ମଦର ହୋମ୍‌-ଡେଲିଭରିକୁ ମୋନାର ବିରୋଧ

ଭୁବନେଶ୍ୱର : ଅନ୍‌ଲାଇନ୍‌ରେ ମଦ ବିକ୍ରି ନେଇ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା)। ଏକ ପ୍ରେସ୍‌ ବିବୃତିରେ ମୋନାର ସଭାପତି ପଦ୍ମଚରଣ ନାୟକ କହିଛନ୍ତି ଯେ ମଦ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ସମସ୍ତେ ଜାଣିଛନ୍ତି। ଏହାଦ୍ବାରା ଶରୀରରୁ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା ସହ କର୍କଟ ଭଳି ମାରାତ୍ମକ ରୋଗ ହୋଇଥାଏ। ବର୍ତ୍ତମାନ କରୋନାର ଦ୍ବିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବା ବେଳେ ମଦର ବିକ୍ରିକୁ ପୂରା ବନ୍ଦ କରିଦେବା ଉଚିତ ଥିଲା। କିନ୍ତୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ନଥାଇ ମଧ୍ୟ ସରକାର ମଦର ହୋମ୍‌-ଡେଲିଭରି ପାଇଁ ଅନୁମତି ଦେବା ନିଶ୍ଚିତ ଭାବେ ନିନ୍ଦନୀୟ।

ସେହିପରି ଏବେ ଲକ୍‌ଡାଉନ୍‌ରେ ଲୋକେ ଘରେ ବନ୍ଦୀ ହୋଇ ଅଛନ୍ତି। ନାନା ମାନସିକ ଦୁଶ୍ଚିନ୍ତା ସେମାନଙ୍କୁ କବଳିତ କରୁଛି। ଏପରି ସ୍ଥିତିରେ ଘରେ ମଦ ପଶିଲେ, ତାହା ନିଶ୍ଚିତ ଭାବେ ପାରିବାରିକ ହିଂସାକୁ ପ୍ରୋତ୍ସାହନ ଦେବ। ଏହାଦ୍ବାରା ବହୁ ପରିବାର ମଧ୍ୟ ଉଜୁଡ଼ିଯିବ। କିନ୍ତୁ ଏସବୁ ଦିଗଗୁଡ଼ିକ ପ୍ରତି ଧ୍ୟାନ ନ ଦେଇ ମଦର ହୋମ୍‌-ଡେଲିଭରିକୁ ଅନୁମତି ଦେବା ନିହାତି ଭାବେ ଅଦୂରଦର୍ଶିତାର ପରିଚୟ। ତେଣୁ ସରାକର ଏ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ସଂଘ ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର