ସପ୍ତାହେ ମୌସୁମୀ ବିରତି

ଭୁବନେଶ୍ବର: ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଥିବା ବେଳେ କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଯାଇଛି। ଆସନ୍ତାକାଲି ଓଡ଼ିଶାରେ ପାଗ ସମ୍ପୂର୍ଣ୍ଣ ଖରାଟିଆ ଓ ଶୁଖିଲା ରହିବ। କାଁ ଭାଁ କିଛି ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞା‌ନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଆସନ୍ତା ସପ୍ତାହେ ଯାଏ ରାଜ୍ୟରେ ମୌସୁମୀଜନିତ ବିଶେଷ ବର୍ଷାର ସମ୍ଭାବନା ନାହିଁ। ରାଜ୍ୟରେ ବେଶ୍‌ କିଛି ଦିନ ମୌସୁମୀ ସକ୍ରିୟ ରହିବା ପରେ ଆସନ୍ତା ସପ୍ତାହେ ଯାଏ ରାଜ୍ୟରେ ବିରତି ସ୍ଥିତି ଲାଗିରହିବ। ରାଜ୍ୟରେ ଏହି ସମୟରେ ବିଶେଷ ବର୍ଷାର ନାହିଁ।

ପାଣିପାଗ କେନ୍ଦ୍ର କହିଛି ଯେ ଆସନ୍ତାକାଲି ପାଗ ଖରାଟିଆ ରହିବ। ଏହାପରେ ୨୮ ତାରିଖଠାରୁ ରାଜ୍ୟରେ କେଉଁଠି କେମିତି ବିକ୍ଷିପ୍ତ ବର୍ଷା ହୋଇପାରେ। ୨୮ ତାରିଖ ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଆଦି ଜିଲ୍ଲାର କେତେକ ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ସେହିଭଳି ୨୯ ତାରିଖ ଦିନ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଜପତି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ବର୍ଷା ହୋଇପାରେ। ଏଥିସହ ୩୦ ତାରିଖ ଦିନ ବି ରାଜ୍ୟରେ ବର୍ଷା ଜାରି ରହିବ। ଏହି ଦିନ ସମଗ୍ର ଉପକୂଳ ଜିଲ୍ଲା ସମେତ ସଂଲଗ୍ନ ଅଞ୍ଚଳରେ ବର୍ଷା ହେବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ନୟାଗଡ଼, ଖୋର୍ଧା, ପୁରୀ, ଗଞ୍ଜାମ ଓ କନ୍ଧମାଳ ଆ‌ଦି ଜିଲ୍ଲାରେ ବର୍ଷା ହୋଇପାରେ। ଏଣୁ ୨୮ରୁ ୩୦ ତାରିଖ ଯାଏ ଉକ୍ତ ଜିଲ୍ଲାଗୁଡ଼ିକରେ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ରାଜ୍ୟ‌ରେ ସପ୍ତାହେ ଯାଏଁ ବିକ୍ଷିପ୍ତ ବର୍ଷା ହେବ। ଏହି ସପ୍ତାହେ ରାଜ୍ୟରେ ସମୁଦାୟ ବର୍ଷା ପ୍ରାୟତଃ ୪୦ ମିମି ରହିବ। ଯାହାକି ସ୍ବାଭାବିକଠାରୁ ପ୍ରାୟତଃ ୫୦% କମ୍‌। ଅଗଷ୍ଟ ୧ ଓ ୨ରୁ ବର୍ଷା ଅପେକ୍ଷାକୃତ ବଢ଼ିବ। ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ମୌସୁମୀ ନିଷ୍କ୍ରିୟ ରହିବ। ଦକ୍ଷିଣ ବଙ୍ଗୋପସାଗରରେ ଆସନ୍ତା କିଛି ଦିନ ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ତାହା ଧୀରେଧୀରେ ଆନ୍ଧ୍ରପ୍ରଦେଶ ଉପକୂଳମୁହାଁ ହେବ। ସମ୍ଭବତଃ ୨ ତାରିଖ ପରେ ଏହାର ପ୍ରଭାବ ହେତୁ ରାଜ୍ୟରେ ବର୍ଷା ବଢ଼ିପାରେ। ସେହି ପର୍ଯ୍ୟନ୍ତ ରାଜ୍ୟକୁ ଆରବସାଗରୀୟ ପବନ ବହିବ। ରାଜ୍ୟରେ ବର୍ଷା କମ୍‌ ରହିବ। ଏହାକୁ ମୌସୁମୀ ବିରତି କୁହାଯାଇପା‌ରେ ବୋଲି ଡ. ପଶୁପାଳକ କହିଛନ୍ତି।

ସମ୍ବନ୍ଧିତ ଖବର