ଖୁବ୍‌ଶୀଘ୍ର ଜାରି ହେବ ମଙ୍କିପକ୍ସ ଗାଇଡଲାଇନ୍

ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ବର : ଦେଶ କିମ୍ବା ରାଜ୍ୟରେ ଏ ପର୍ଯ୍ୟନ୍ତ କୌଣସି ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ତଥାପି ଆଗୁଆ ସତର୍କତାମୂଳକ ପ‌ଦକ୍ଷେପ ସ୍ବରୂପ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ୨ଦିନ ଗାଇଡଲାଇନ୍ ଜାରି କରିଛନ୍ତି। ତେବେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ମଙ୍କିପକ୍ସକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାସ୍ତରରେ ଡାକ୍ତରମାନେ କିଭଳି ମଙ୍କିପକ୍ସ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବେ ଓ ସେମାନଙ୍କୁ ଚିକିତ୍ସା କରିବେ ତାହା ସଂପର୍କରେ ସୂଚନା ଦିଆଯାଇଛି। ଏହାସହ ଖୁବଶୀଘ୍ର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଙ୍କିପକ୍ସ ସଂପର୍କିତ ଗାଇଡଲାଇନ୍ ଜାରି କରାଯିବ ବୋଲି ସୂଚନା ମିଳିଛି।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ମଙ୍କିପକ୍ସର ଲକ୍ଷଣ କ’ଣ, ଡାକ୍ତରଖାନାକୁ ଯଦି କୌଣସି ସନ୍ଦିଗ୍ଧ ଆସନ୍ତି ତାହାଲେ କିଭଳି ସେମାନଙ୍କୁ ଚିହ୍ନଟ କରାଯିବା, ସେମାନଙ୍କ ନମୁନା ସଂଗ୍ରହ ଓ ନମୁନା କିଭଳି ପଠାଯିବ ତାହା ସଂପର୍କରେ ଡାକ୍ତରମାନଙ୍କୁ ସୂଚନା ଦିଆଯାଇଛି। ମଙ୍କିପକ୍ସ ସନ୍ଦିଗ୍ଧଙ୍କଠାରୁ ରକ୍ତ ନମୁନା, ଫୋଟକାର ଖୋଳପା ଓ ପାଣି ନମୁନା ସଂଗ୍ରହ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ବିଭିନ୍ନ ମେଡିକାଲ କଲେଜର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମଙ୍କିପକ୍ସ ସଂପର୍କିତ ମତ ରଖିଛନ୍ତି। ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨୧ଦିନ ପୂର୍ବରୁ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖା ଯାଇଥିବା କୁହାଯାଇଥିଲା। ମାତ୍ର ଯେଉଁମାନଙ୍କଠାରେ ମଙ୍କିପକ୍ସର ଲକ୍ଷଣ ଦେଖାଯିବ ସେମାନଙ୍କର ହିଁ ନମୁନା ସଂଗ୍ରହ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର