ତାରିଖ ବଦଳାଉଛି ମୌସୁମୀ, ଡେରିରେ ଆସୁଛି ଡେରିରେ ଛାଡ଼ୁଛି ଓଡ଼ିଶା

ଶେଷ ଦୁଇମାସ ଭାରି ବର୍ଷା ବିଗାଡୁଛି ସ୍ଥିତି

ଭୁବନେଶ୍ବର : ଓଡ଼ିଶାର ଜଳବାୟୁ ପରିବର୍ତ୍ତନ ସଂପର୍କରେ ଯେତିକି ଅଧିକ ଅନୁଧ୍ୟାନ କରାଯାଉଛି, ସେତିକି ଅଧିକ ଆଶ୍ଚାର୍ଯ୍ୟ କଲାଭଳି ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। କେବଳ ଯେ ରାଜ୍ୟର ହାରାହାରି ତାପମାତ୍ରା ଦୁଇ ଦଶନ୍ଧି ମଧ୍ୟରେ ୦.୫ ଡିଗ୍ରି ବୃଦ୍ଧି ପାଇଛି ତା ନୁହେଁ, ମୌସୁମୀର ଆଗମନ ଓ ପ୍ରସ୍ଥାନ ସମୟରେ ବି ବଡ଼ ଧରଣର ପରିବର୍ତ୍ତନ ଲକ୍ଷ୍ୟ କଲେଣି ପାଣିପାଗ ବିଜ୍ଞାନୀ। ପୂର୍ବରୁ ସରକାରୀ ଭାବେ ଓଡ଼ିଶାରେ ମୌସୁମୀ ପ୍ରବେଶ ସମୟ ଜୁନ୍ ୧୦ ତାରିଖ ନିର୍ଘଣ୍ଟ କରାଯାଇଥିଲା। ହେଲେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଏହି ସମୟକୁ ଘୁଞ୍ଚାଇ ଜୁନ୍ ୧୧ ତାରିଖ ଧାର୍ଯ୍ୟ କରାଯାଇଛି।

ଏବର୍ଷ ବି ଜୁନ୍, ଜୁଲାଇରେ ନିଅଣ୍ଟିଆ ବର୍ଷା
ଅକ୍ଟୋବର, ନଭେମ୍ବରରେ ଭାରି ବର୍ଷା ଆକଳନ

ହେଲେ ଗତ ୧୨ବର୍ଷର ପରିସଂଖ୍ୟାନକୁ ବିଚାରକୁ ନେଇ ପାଣିପାଗ ବିଜ୍ଞାନୀ କହିଲେଣି ଯେ ଜୁନ୍ ୧୦ କି ୧୧ ତାରିଖ ଅଥବା ଦ୍ବିତୀୟ ସପ୍ତାହ ନୁହେଁ ବରଂ ଜୁନ୍ ତୃତୀୟ ସପ୍ତାହରେ ହିଁ ଓଡ଼ିଶାର ସବୁ ଅଞ୍ଚଳକୁ ମୌସୁମୀ ପ୍ରବେଶ କରୁଛି। ଆହୁରି ଆଚମ୍ବିତ କରିବା ଭଳି ତଥ୍ୟ ହେଲା; ସାଧାରଣତଃ ସେପ୍ଟେମ୍ବର ଯାଏ ମୌସୁମୀ ଓଡ଼ିଶାରେ ସକ୍ରିୟ ହେଉଥିଲା। ଅର୍ଥାତ୍ ଜୁନ୍‌ରୁ ସେପ୍ଟେମ୍ବର ସମୟକୁ ଚତୁର୍ମାସ୍ୟା କୁହାଯାଉଥିଲା। ଏବେ କିନ୍ତୁ ଲକ୍ଷ୍ୟ କରାଗଲାଣି ଯେ ମୌସୁମୀ ଓଡ଼ିଶାରୁ ଫେରିବା ବେଳକୁ ଅକ୍ଟୋବର ଦ୍ବିତୀୟ ସପ୍ତାହ ହେଉଛି। କେବଳ ସେତିକି ନୁହେଁ, ଗତ କିଛି ବର୍ଷ ଧରି ଲକ୍ଷ୍ୟ କରାଯାଉଛି ଯେ ସେପ୍ଟେମ୍ବର ଓ ଅକ୍ଟୋବର ବେଳକୁ ରାଜ୍ୟରେ ବେଶି ବର୍ଷା ହେଉଛି। ୨୦୨୧ରେ ସେପ୍ଟେମ୍ବରରେ ସ୍ବାଭାବିକ ଠାରୁ ୬୯% ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଏବର୍ଷ ମଧ୍ୟ ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରି କହିଲେଣି ଯେ ଅକ୍ଟୋବର ଏବଂ ନଭେମ୍ବରରେ ଭାରି ବର୍ଷା ହେବ। ଜଳବାୟୁ ପରିବର୍ତ୍ତନ କାରଣରୁ କେବଳ ଯେ ରାଜ୍ୟରେ ତାତି ବଢ଼ୁଛି ତା’ନୁହେଁ ବରଂ ଋୁତୁଚକ୍ରରେ ପରିବର୍ତ୍ତନ ହେଲାଣି। ଏବଂ ବର୍ଷା କ୍ଷେତ୍ରରେ ମଧ୍ୟ ତାର ବଡ ପ୍ରଭାବ ଅନୁଭୂତ ହେଉଛି।

ତଥ୍ୟ ଅନୁସାରେ, ୨୦୧୧ ମସିହାରେ ଯଦିଓ ଜୁନ୍ ୧୩ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁଥିଲା, ସମ୍ପୂର୍ଣ୍ଣ ଓଡ଼ିଶାକୁ ସ୍ପର୍ଶ କରିବା ବେଳକୁ ୧୬ ତାରିଖ ହୋଇଯାଇଥିଲା। ୨୦୧୩ ଏବଂ ୨୦୧୮ ମସିହାରେ ମୌସୁମୀ ନିର୍ଧାରିତ ସମୟ ଠାରୁ ଆଗୁଆ ଅର୍ଥାତ୍ ଜୁନ୍ ୬ ଓ ୮ ତାରିଖରେ ଓଡ଼ିଶା ସ୍ପର୍ଶ କରିଥିଲା ସତ, କିନ୍ତୁ ପୂରା ଓଡ଼ିଶା ଛୁଇଁବା ବେଳକୁ ସେବର୍ଷ ଜୁନ୍ ୧୦ ଏବଂ ଜୁନ୍ ୨୫ ତାରିଖ ହୋଇଯାଇଥିଲା।

ଚଳିତ ମୌସୁମୀ ସଂପର୍କରେ ଗୋଟିଏ ପ୍ରାକ୍ ଆକଳନ କରି ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ଆଜି ୧୬ ତାରିଖରେ ମାଲକାନଗିରି ଓ ସଂଲଗ୍ନ ଅଞ୍ଚଳରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଆସନ୍ତାକାଲି ରାଜ୍ୟର ଅନ୍ୟାନ୍ୟ ସ୍ଥାନକୁ ମୌସୁମୀ ଛୁଇଁଯିବ। ହେଲେ ପାଣିପାଗର ଯେଉଁ ଚିତ୍ର ସାମ୍ନାକୁ ଆସୁଛି, ସେଥିରୁ ଜଣାପଡ଼ିଲାଣି ଯେ ଏବେ ଭାରି ବର୍ଷା ସମ୍ଭାବନା କ୍ଷୀଣ। ବରଂ ଅଧିକାଂଶ ସ୍ଥାନରେ ତିନିରୁ ଚାରିଦିନ ଯାଏ ସ୍ବଳ୍ପ (୧୫ମିମି) ବା ମଧ୍ୟମ (୩୫ମିମି) ବର୍ଷା ହୋଇପାରେ। ଭୁବନେଶ୍ବର ସମେତ ଉପକୂଳରେ ସମୁଦାୟ ବର୍ଷାର ପରିମାଣ ହାରାହାରି ୪୦ମିମି, ଆଭ୍ୟନ୍ତରରେ ୬୦ମିମି ଏବଂ ଉତ୍ତର ପଶ୍ଚିମରେ ୮୦ମିମି ବର୍ଷା ହେବ।

The Hindu

ଡ. ପଶୁପାଳକଙ୍କ ପୂର୍ବାନୁମାନ ଆହୁରି କହୁଛି ଯେ ଆଗକୁ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଣୁ ଜୁନ୍ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ଅନେକ ସ୍ତାନରେ ବିଶେଷକରି ଉତ୍ତର ଓଡ଼ିଶାରେ କିଛି ବର୍ଷା ହୋଇପାରେ। ତେବେ ଜୁନ୍ ଶେଷ ସପ୍ତାହରେ ବର୍ଷାର ପରିମାଣ ବଢ଼ିବ। ଅବଶ୍ୟ ଏକଥା ସ୍ପଷ୍ଟ ଯେ ଆସନ୍ତା ୧୦ ଦିନ ଯାଏ ବଙ୍ଗୋପସାଗରରେ ଲଘୁଚାପର କୌଣସି ସଙ୍କେତ ମିଳୁନାହିଁ।

ସଂପ୍ରତି ବିଷୁବ ମଣ୍ଡଳୀୟ ପ୍ରଶାନ୍ତ ମହାସାଗରର ଜଳପତ୍ତନର ତାପମାତ୍ରା ସ୍ବାଭାବିକ ଠାରୁ କମ୍ ରହିବା ହେତୁ ଲାନ୍‌ଲିନା ପ୍ରଭାବ ରହିଛି ଏବଂ ଆସନ୍ତା ଅକ୍ଟୋବର ଯାଏ ୫୨ରୁ ୫୯ ପ୍ରତିଶତ ଯାଏ ରହିବ। ସେହିପରି ଭାରତ ମହାସାଗରୀୟ ଜଳପତ୍ତନର ତାପମାତ୍ରା ଜନିତ ଆଇଓଡ଼ି କ୍ରମଶଃ ଦୁର୍ବଳ ରହିଛି। ଏଣୁ ଆକଳନ କରାଯାଉଛି ଯେ ଜୁଲାଇ ମାସରେ ଏବଂ ସମ୍ଭବତଃ ଅଗଷ୍ଟର ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ରାଜ୍ୟରେ ମୌସୁମୀ ନିଅଣ୍ଟିଆ ହେବାର ସମ୍ଭାବନା ପାଖାପାଖି ୪୦ ପ୍ରତିଶତ ରହିଛି। ଜୁନ୍ ମାସରେ ୩୦ ପ୍ରତିଶତ ନିଅଣ୍ଟିଆ ରହିପାରେ। ତେବେ ଅକ୍ଟୋବର ଓ ନଭେମ୍ବର ମାସରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ।

Outlook India

ଅପରପକ୍ଷରେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ କହିବା କଥା ହେଉଛି ଯେ ମୌସୁମୀ ସ୍ପର୍ଶ କରିବା ଯେତିକି ଗୁରୁତ୍ବପୂର୍ଣ୍ଣ ବର୍ଷା ଲାଗିରହିବା ସେତିକି ଅପରିହାର୍ଯ୍ୟ। ଭାରି ବର୍ଷା ନ ହେଲେ ବି ଯଦି ନିୟମିତ ବ୍ୟବଧାନରେ ସ୍ବଳ୍ପ ବା ମଧ୍ୟମ ବର୍ଷା ଜାରି ରହେ, ତେବେ ଚାଷ ପାଇଁ ତାହା ଅନେକ ଉପଯୋଗୀ ହୋଇଥାଏ। କିନ୍ତୁ ଗତ କିଛି ବର୍ଷ ହେଲା ଲକ୍ଷ୍ୟ କରାଯାଉଛି ଯେ କେବେ ପ୍ରଥମ ଦୁଇମାସ ମରୁଡି ପରିସ୍ଥିତି ହେଲାଣି ତ ପରେ ଭାରି ବର୍ଷା ହେଉଛି। କେବେ ପୁଣି ମଝିରେ ମଝିରେ ମୌସୁମୀ ନିଖୋଜ ହେବା ଭଳି ଗୋଟିଏ ଭ୍ରମ ସୃଷ୍ଟି ହେଉଛି। ଗତ ସେପ୍ଟେମ୍ବର ଓ ଅକ୍ଟୋବରରେ ଯେଭଳି ବର୍ଷା ହେଲା, ତାହା ବି ଆଉ ଏକ ଉଲ୍ଲେଖନୀୟ ଘଟଣା ଥିଲା। ଅର୍ଥାତ୍ ଜଳବାୟୁ ପରିବର୍ତ୍ତନର ଗୋଟିଏ ବଡ ପ୍ରଭାବ ଅନୁଭୂତ ହେଉଛି। ଯେହେତୁ ଓଡ଼ିଶାର ପାଣିପାଗ ସହିତ ସଂସ୍କୃତି ଏବଂ ଚାଷ ଯୋଡି ହୋଇରହିଛି, ସ୍ବାଭାବିକ ଭାବେ ବର୍ଷାର ଅନିୟମିତତା ଏସବୁକୁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ପ୍ରଭାବିତ କରିପାରେ। ଅକ୍ଷୟତୃତୀୟାରେ ଅଖିମୁଠ ଅନୁକୂଳ ପରେ ସମ୍ଭବତଃ ଚାଷୀକୁ ଯେତିକି ଆବଶ୍ୟକ ତାହା ନ ମିଳିଲେ ବି ଆଶ୍ଚର୍ଯ୍ୟ ହେବାରେ ନାହିଁ। ଋତୁଚକ୍ରର ଏହି ପରିବର୍ତ୍ତନକୁ ଦୃଷ୍ଟିରେ ରଖି କେବଳ ଚାଷୀ ନୁହେଁ, ପୂରା ବ୍ୟବସ୍ଥା ନିଜକୁ ପ୍ରସ୍ତୁତ କରିବା ଦରକାର।

ସମ୍ବନ୍ଧିତ ଖବର