ପୂରା ଓଡ଼ିଶାରେ ସକ୍ରିୟ ହେଲା ମୌସୁମୀ

ଗରଦପୁରରେ ସର୍ବାଧିକ ୧୧୪ମିମି ବର୍ଷା ରେକର୍ଡ, ଆଉ ୨ଦିନ ମେଘୁଆ ପାଗ

ଭୁବନେଶ୍ବର : ଅବଶିଷ୍ଟ ଅଞ୍ଚଳକୁ ଛୁଇଁବା ସହ ଆଜି ସାରା ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ସବୁ ଜିଲ୍ଲାରେ ବର୍ଷା ହୋଇଯାଇଛି। ତେବେ କେନ୍ଦ୍ରାପଡ଼ାର ଗରଦପୁରଠାରେ ସର୍ବାଧିକ ୧୧୪ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଏବେ ବି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ରହିଛି। ଏହା ଧୀରେଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆସନ୍ତା ୨ରୁ ୩ଦିନରେ ଓଡ଼ିଶା, ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଅତିକ୍ରମ କରିବ। ଫଳରେ ଆସନ୍ତା ୨ଦିନ ରାଜ୍ୟରେ ବର୍ଷା ଲାଗି ରହିବ ଓ ୧୬ ତାରିଖ ପର୍ଯ୍ୟନ୍ତ ବର୍ଷା ରାଜ୍ୟରେ ପାଗ ମେଘୁଆ ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ଦେବଗଡ଼ ଆଦି ଜିଲ୍ଲାରେ ଆସନ୍ତାକାଲି ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ସେହିପରି କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, ବରଗଡ଼ ଓ ଯାଜପୁର ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଣୁ ଏସବୁ ଜିଲ୍ଲା ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୧୫ତାରିଖ ଦିନ ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ, ଦେବଗଡ଼, କେନ୍ଦୁଝର ଓ ସମ୍ବଲପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହୋଇଯାଇଥିଲେ ହେଁ ବୌଦ୍ଧ, କୋରାପୁଟ ଓ ମାଲକାନଗିରିରେ ସବୁଠାରୁ କମ୍‌ ଓ ଅଭାବୀ ବର୍ଷା ହୋଇଥିବା ଜଣାପଡ଼ିଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଭାରତରେ ଥିବା ଲଘୁଚାପ ବିହାର ଓ ପୂର୍ବ ଉତ୍ତରପ୍ରଦେଶ ଆଡ଼କୁ ମୁହାଁଉଛି। ଏହା ଓଡ଼ିଶା ନିକଟରେ ଅଧିକ ଘନୀଭୂତ ହେବ ନାହିଁ। ଆକଳନ କରାଯାଉଛି ଯେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମେଘୁଆ ରହିବ। ଦକ୍ଷିଣ ଓଡ଼ିଶାରେ ବିକ୍ଷିପ୍ତ ସ୍ବଳ୍ପ ବର୍ଷା ହେବ। ଉତ୍ତର ଓଡ଼ିଶାରେ ମଧ୍ୟମଧରଣର ବର୍ଷା ସହିତ ଗୋଟିଏ ଦୁଇଟି ସ୍ଥାନରେ ଭାରୀ ବର୍ଷା ହେବ। ଭୁବନେଶ୍ବର, ପୁରୀ ଓ କଟକରେ ୧୬ପର୍ଯ୍ୟନ୍ତ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ଓଡ଼ିଶା ସହିତ ଛତିଶଗଡ଼ ଓ ଦକ୍ଷିଣ ଝାଡ଼ଖଣ୍ଡରେ ବିଶେଷ ବର୍ଷା ନଥିବାରୁ ନଦୀ ଫୁଲିବାର ସମ୍ଭାବନା ନାହିଁ।

ସମ୍ବନ୍ଧିତ ଖବର