ଭୁବନେଶ୍ବର: ଓଡ଼ିଶାରେ ମଙ୍କିପକ୍ସ ରୋଗରେ ବର୍ତ୍ତମାନସୁଦ୍ଧା କୌଣସି ବ୍ୟକ୍ତି ଚିହ୍ନଟ ହୋଇନାହାନ୍ତି। ଦେଶରେ ଚିହ୍ନଟ ହୋଇଥିବା ୩ଟି ମାମଲାରୁ କେରଳ ଓ ଦିଲ୍ଲୀରେ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ମଙ୍କିପକ୍ସକୁ ଏକ ଚିନ୍ତାଜନକ ରୋଗ ବର୍ଗରେ ସାମିଲ କରାଯାଇଥିବାରୁ ରାଜ୍ୟ ସରକାର ଏଥିପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ଏମ୍‌ସ ଭୁବନେଶ୍ବରରେ ମଙ୍କିପକ୍ସ ଚିହ୍ନଟ ନେଇ ଟେଷ୍ଟିଂ ସୁବିଧା ରହିଛି। ଏହାବାଦ୍ ଭୁବନେଶ୍ୱର, ଝାରସୁଗୁଡ଼ା ବିମାନବନ୍ଦର ସମେତ ପାରାଦୀପ, ଗୋପାଳପୁର, ଧାମରା ବନ୍ଦରଠାରେ ଆବଶ୍ୟକ ବ୍ୟବସ୍ଥା କରାଯାଇଥିବା ରାଜ୍ୟ ସରକାରଙ୍କୁ ପକ୍ଷରୁ କୁହାଯାଇଛି। 

Advertisment

ମଙ୍କିପକ୍ସ ପଶୁଠାରୁ ସଂକ୍ରମିତ ହେଉଥିବା ଏକ ରୋଗ। ଏହା ପଶୁଠାରୁ ମଣିଷକୁ ଓ ମଣିଷଠାରୁ ମଣିଷକୁ ସଂକ୍ରମିତ କରିଥାଏ। ବିଶ୍ବରେ ମଙ୍କିପକ୍ସ ସଂକ୍ରମିତ ୧୪ଟି ଦେଶକୁ ଓଡ଼ିଶାରୁ କୌଣସି ସିଧାସଳଖ ବିମାନ ଚଳାଚଳ ବ୍ୟବସ୍ଥା ନାହିଁ। ଏହାସତ୍ତ୍ବେ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଓଡ଼ିଶାର ବିମାନ ବନ୍ଦର, ବିଭିନ୍ନ ବନ୍ଦର କର୍ତ୍ତୃପକ୍ଷଙ୍କୁ ସଚେତନ ଓ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ମଙ୍କିପକ୍ସକୁ ନେଇ ଜନସାଧାରଣ ବିବ୍ରତ ହେବା ଉଚିତ ନୁହେଁ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମଙ୍କିପକ୍ସକୁ ନେଇ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ୍‌, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦରର ନିର୍ଦ୍ଦେଶକ, ବିମାନ ଚଳାଚଳ ନିର୍ଦ୍ଦେଶକ, ପାରାଦୀପ, ଗୋପାଳପୁର, ଧାମରା ବନ୍ଦର କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ।