିଭାଗୀୟ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ଜାତୀୟ ସ୍ବାସ୍ଥ୍ୟ ମିସନର ପରିଚାଳନା ନିର୍ଦେଶକ ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶକ ବୃନ୍ଦା.ଡି, ଆରଏଆରସିର ନିର୍ଦେଶକା ଡା.ସଂଘମିତ୍ରା ପତି, ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।