ଜୀବନ ସହିତ ଲଢ଼େଇ କରୁଛନ୍ତି ଜଳବନ୍ଦୀ ୬ ମାଙ୍କଡ଼

ଝାରସୁଗୁଡ଼ା : ଝାରସୁଗୁଡ଼ା ମୁମେରମୁଣ୍ଡା ଠାରେ ଜଳବନ୍ଦୀ ହୋଇ ରହିଯାଇଥିବା ୬ ଗୋଟି ମାଙ୍କଡ଼ ନିଜ ଜୀବନ ବଞ୍ଚାଇବା ପାଇଁ ଦୀର୍ଘ ମାସ ହେଲା ଉଦ୍ୟମ ଜାରି ରଖିଥିବା ବେଳେ ଏମାନଙ୍କୁ ଉଦ୍ଧାର କରିବା ପାଇଁ ବନ ବିଭାଗ ପକ୍ଷରୁ କୌଣସି ଆଗ୍ରହ ଦେଖାଯାଉନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ହୀରାକୁଦ ଜଳଭଣ୍ଡାର ପଛୁଆ ଜଳ ଯୋଗୁଁ ଏହି ଅଞ୍ଚଳରେ ବର୍ଷା ପରେ ପାଣିବର୍ତ୍ତି ହୋଇ ରହିଥାଏ। ଯେଉଁ ସ୍ଥାନରେ ଏବେ ପାଣି ଅଛି ସେହି ସ୍ଥାନରେ ଥିବା ଗଛଖୁଣ୍ଟରେ କିଛି ମାଙ୍କଡ଼ ରହୁଥିଲେ। ତେବେ ସେଠାରେ ପାଣିଜମା ହୋଇ ରହିଯିବା ପରେ ମାଙ୍କଡ଼ମାନେ ଆଉ ସେଠାରୁ ବାହାରି ପାରିନଥିଲେ। ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ ତାର ଯାଇଥିବା ଏକ ଟାୱାର ତଳେ ଥିବା ଏକ ଟାପୁରେ ୧୧ ଗୋଟି ମାଙ୍କଡ଼ ରହିଯାଇଥିଲେ।

ଟାୱାରରେ ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ ପ୍ରବାହିତ ହେଉଥିବା ବେଳେ ଏହାର ଚତୁର୍ଦିଗରେ ପାଣି ଭରି ରହିଛି। ଫଳରେ ମାଙ୍କଡ଼ ମାନେ ଏଠାରୁ ବାହାରିବାକୁ ଅହରହ ଉଦ୍ୟମ କରି ବିଫଳ ହେଉଛନ୍ତି। ଟାୱାର ଉପରକୁ ଯାଇ ବିଦ୍ୟୂତ ଆଘତରେ ଓ ପାଣିରେ ବୁଡ଼ି ୫ ଗୋଟି ମାଙ୍କଡ଼ଙ୍କ ଇତିମଧ୍ୟରେ ମୃତ୍ୟୁ ହୋଇ ଯାଇଥିବା ବେଳେ ୬ ଗୋଟି ମାଙ୍କଡ଼ ଏବେ ମଧ୍ୟ ସେଠାରେ ଫଶି ରହିଛନ୍ତି। ଗ୍ରାମର କିଛି ଉତ୍ସାହୀ ଯୁବକ ଦିନକୁ ତିନିଥର ମାଛମରା ଡ଼ଙ୍ଗା ସାହାଯ୍ୟରେ ଏଠାକୁ ଯାଇ ମାଙ୍କଡ଼ଙ୍କ ପାଇଁ କିଛି କିଛି ଖାଦ୍ୟ ନେଇ ଦେଇ ଆସୁଛନ୍ତି। ଏ ସଂପର୍କରେ ବନ ବିଭାଗକୁ ଅବଗତ କରିବା ପରେ କିଛି କର୍ମଚାରୀ ଦୁଇ ଥର ଆସି ଫେରି ଯାଇଥିଲେ । ଗ୍ରାମବାସୀ ନିଜ ଉଦ୍ୟମରେ ଏକ ପିଞ୍ଜରା ନିର୍ମାଣ କରି ଏହି ମାଙ୍କଡ଼ଙ୍କୁ ଧରି ବାହାରକୁ ଆଣିବାକୁ ଉଦ୍ୟମ କରୁଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର