ଫୁଲବାଣୀ: କରୋନା କଟକଣା ପାଇଁ ମହାତ୍ମାଗାନ୍ଧି ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତଭୁର୍କ୍ତ ଗୋଷ୍ଠିଗତ କାମ ବନ୍ଦ ଥିଲା। ଦୀର୍ଘ ଦେଢ ମାସ ହେଲା କାମ ବନ୍ଦ ରହିବାରୁ କନ୍ଧମାଳର ଜବକାର୍ଡଧାରୀ ଶ୍ରମିକ ଶ୍ରେଣୀୟ ଲୋକମାନଙ୍କ ଚିନ୍ତା ବଢି ଯାଇଥିଲା। ହେଲେ ଏହି କାମ ନିମନ୍ତେ ମନରେଗାକୁ କଟକଣାକୁ ମୁକ୍ତ କରାଯାଇଛି। ଏ ନେଇ ରାଜ୍ୟ ସରକାର ଘୋଷଣା କରିବା ପରେ କନ୍ଧମାଳରେ ଜବକାର୍ଡଧାରୀମାନେ କାମ ଆରମ୍ଭ କରିଛନ୍ତି। ଜିଲ୍ଲାର ସମୁଦାୟ ୧୭୧ଟି ପଞ୍ଚାୟତର କାମ ଆରମ୍ଭ ହୋଇଛି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ବନାଥ ବାରିକ କହିଛନ୍ତି। କାମ ସମୟରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଗୁରୁତ୍ବ ଦିଆଯାଇଛି। ଏଥି ନିମନ୍ତେ ଜବକାର୍ଡଧାରୀଙ୍କୁ କରୋନା ନେଇ ସଚେତନ କରିବା ସହ ମାଗଣାରେ ମାସ୍କ ଓ ସାବୁନ ମଧ୍ୟ ଦିଆଯାଉଛି। ମନରେଗା ‌ଯୋଜନାରେ ଛୋଟଛୋଟ କାମ ରାସ୍ତା ନିର୍ମାଣ, ପୋଖରୀ ଖନନ, ଗାଈ ଓ ଛେଳି ଗୁହାଳ କାମକୁ ବେଶୀ ଫୋକସ କରାଯାଇଛି ବୋଲି ସେ କହିଛନ୍ତି। ପୂର୍ବଭଳି କାମ କରିବା ପରେ ଜବକାର୍ଡଧାରରୀଙ୍କୁ ଏକାଉଣ୍ଟକୁ ଅନଲାଇନ ମାଧ୍ୟମରେ ଟଙ୍କା ଯିବାର ବ୍ୟବସ୍ଥା ହୋଇଛି। କାମ ଆରମ୍ଭ ହୋଇ ଥିବାରୁ ଜିଲ୍ଲାର ଜବକାର୍ଡଧାରୀ ଶ୍ରମିକ ଶ୍ରେଣୀୟ ଲୋକ ଆଉ ଚିନ୍ତା କରିବାର କିଛି କାରଣ ନାହିଁ ବୋଲି ସେ କହିଛନ୍ତି। ଏହି ଯୋଜନାରେ କନ୍ଧମାଳରେ ୧ ଲକ୍ଷ ୪୩ ହଜାର ଜଣଙ୍କୁ ଜବକ‌ାର୍ଡ ମିଳିଛି। ଜବକାର୍ଡଧାରୀ ଶ୍ରମିକ ଓ ଦିନମଜୁରିଆ ବିଭିନ୍ନ ଗୋଷ୍ଠୀଗତ କାମ କରି ଆସୁଥିଲେ। ବର୍ଷକୁ ଅତି କମରେ ୧୦୦ ଦିନର କାମ ଯୋଗାଇବାର ବ୍ୟବସ୍ଥା ହୋଇଛି।  ପୂର୍ବରୁ ଜବକାଡର୍ଧାରୀଙ୍କୁ ଦିନକୁ ୧୮୮ ଟଙ୍କା ମିଳୁ ଥିଲା।  ଏବେ ମଜୁରି ବୃଦ୍ଧି କରି ୨୦୭ ଟଙ୍କା ଦିଆଯାଉଛି। କରୋନା ଲକ ଡାଉନ ଯୋଗୁଁ କାମଧନ୍ଦା ବନ୍ଦ ହୋଇଥିବାରୁ  ଜବକାର୍ଡଧାରୀମାନେ ହାତବାନ୍ଧି ଘରେ ବସି ରହିଥିଲେ। ପାଖରେ ଟଙ୍କା ନଥିବାରୁ ବଡ  ଚିନ୍ତାରେ ରହିଥିଲେ।  ଏବେ କାମ ଆରମ୍ଭ ହୋଇ ଯାଇଛି। ତେଣୁ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଜବକାର୍ଡଧାରୀ ଗୋପାଳ ନାୟକ,ରଜନୀ ମଲିକ,ପୁରନ୍ଦର କହଁର ଏବଂ ଦୀନବନ୍ଧୁ ଘଟାଲ। କାମ କରିବା ପରେ ଠିକ ସମୟରେ ପାରିଶ୍ରମିକ ମିଳେ ନାହି। ତେଣୁ ଏହି ସମୟରେ ଏହାକୁ ପ୍ରଶାସନ ବେଶୀ ଗୁରୁତ୍ବ ଦେବା ଦରକାର ବୋଲି କହନ୍ତି ଜବକାର୍ଡଧାରୀ ମମତା କହଁର,ରଜନୀ ମଲିକ ଓ ଦିପାଞ୍ଜଳି ବେହେରା। ମନରେଗାରେ କାମ କରିବା ନିମନ୍ତେ ଅନୁମତି ସରକାର ଦେଇଥିବା ବେଳେ କାମ କରିବା ସମୟରେ ଜବକାର୍ଡଧାରୀ ସାମାଜିକ ଦୂରତା ରକ୍ଷା କରିବା ଏବଂ ସେମାନଙ୍କୁ ଅଂଶୁଘାତର ରକ୍ଷା ନିମନ୍ତେ ପ୍ରଶାସନ ପକ୍ଷରୁ ନିୟମିତ ତଦାରଖ କରିବା  ନିତ୍ୟାନ୍ତ ଆବଶ୍ୟକ ବୋଲି ବିଭିନ୍ନ ମହଲରେ କୁହାଯାଇଛି।