ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ତାପମାତ୍ରା ଲଗାତାର ବଢ଼ି ଚାଲିଥିବା ବେଳେ ସମସ୍ତଙ୍କର ମୌସୁମୀକୁ ଅପେକ୍ଷା। ସ୍ବାଭାବିକ ଭାବେ ଜୁନ୍ ୧ରେ ମୌସୁମୀ କେରଳ ଛୁଇଁଥାଏ। ଓଡ଼ିଶାରେ ଜୁନ୍ ୧୦ରୁ ୧୫ ସୁଦ୍ଧା ସ୍ବାଭାବିକ ଭାବେ ମୌସୁମୀ ବର୍ଷା ଆରମ୍ଭ ହୋଇଥାଏ। କିନ୍ତୁ ଚଳିତ ବର୍ଷ ମୌସୁମୀ ବିଳମ୍ବରେ ଆସିବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କଲେଣି। ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ଯେ ଚଳିତବର୍ଷ କେରଳରେ ମୌସୁମୀ ବର୍ଷା ଆରମ୍ଭ ୫ଦିନ ବିଳମ୍ବ ହୋଇପାରେ। ଭାରତକୁ ମୌସୁମୀ ପ୍ରବେଶ କରୁ କରୁ ଜୁନ୍ ୫ କିମ୍ବା ୬ ତାରିଖ ହେବ। ବିଭିନ୍ନ ପାଣିପାଗ ସଂସ୍ଥାର ମଡେଲକୁ ବିଶ୍ଲେଷଣ କଲେ, ଚଳିତବର୍ଷ ମୌସୁମୀ ବିଳମ୍ବରେ ଆସିବ ବୋଲି ଜଣାପଡ଼ୁଛି। ଅନ୍ୟ ପକ୍ଷରେ ‘ସ୍କାଏମେଟ୍’ର ଆକଳନ କହୁଛନ୍ତି ଜୁନ୍ ୨୮ରେ କେରଳରେ ମୌସୁମୀ ଛୁଇଁପାରେ।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ କହୁଛି, ଆସନ୍ତା ୨୬ତାରିଖଠାରୁ କେରଳରେ ବର୍ଷା ଆରମ୍ଭ ହେବାକୁ ଯାଉଛି। ଅନୁମାନ କରାଯାଉଛି ଯେ କୋଚିରେ ୨୬ ମେ’ରୁ ବର୍ଷା ଆରମ୍ଭ ହେବ ଓ ପ୍ରତିଦିନ ପ୍ରାୟ ୩୦ମିଲିମିଟିର ଅଧିକ ବର୍ଷା ହେବ। ବେଙ୍ଗାଲୁରୁରେ ୨୮ ତାରିଖରୁ ବର୍ଷା ଆରମ୍ଭ ହେବ। କିନ୍ତୁ ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ ନାହିଁ।
ଆସନ୍ତା ୨୫ ତାରିଖ ପରେ କେରଳରେ ପାଗ ବଦଳିବାର ସମ୍ଭାବନା ରହିଛି। ଇସିଏମ୍ଡବ୍ଲ୍ୟଏଫ୍, ଜିସିଏଫ୍ ଓ ଅନ୍ୟାନ୍ୟ ମଡେଲକୁ ବିଶ୍ଲେଷଣ କରି ଶ୍ରୀ ପଶୁପଳକ କହିଛନ୍ତି, ମେ’ ୩୧ ତାରିଖ ପର୍ଯ୍ୟନ୍ତ ବାୟୁମଣ୍ଡଳରେ ମେଘ ସୃଷ୍ଟି କରିବା ଏବଂ ବର୍ଷା ହୋଇପାରୁଥିବା ଜଳୀୟ ଅଂଶ କେରଳ ଉପକୂଳ ଓ ସଂଲଗ୍ନ ଆରବସାଗରରେ ତଥା ଦକ୍ଷିଣ ତାମିଲନାଡ଼ୁ ଉପକୂଳ ଓ ସଂଲଗ୍ନ ବଙ୍ଗୋପସାଗରରେ ପର୍ଯ୍ୟାପ୍ତ ମାତ୍ରାରେ ରହିଥିବ। ତା’ ପର ସପ୍ତାହରେ ମଧ୍ୟ ସେଇ ଅବସ୍ଥା ପ୍ରାୟତଃ ଲାଗି ରହିବ। କେରଳ ଉପକୂଳରେ ବର୍ଷା ଲାଗି ରହିବ, ଯଦିଓ ଥିରୁଅନନ୍ତପୁରମ୍ରେ ଅପେକ୍ଷାକୃତ କମ୍ ହେବ। ତେବେ ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା କେରଳ ଉପକୂଳ ବ୍ୟତୀତ ଦେଶର ଅନ୍ୟାନ୍ୟ ସ୍ଥାନରେ ଗରମ ଜାରି ରହିବ। ଦକ୍ଷିଣ ଓଡ଼ିଶାରେ ସ୍ବାଭାବିକଠାରୁ ତାପମାତ୍ରା ୪ଡିଗ୍ରି ଅଧିକ ରହିବାର ସମ୍ଭାବନା ରହିଛି। ପୁଣି ଭାରତ ମହାସାଗରରୁ ବିଷୁବ ରେଖା ଅତିକ୍ରମ କରି ମେଘ ଓ ପବନ ଆସିବାରେ ଦୁର୍ବଳ ରହିଥିବ। ଏମ୍ଜେଓ ମଧ୍ୟ ଦୁର୍ବଳ ରହିବାର ସମ୍ଭାବନା ରହିଛି। ଜୁନ୍ର ଦ୍ବିତୀୟ ସପ୍ତାହରେ କେରଳ ଉପକୂଳ, ଦେଶର ପୂର୍ବ ଉପକୂଳ ଏବଂ ବଙ୍ଗୋପସାଗରରେ ବର୍ଷା ସ୍ବାଭାବିକ ହେବାର ସମ୍ଭାବନା ରହିଛି।
ଏସବୁ ବିଶ୍ଲେଷଣରୁ ଜଣାପଡ଼ୁଛି ଯେ ମୌସୁମୀ ବର୍ଷା ଆରମ୍ଭ ହେବା ପାଇଁ ମେ’ ୨୮ ତାରିଖ ସୁଦ୍ଧା କେରଳ ଉପକୂଳର ଅନେକ ସ୍ଥାନରେ ଆବଶ୍ୟକ ସର୍ବନିମ୍ନ ବର୍ଷା ହୋଇଥିବାର ସମ୍ଭାବନା ରହିଛି। ଜୁନ୍ ୮ ତାରିଖ ପର୍ଯ୍ୟନ୍ତ ମଧ୍ୟ ଏହିପରି ଅବସ୍ଥା ଲାଗି ରହିବ ଓ ମୌସୁମୀ ବର୍ଷା କେରଳ ଉପକୂଳରେ ହିଁ ସୀମିତ ରହିବ। ଏଣୁ ଭାରତୀୟ ପାଣିପାଗ ବିଭାଗ ମୌସୁମୀର ଆଗମନ କେବେ ଘୋଷଣା କରିବ, ଏନେଇ ଅପେକ୍ଷା ରହିବ। ସୂଚନାଯୋଗ୍ୟ, ଗତ ୫ବର୍ଷ ମଧ୍ୟରେ ମୌସୁମୀ ଆଗମନ ୩ବର୍ଷ ବିଳମ୍ବ ହୋଇଛି। ଗତ ବର୍ଷ ଜୁନ୍ ୮ରେ କେରଳରେ ମୌସୁମୀ ବର୍ଷା ଆରମ୍ଭ ହୋଇଥିଲା। ତେବେ କେରଳ ଛୁଇଁବା ପରେ ହିଁ ଓଡ଼ିଶାରେ ମୌସୁମୀ ବର୍ଷାର ଆଗମନ ବିଷୟରେ କିଛି ସଠିକ୍ରେ କହିହେବ ବୋଲି ଶ୍ରୀ ପଶୁପାଳକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/Monsoon_Rain_weather_monsoon_rain-770x433-1.jpg)