୫ ରାଜ୍ୟରୁ ବିଦାୟ ନେଲା ମୌସୁମି, ଓଡ଼ିଶାରୁ ସପ୍ତାହକ ପରେ!

ହଟୁଛି ଘୂର୍ଣ୍ଣିବଳୟ, ୭ରେ ପୁଣି ଆସିବ

ଭୁବନେଶ୍ୱର : ଗତ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ୫ଟି ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସରି ଯାଇଛି। ଏ ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଓଡ଼ିଶାରେ ଏବେ ବି ସକ୍ରିୟ ରହିଛି ମୌସୁମି ପ୍ରବାହ। ଆଗାମୀ ୭ ତାରିଖ ବେଳକୁ ଓଡ଼ିଶା ଉପକୂଳରେ ପହଞ୍ଚିପାରେ ଆଉ ଏକ ଘୂର୍ଣ୍ଣିବଳୟ। ସମ୍ଭବତଃ ଏହା ଶେଷ ଘୂର୍ଣ୍ଣିବଳୟ ହୋଇପାରେ। ଏହା ବର୍ଷିବା ପରେ ମୌସୁମୀ ବାୟୁ ରାଜ୍ୟରୁ ବିଦାୟ ନେବାର ସମ୍ଭାବନା ଅଧିକ ଥିବା ମତ ଦେଇଛନ୍ତିି ପାଣିପାଗବିତ୍‌। ବର୍ତମାନ ରାଜ୍ୟରେ ଘୂର୍ଣ୍ଣିବଳୟ ଜନିିତ ବର୍ଷା ଲାଗି ରହିଛି। ଆସନ୍ତା ୭/୮ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ମିଁଆମାର୍‌ରୁ ଗତି କରି ଓଡ଼ିଶା ଉପକୂଳରେ ପହଞ୍ଚିଲେ ଅଧିକ ବର୍ଷା କରାଇବ। ଏ ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ଜୁନ୍‌ ୧ରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ବର୍ଷା କରାଇଥାଏ। ଚଳିତ ବର୍ଷ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ମୌସୁମୀ ବାୟୁ ରାଜସ୍ଥାନ, ହିମାଚଳ ପ୍ରଦେଶ, ଗୁଜରାଟ, ଦିଲ୍ଲୀ, ପଂଜାବ ରାଜ୍ୟରୁ ବିଦାୟ ନେଇଛି। ଅନ୍ୟ ରାଜ୍ୟମାନଙ୍କରୁ ମୌସୁମୀ ବି ଅପସରି ଯିବାକୁ ବସିଛି। ଅନ୍ୟପକ୍ଷରେ ଓଡ଼ିଶାରେ ମୌସୁମୀ ବାୟୁ ଶୀଘ୍ର (ଜୁନ୍‌ ୨ୟରୁ ୩ୟ ସପ୍ତାହ) ଆଗମନ କରି ବିଳମ୍ବରେ ଅର୍ଥାତ୍‌ ଅକ୍ଟୋବର ୨ୟ ସପ୍ତାହ ବେଳକୁ ବିଦାୟ ନେଇଥାଏ। ବର୍ତମାନ ପାଣିପାଗ ବ୍ୟବସ୍ଥା ବୟାନ କରୁଛି ଯେ ରାଜ୍ୟରେ ମୌସୁମି ସକ୍ରିୟ ରହିଛି। ଏଣୁ ମୌସୁମି କେବେ ବିଦାୟ ନେବ ଆଉ ସପ୍ତାହ ପରେ ସେ ନେଇ ରୂପରେଖ ସ୍ପଷ୍ଟ ହେବ। ସେ ଯାହାହେଉ ମୌସୁମିର ଧାର୍ଯ୍ୟ ସମୟ ମଧ୍ୟରେ ଓଡ଼ିଶାରେ ୯ ପ୍ରତିଶତ କମ୍‌ ବର୍ଷା ହୋଇଛି। ରାଜ୍ୟରେ ଜୁନ୍‌ରୁ ସେପ୍ଟେମ୍ବର ୩୦ ସୁଦ୍ଧା ୧୧୫୦ ମିଲିମିଟର ବର୍ଷା ହେବା କଥା। କିନ୍ତୁ ସେପ୍ଟେମ୍ବର ୩୦ ସୁଦ୍ଧା ରେକର୍ଡ ହୋଇଛି ୧୦୫୨ ମି.ମି. ବର୍ଷା।

ପାଣିପାଗ ସୂଚନାନୁସାରେ ଉତ୍ତର ଓଡ଼ିଶାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଝାରସୁଗୁଡ଼ା-ସମ୍ବଲପୁର ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି। ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଏବଂ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ଲାଗି ରହିଛି। ତେବେ ବର୍ଷା ପରିମାଣ କମ୍‌ ରହିଛି। ଆନ୍ଧ୍ର ପ୍ରଦେଶ ଉପକୂଳରେ ଥିବା ଘୂର୍ଣ୍ଣିବଳୟ ଏବେ ରାୟଲସୀମା ଆଡ଼କୁ ମୁହାଁଇଛି। ଏହାର ପ୍ରଭାବରେ ଦକ୍ଷିଣର କିଛି ସ୍ଥାନରେ ବର୍ଷା ଲାଗି ରହିଛି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରର ମିଁଆମାର୍‌ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୭ ତାରିଖ ବେଳକୁ ଓଡ଼ିଶା ଉପକୂଳକୁ ଗତି କରିବ ବୋଲି ପୂର୍ବାନୁମାନ କରାଯାଇଛି। ସେତେବେଳକୁ ଉପକୂଳ, ଉତ୍ତର ଏବଂ ଅନ୍ୟାନ୍ୟ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଧାର ବରମୂଳରେ ସର୍ବାଧିକ ୬୦ ମି.ମି. ବର୍ଷା ହୋଇଥିଲା। ସେହିପରି ଝାରସୁଗୁଡ଼ାରେ ୫୦ ମି.ମି. ବର୍ଷା ହୋଇଥିବା ବେଳେ ତିଗିରିଆ, ତିରିଂ, ବାଲିଗୁଡ଼ା, ବରପାଲୀ, ଧର୍ମଗଡ଼ରେ ୪୦ ମି.ମି., କୁଚିଣ୍ଡା, ମୟୂରଭଞ୍ଜର ଶାମାଖୁଣ୍ଟା, ଜେନାପୁର, ବାମରା, କେସିଙ୍ଗାରେ ୩୦ ମି.ମି., କେନ୍ଦୁଝରର ଝୁମ୍ପୁରା, ମନ୍ଦିରାଡ୍ୟାମ, ଖଇରମାଳ, ଲଇକେରା, ଗରଦପୁର, ବିଜେପୁର, ଦାରିଙ୍ଗିବାଡ଼ି, ପଟ୍ଟାଙ୍ଗୀ, ଗୋପ, ସୋନପୁର, ଭବାନୀପାଟଣା, ନିଶ୍ଚିନ୍ତକୋଇଲି, ଝାରସୁଗୁଡ଼ା ଆଦି ସ୍ଥାନରେ ପ୍ରାୟ ୨୦ ମି.ମି. ବର୍ଷା ହୋଇଥିଲା। ଆଜି ସନ୍ଧ୍ୟା ସୁଦ୍ଧା କେନ୍ଦୁଝରରେ ୫୪ ମି.ମି. ବର୍ଷା ହୋଇଥିବା ବେଳେ ଭବାନୀପାଟଣାରେ ୩୧ ମି.ମି., ଟିଟିଲାଗଡ଼ରେ ୨୪ ମି.ମି., ଢେଙ୍କାନାଳରେ ୨୨ ମି.ମି., ବାଲେଶ୍ୱରରେ ୧୪ ମି.ମି., ପୁରୀରେ ୧୧ ମି.ମି. ବର୍ଷା ହୋଇଛି।

ସମ୍ବନ୍ଧିତ ଖବର