ଭୁବନେଶ୍ବର: ସାଧାରଣତଃ ଜୁନ୍ ୧୨ ସୁଦ୍ଧା ରାଜ୍ୟକୁ ମୌସୁମୀର ଆଗମନ ହୋଇଥାଏ। ପାଖାପାଖି ୧୫ ଦିନ ପୂର୍ବରୁ ଆଜି ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ୧୫ ବର୍ଷ ପରେ ଏଥର ମୌସୁମୀ ଓଡ଼ିଶାକୁ ଏତେ ଶୀଘ୍ର ଆସିଥିବା ପାଣିପାଗ ବିଜ୍ଞାନୀମାନେ କହିଛନ୍ତି। ପାଣିପାଗର ଇତିହାସ କହୁଛି, ଶେଷ ଥର ୧୯୯୯ ମସିହା ମେ’ ୨୮ରେ ଓ ୨୦୦୯ ମସିହା ମେ’ ୨୫ରେ ମୌସୁମୀ ରାଜ୍ୟକୁ ଛୁଇଁଥିଲା। ଆଜି ପ୍ରଥମ ଦିନରେ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ଆଚ୍ଛାଦିତ କରିଥିବା ବେଳେ ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲାର କିଛି କିଛି ଅଞ୍ଚଳରେ ଏହା ସକ୍ରିୟ ହୋଇଛି। ଗତକାଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଲଘୁଚାପ ଯୋଗୁଁ ରାଜ୍ୟରେ ମୌସୁମୀ ଅଧିକ ସକ୍ରିୟ ଓ ଶୀଘ୍ର ଅଗ୍ରସର ହେବ ବୋଲି ଆକଳନ କରାଯାଇଛି।
ରାଜ୍ୟରେ ଖରିଫ ଫସଲ ପାଇଁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗୁରୁତ୍ବପୂର୍ଣ୍ଣ। ଏ ପରିପ୍ରେକ୍ଷୀରେ ଚଳିତଥର ମୌସୁମୀର ଶୀଘ୍ର ଆଗମନ ଓ ଜୁନ୍ରେ ଓଡ଼ିଶାରେ ସ୍ବାଭାବିକଠାରୁ ଅଧିକ ବର୍ଷା ନେଇ ଆଇଏମ୍ଡିର ଆକଳନ ଚାଷୀମାନଙ୍କ ପାଇଁ ଖୁସି ନେଇ ଆସିଛି। ଗତବର୍ଷ ଅର୍ଥାତ୍ ୨୦୨୪ ଜୁନ୍ ୮ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁଥିବା ବେଳେ ୨୦୨୩ ଜୁନ୍ ୨୨, ୨୦୨୨ ଜୁନ୍ ୧୬, ୨୦୨୧ ଜୁନ୍ ୧୦ ଏବଂ ୨୦୧୯ ଜୁନ୍ ୨୧ ତାରିଖରେ ରାଜ୍ୟକୁ ମୌସୁମୀ ଆଗମନ ହୋଇଥିଲା।
ଏଠାରେ ଉଲ୍ଲେଖଥାଉକି, ଓଡ଼ିଶା ଉପକୂଳରେ ଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩୦ ତାରିଖ ଯାଏଁ ପ୍ରବଳ ବର୍ଷା ହେବ। ଆସନ୍ତାକାଲି ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏଣୁ ଏହି ୪ ଜିଲ୍ଲା ପାଇଁ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ଆସନ୍ତାକାଲି ରାଜ୍ୟର ଅବଶିଷ୍ଟ ଜିଲ୍ଲାରେ ବି ବର୍ଷା ଜାରିରହିବ। ଦକ୍ଷିଣ-ପଶ୍ଚିମ ମୌସୁମୀର ଉତ୍ତରୀୟ ସୀମା (ନର୍ଦନ ଲିମିଟ୍) ମୁମ୍ବାଇ, ଅହଲ୍ୟାନଗର, ଦାନ୍ତେୱାଡା, ରାୟଗଡ଼ା, ଅଗରତାଲା ଦେଇ ଗତି କରୁଥିବାରୁ ଏହା ଦେଶରେ ମୌସୁମୀର ଶୀଘ୍ର ପ୍ରଗତିକୁ ସୂଚିତ କରୁଛି। ୩୦ ତାରିଖ ଯାଏଁ ସମୁଦ୍ର ସ୍ଥିତି ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସଜୀବୀମାନଙ୍କୁ ଓଡ଼ିଶା ଉପକୂଳ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।