କରୋନା ପାଇଁ ମଙ୍କିକ୍ୟାପ, ମଉସା ବାକ୍ସରୁ କାଢ଼ିଲେ ଶୀତଦିନିଆ ଟୋପି

”ହେଇଟି କିସ କରୁଛ, ଟାଉନୁକୁ ଯାଉଛ ଯଦି ମାସ୍କ ନେଇକି ଯାଅ, ନହେଲେ ପୁଲିସି ଧରିନବ,” ବୁଢା ମଉସାଙ୍କୁ କିଛି ଏଭଳି କହିଲେ ମାଉସୀ | ”ନାଇଁଲୋ ବୁଢ଼ୀ,ଖାଲି ମାସ୍କ ନୁହେଁ, ବାଙ୍କୁଶରୁ ମଙ୍କିଟୁପି ଟା କାଢିକି ଦେ, ମାସ୍କ ସିନା ପାଟି ଓ ନାକକୁ ଘୁଡାଇଦେବ, ହେଲେ କରୋନା କାଳେ କାନ ବାଟେ ପଶି ଆସିବ” ମଉସାଙ୍କ ଏହି କଥା ଶୁଣି ମାଉସୀ ମଙ୍କି କ୍ୟାପ ବି କାଢିକି ଦେଲେ | ମୁହଁରେ ମାସ୍କ ଆଉ ମୁଣ୍ଡ, କାନକୁ ଘୋଡାଇବା ପାଇଁ ମଙ୍କିକ୍ୟାପ ପିନ୍ଧି ସହରକୁ ଆସିଥିଲେ ଏହି ମଉସା |

ଘର ବାଲେଶ୍ୱର ରେମୁଣା ବ୍ଲକ ଚଷାଖଣ୍ଡ ପଦାବଡ଼ ଗାଁ | ନାମ ଘନଶ୍ୟାମ ସାହୁ। ବୟସ ୮୪। ବାଲେଶ୍ୱର ସହରକୁ ଆଜି ନିଜ କାମରେ ଆସିଥିବା ବେଳେ କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଶୀତଟୋପି ଓ ମାସ୍କ ଲଗାଇ ଆସିଛନ୍ତି। ଗୁଳୁଗୁଳି ସମୟରେ ମଉସାଙ୍କ ଏହି ଶୀତଦିନିଆ ଟୋପି ପିନ୍ଧା କାରଣ ପଚାରିଥିଲୁ | ଆଉ ମଉସା କହିଥିଲେ କି କରୋନା ଆସିଲା କେଜାଣି ଭାରି ଭୟ ଲାଗୁଛି, ସରକାର ବୃଦ୍ଧ ବୃଦ୍ଧାଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଥିଲେ ବି ଟିକେ ଜରୁରୀ କାମ ଥିଲା | ସେଥିପାଇଁ ସହରକୁ ଆସିବାକୁ ପଡିଛି |

ଆଉ ସହରକୁ ଆସିଛି ଯେତେବେଳେ କରୋନା ଯେଭଳି ମତେ ନ ଧରେ ଠିକ ସେଥିପାଇଁ ମଙ୍କିକ୍ୟାପ ପିନ୍ଧି ନିଜକୁ ସୁରକ୍ଷା ଦେଉଛି | କରୋନାର ଭୟ କେତେ ରହିଛି ତାହା ମଉସାଙ୍କ କଥାବାର୍ତ୍ତାରୁ ସ୍ପଷ୍ଟ ଜଣାପଡୁଥିଲା | ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ଭୟ ବି ବସା ବାନ୍ଧିଛି | ତେବେ ଭୟ ଭିତରେ ବି ନିଜକୁ ସତର୍କ ରଖିବାର ମଉସା ବାଟ ବାଛିଛନ୍ତି | ବିନା ମାସ୍କରେ ଘେରାଏ ବୁଲି ଆସିବାକୁ ଭାବୁଥିବା ବ୍ୟକ୍ତିଙ୍କ ପାଇଁ କରୋନାକୁ ନେଇ କିଭଳି ସତର୍କ ରହିବା ତାହା ହିଁ ଏହି ଫଟୋ ସୂଚାଇ ଦେଇଛି |

ସମ୍ବନ୍ଧିତ ଖବର