ଓଡ଼ିଶା ଛାଡ଼ୁଛି ‘ମୌସୁମୀ’ : ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଛାଡ଼ିଲା, ଦୁଇ ଦିନରେ ପୂରା ରାଜ୍ୟରୁ ପ୍ରତ୍ୟାବର୍ତ୍ତନ

ଭୁବନେଶ୍ୱର : ଜୁନ୍‌ ୨୧ରେ ଓଡ଼ିଶା ଛୁଇଁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସୋମବାରଠାରୁ ପ୍ରତ୍ୟାବର୍ତନ ଆରମ୍ଭ କରିଛି। ପ୍ରଥମ ଦିନରେ ଆଭ୍ୟନ୍ତରୀଣ ଓଡ଼ିଶା ଯଥା ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତନ କରିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଘୋଷଣା କରାଯାଇଛି। ମୌସୁମୀ ପ୍ରତ୍ୟାବର୍ତନ ଲାଗି ପାଗ ଅନୁକୂଳ ରହିଥିବାରୁ ଆସନ୍ତା ୨ ଦିନ ମଧ୍ୟରେ ସମଗ୍ର ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତନ କରିବ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଲାଗିରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

କୁହାଯାଇଛି ଯେ ୧୫ ତାରିଖ ସକାଳ ସୁଦ୍ଧା ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼, ଖୋର୍ଧା, ପୁରୀ, ଜଗତ୍‌ସିଂହପୁର ଓ କୋରାପୁଟ ଜିଲ୍ଲାର ‌ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ହୋଇପାରେ। ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ମେଘୁଆ ପାଗ ଲାଗିରହିବ। ସ୍ଥାନେ ସ୍ଥାନ‌େ ହାଲକା ବର୍ଷା ହୋଇପାରେ। ଫଳରେ ତାପମାତ୍ରା ସାମାନ୍ୟ କମିବା ସହ କେତେକ ସ୍ଥାନରେ ରାତିର ତାପମାତ୍ରା ହ୍ରାସ ପାଇବ। ୨୧ ତାରିଖଠାରୁ ପାଗରେ ସାମାନ୍ୟ ପରିବର୍ତନ ଆସିବ।

ଭାରତୀୟ ପାଣିପାଗ ବିଭାଗର କହିବା କଥା ହେଉଛି ଯେ ମୌସୁମୀ ପ୍ରତ୍ୟାବର୍ତନ ଲାଗି ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଉତ୍ତରପୂର୍ବ ରାଜ୍ୟ ସମୂହ, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ସିକିମ ଆଦି ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତନ କରିଛି। ଆଜି ଓଡ଼ିଶାର କିଛି ଅଞ୍ଚଳ ସମେତ ଗୁଜୁରାଟ, ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର, ବିଦର୍ଭ, ଦକ୍ଷିଣ ଭାରତ ଓ ଛତିଶଗଡ଼ର କିଛି ଅଂଶରୁ ବି ମୌସୁମୀ ଫେରିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶା ସମେତ ଉତ୍ତର ବଙ୍ଗୋପସାଗର, ପୂର୍ବ ଓ କେନ୍ଦ୍ରୀୟ ଭାରତ, ପଶ୍ଚିମ ଭାରତ ଏବଂ ଆରବ ସମୁଦ୍ରରୁ ମୌସୁମୀ ପ୍ରତ୍ୟାତର୍ବନ କରିବ। ଉତ୍ତର ଓ କେନ୍ଦ୍ରୀୟ ଭାରତରୁ ଦକ୍ଷିଣ ପଣ୍ଚିମ ମୌସୁମୀ ପ୍ରତ୍ୟାବର୍ତନ କରିଥିବାରୁ ୧୭ ତାରିଖ ବେଳକୁ ଉତ୍ତର-ପୂର୍ବ ବାୟୁ ପ୍ରବାହିତ ହେବ। ପ୍ରଭାବରେ ଉତ୍ତର ଭାରତରେ ତାପମାତ୍ରା କମିବ। ଶୀତ ବଢ଼ିବ।

ଗତ ୩୬ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। କୋରାପୁଟରେ ୨୫.୬ ମିମି ବର୍ଷା ହୋଇଥିବା ବେଳେ ଭୁବନେଶ୍ବରରେ ୨୧.୬, କେନ୍ଦୁଝରରେ ୨୦.୮, ଗୋପାଳପୁରରେ ୧୫.୧, କଟକରେ ୭.୪, ବାରିପଦାରେ ୬.୬, ବାଲେଶ୍ବରରେ ୩.୨ ମିମି ବର୍ଷା ରେକର୍ଡ କରାଯାଇଛି। ଦାରିଙ୍ଗବାଡ଼ିର ତାପମାତ୍ରା ରବିବାର ରାତିରେ ୧୫ ଡିଗ୍ରିକୁ ଖସିଆସିଥିବା ବେଳେ କୋରାପୁଟରେ ୧୭.୮ ଡିଗ୍ରି ରହିଥିଲା।

ସମ୍ବନ୍ଧିତ ଖବର